ଭଦ୍ରକ: ଧିରେ ଧିରେ ସୁଧୁରୁଛି ଭଦ୍ରକ ସ୍ଥିତି । ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଜିଲ୍ଲାର ତିହିଡି ଥାନା ଅଧିନସ୍ଥ କଷଟି ଗ୍ରାମରେ ଗୋଷ୍ଠୀ ସଂଘର୍ଷ କାରଣରୁ ଉପୁଜିଥିବା ଉତେଜନା ସ୍ଥିତି କାରଣରୁ ସୋସିଆଲ ମିଡିଆ ଦ୍ବାରା କାଳେ କିଛି ସମସ୍ୟା ଉପୁଜିବ ସେଥିପାଇଁ ଭଦ୍ରକରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ଥିଲା । ପରବର୍ତ୍ତୀ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଅର୍ଥାତ୍ ଗୁରବାର ସକାଳ ୬ଟା ଠାରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକରେ ଇଣ୍ଟରନେଟ ସେବାକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ ।
ତେବେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ଥିବା ସହିତ ସ୍ୱାଭାବିକ ଥିବାରୁ ଇଣ୍ଟରନେଟ ସେବାକୁ ପ୍ରଶାସନ ପକ୍ଷରୁ ପୁଣି ଥରେ ଆରମ୍ଭ କରାଯାଇଛି ବୋଲି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବି ଯେ ସମସ୍ତେ ଆମକୁ ସହଯୋଗ କରିଛନ୍ତି । ଦାୟିତ୍ବବାନ ବ୍ୟକ୍ତିକ୍ବ ରୂପେ ସମସ୍ତେ ସାହାଯ୍ୟ କରିଥିବାରୁ ସ୍ଥିତି ଏବେ ସ୍ବାଭାବିକ ହୋଇଛି । ତେବେ ରାତ୍ରି କାଳୀନ ପାଟ୍ରୋଲିଙ୍ଗକୁ କଡାକଡି ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ସୂଚନାଯୋଗ୍ୟ, ମେ ମାସ ୩୦ ତାରିଖ ଦିନ ତିହିଡି ଥାନା ଅଧିନସ୍ଥ କଷଟି ଗ୍ରାମରେ ଗୋଚାଲାଣକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ସହିତ ଆକ୍ରମଣ ହୋଇଥିଲା । ଏଥିରେ କଷଟି ଗ୍ରାମର ସନ୍ତୋଷ ପରିଡା ଆକ୍ରମଣର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ହେଲେ ଚଳିତ ମାସ ୧୧ ତାରିଖରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଭଦ୍ରକ ଜିଲ୍ଲାରେ ଚାପା ଉତେଜନା ସ୍ଥିତି ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିଲା । ଏହି ଘଟଣା ରେ 197/25 ଏକ ମାମଲା ତିହିଡ଼ି ଥାନାରେ ରୁଜୁ ହୋଇଛି ।
ଏଥିସହ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମ୍ପୃକ୍ତ ଥିବା ମୁଖ୍ଯ ଅଭିଯୁକ୍ତ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।
Comments are closed.