ନୂଆଦିଲ୍ଲୀ: ଇଟାଲୀର ଷ୍ଟାର ଟେନିସ ଖେଳାଳି ଜେନିକ ସିନେର ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସିନେର ଜର୍ମାନୀର ଆଲେକଜାଣ୍ଡର ଜ୍ୱେରେଭଙ୍କୁ ୬-୩, ୭-୬(୪), ୬-୩ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ ପାଇଁ ତାଙ୍କୁ ୨ ଘଂଟା ୪୨ ମିନିଟ ସମୟ ଲାଗିଥିଲା । ବିଶ୍ୱର ଏକ ନମ୍ବର ଖେଳାଳି ସିନେର ୧୩ ମାସ ମଧ୍ୟରେ ତୃତୀୟ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ।
ପ୍ରଥମ ସେଟରେ ସିନେର ଏକତରଫା ବିଜୟ ହାସଲ କରିଥିଲେ । ଦ୍ୱିତୀୟ ସେଟରେ ଜ୍ୱେରେଭ କଡା ସଂଘର୍ଷ କରିଥିଲେ ମଧ୍ୟ ନିଜ ସପକ୍ଷକୁ ବାଜି ଆଣିପାରି ନ ଥିଲେ । ୨-୦ରେ ସିନେର ଅଗ୍ରଣୀ ରହିବା ପରେ ଜ୍ୱେରେଭ ଚାପରେ ରହିଥିଲେ । ତୃତୀୟ ସେଟ ସିନେର ୬-୩ରେ ଜିତିଥିଲେ । ଅପରପକ୍ଷରେ ଜ୍ୱେରେଭ ତୃତୀୟ ଥର ପାଇଁ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବା ପରେ ପରାଜିତ ହୋଇଛନ୍ତି । ୨୦୧୫ ୱିମ୍ବେଲଡନ, ୨୦୨୪ ଫ୍ରେଂଚ ଓପନର ଫାଇନାଲରେ ସେ ପ୍ରବେଶ କରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ସେମିଫାଇନାଲ ମ୍ୟାଚ ଅଧାରୁ ଓହରି ଯିବାରୁ ଜ୍ୱେରେଭ ଫାଇନାଲକୁ ଉନ୍ନୀତ ହୋଇଥିଲେ ।
Comments are closed.