Latest Odisha News

BREAKING NEWS

ସିକିମ୍ ବନ୍ୟା: ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି

ସିକିମ୍‌: ଅଚାନକ ମାଡି ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ୨୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ୩୦ ଜଣଙ୍କ ମୃତଦେହ ପଶ୍ଚିମବଙ୍ଗର ତୀସ୍ତା ନଦୀ ଅବବାହିକାରେ ଲାଗିଛି । ସିକିମ୍‌ ରୁ ୨୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତିସ୍ତା ନଦୀ ଅବବାହିକାର ପଶ୍ଚିମବଙ୍ଗ ଏବଂ ବାଂଲାଦେଶରୁ ୩୨ରୁ ଅଧିକ ମୃତଦେହ ମିଳିଛି। ଏବେବି ପ୍ରାୟ ୧୦୦ ଜଣଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି । ବରଦଙ୍ଗଠାରୁ ନିଖୋଜ ୨୨ ଯବାନଙ୍କ ମଧ୍ୟରୁ ଏବେବି ୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟମାନଙ୍କ ସହ ମୋଟ ୧୪୨ଜଣଙ୍କୁ ଖୋଜାଯାଉଥିବା ସୂଚନା ମିଳିଛି ।

ଅକ୍ଟୋବର ୪ରେ ସିକ୍କିମରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଥିଲା। ହଠାତ୍ ବାଦଲ ଫଟା ବର୍ଷା କାରଣରୁ ସ୍ଥଳଭାଗକୁ ମାଡି ଆସିଥିଲା ବନ୍ୟା ପାଣି। ପାହାନ୍ତି ସମୟରେ ଲୋକେ ଜାଗ୍ରତ ହେବା ପୂର୍ବରୁ ବନ୍ୟା ସ୍ରୋତରେ ଭାସି ଯାଇଥିଲେ। ଏଥିରେ ଏହା ୨୫,୦୦୦ ରୁ ଅଧିକ ଲୋକଙ୍କୁ ପ୍ରଭାବିତ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରୁ ୨,୪୧୩ ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ରାଜ୍ୟରେ ଥିବା ୨୨ଟି ରିଲିଫ୍ କ୍ୟାମ୍ପରେ ୬,୮୭୫ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । ବନ୍ୟାରେ ଭାସି ଯାଇଥିବା ସେନା ଗାଡ଼ିର ଅସ୍ତ୍ରଶସ୍ତ୍ର ନଦୀ ଭିତରେ ବିସ୍ଫୋରିତ ହେଉଛି । ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଏନ୍‌ଡିଆରଏଫ୍‌, ସେନା ଓ ଆଇଟିବିପି ଯବାନ ପ୍ରାଣମୂର୍ଚ୍ଛା ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଆଇଟିବିପି ଅଧୀନ ‘ହିମବୀର’ ବାହିନୀର ଯବାନମାନେ ୧୬ହଜାର ଫୁଟ ଉଚ୍ଚରୁ ୬୮ ଲୋକଙ୍କୁ ସଫଳତାର ସହ ଉଦ୍ଧାର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣ କରିଥିବା ବେଳେ କ୍ୟାମ୍ପରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ୨,୦୦୦ ଟଙ୍କା ରିଲିଫ ଘୋଷଣା କରିଛନ୍ତି। ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଅଂଶରୁ ୪୪.୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି। କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଦଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.