ମିନିଆପଲିସି / ଭୁବନେଶ୍ୱର: କୋଭିଡ୍ ସଙ୍କଟକୁ ମୁକାବିଲା କରିବା ପାଇଁ ଆମେରିକାରେ ଅବସ୍ଥାପିତ ଓଡ଼ିଆ ବୈଜ୍ଞାନିକ ତଥା ଉଦ୍ୟୋଗପତି ଏବଂ ଜନହିତୈଶୀ ଡଃ ସୀତକଣ୍ଠ ଦାଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ଡଃ ଦାଶଙ୍କ ତରଫରୁ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର ସଭାପତି ସ୍ୱାମୀ ମୁକୁନ୍ଦାନନ୍ଦ ଏବଂ କୂଳସଚିବ ମଧୁସୂଦନ ମିଶ୍ର ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭୁବନେଶ୍ୱରର ଲୋକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟଠାରେ ସାକ୍ଷାତ କରି ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଓଡ଼ିଶା ସରକାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଓ କରୋନାର ସଂକ୍ରମଣକୁ ରୋକିବାରେ ଯେପରି ସଫଳ ଓ ସମୟାନୁବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛନ୍ତି, ତା’ର ସେ ପ୍ରଶଂସା
କରିଛନ୍ତି ।
ପ୍ରୋବାଓଟେକ୍ ଉଦ୍ଭାବନର ପ୍ରମୁଖ ପ୍ରବର୍ତ୍ତକ ଡଃ ସୀତକଣ୍ଠ ଦାଶ ଆମେରିକାର ମିନିଆପଲିସି ଠାରେ ୟୁ.ଏ.ଏସ୍ ଲାବୋରେଟୋରୀଜ୍, ସାଉଥ୍ଡାକୋଟା ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରୋବାଓଟେକ୍ ଉଦ୍ଭାବନ କେନ୍ଦ୍ର ଏବଂ ଭୁବନେଶ୍ୱରସ୍ଥିତ ଆଇ.ଆଇ.ଟିଠାରେ ଡଃ ଏସ୍.କେ. ଦାଶ ପ୍ରୋବାଓଟେକ୍ ସେଣ୍ଟର ଅଫ୍ ଏକ୍ସେଲେନ୍ସ ପ୍ରତିଷ୍ଠା କରିଛନ୍ତି ।
ଡଃ ସୀତକଣ୍ଠ ଦାଶ ନିଜର ଜନ୍ମ ପ୍ରଦେଶ ଓଡ଼ିଶାରେ ବହୁ ଜନହୀତକର ପ୍ରକଳ୍ପ ପ୍ରଣୟନ କରିଥିବା ଜଣାଯାଇଛି । ଶ୍ରୀଜଗନ୍ନାଥଙ୍କର ଜଣେ ଅଗ୍ରଣୀ ଭକ୍ତ ଡଃ ଦାଶ ଦେଶ ବିଦେଶରେ ଜଗନ୍ନାଥ ଧର୍ମର ପ୍ରଚାର ପ୍ରସାର କରିବା ସାଙ୍ଗକୁ ମିନେସୋଟାଠାରେ ଆମେରିକାର ସବୁଠୁ ବୃହତ୍ ହିନ୍ଦୁ ମନ୍ଦିର ସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ଏବେ ମିନେସୋଟାର ଭାରତୀୟ ସଂଘ ଏବଂ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ୍ର ନିର୍ଦ୍ଦେଶକ ଏବଂ ସାଉଥ୍ଡାକୋଟା ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଅଛନ୍ତି ।
Comments are closed.