Latest Odisha News

BREAKING NEWS

ନ୍ୟୁୟର୍କରେ ଶୁଭିବ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସଙ୍ଗୀତ

ବଲାଙ୍ଗୀର : ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲାଙ୍ଗୀର ମାଟିର ପୁଅ ପ୍ରିୟବ୍ରତ ପାଣିଗ୍ରାହୀ, ଷ୍ଟାରଶେଫ ତଥା ଫିଲ୍ମ ନିର୍ଦ୍ଦେଶକ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ବାଇଣ୍ଡର ତରଫରୁ ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା ‘ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକର’ ସଙ୍ଗୀତ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇଛନ୍ତି।

ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଭାରତ ସମେତ ୟୁକେ, ୟୁଏସ, ୟୁରୋପ ଏବଂ ଆଫ୍ରିକାର ୫୦ ରୁ ଉର୍ଦ୍ଧ୍ବ ଆନ୍ତର୍ଜାତିକ ସଙ୍ଗୀତ କଳାକାର ମାନେ ଭାଗ ନେବେ। ନ୍ୟୁୟର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସାମାଜିକ ଗଣ ମାଧ୍ୟମ ଦ୍ୱାରା ସମଗ୍ର ବିଶ୍ୱବାସୀ ଦେଖିପାରିବେ।

ପିଲାଟି ଦିନରୁ ସଙ୍ଗୀତ ପ୍ରତି ରୁଚି ରଖୁଥିବା ପ୍ରିୟବ୍ରତ ଜଣେ ଇଞ୍ଜିନିୟର ହିସାବରେ ଚାକିରୀ ଆରମ୍ଭ କରିଥିଲେ ମଧ୍ୟ ସଙ୍ଗୀତ ପ୍ରତି ଥିବା ଇଚ୍ଛା ତାଙ୍କୁ ବେଶୀଦିନ ବାନ୍ଧିରଖି ପାରିନଥିଲା। ଚାକିରୀ ଛାଡ଼ି ସେ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ସାଉଣ୍ଡ ରେକଡିଂ ଏବଂ ଡ଼ିଜାଇନିଂ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ୨୦୧୩ ମସିହାରୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇ, ଦ ଲାଷ୍ଟ କଲର , ୱର୍କ ଫ୍ରମ ହୋମ ଭଳି ସେ ଅନେକ ଆନ୍ତର୍ଜାତିକ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ବ୍ୟତୀତ ସେ ଓଡ଼ିଆ , ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅନେକ ଡକ୍ୟୁମେଣ୍ଟାରୀ , ୧୫ରୁ ଉର୍ଦ୍ଧ୍ବ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଞ୍ଚଳିକ ଭାଷାରେ ନିର୍ମିତ ଆଲବମରେ ସଙ୍ଗୀତ  ନିର୍ଦ୍ଦେଶନା ଦେଇଛନ୍ତି।

Comments are closed.