Latest Odisha News

BREAKING NEWS

Unity Of Hindus: ହୁନ୍ଦୁମାନେ ଏକାଠି ହୁଅ… ମୋହନ ଭାଗବତଙ୍କ ଆହ୍ୱାନ

କୋଲକାତା: ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ନିରନ୍ତର ଜାରି ରହିଛି। ୟୁନୁସ୍ ସରକାର ଏପରି ଘଟଣା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି। ଏହି ସମୟରେ, ଯୁବ ନେତା ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶର ପରିସ୍ଥିତି ଆହୁରି ଖରାପ ହେଉଥିବା ଦେଖାଯାଉଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ପ୍ରମୁଖ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ସେଠାକାର ହିନ୍ଦୁମାନଙ୍କୁ ଏକ ହେବା ଉଚିତ ଏବଂ ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ଆବଶ୍ୟକ। ସେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ମନ୍ତବ୍ୟ ଦେଇଛନ୍ତି।

ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଛନ୍ତି ଯେ, ଭାରତକୁ ନିଜ ସୀମା ମଧ୍ୟରେ ରହି ଯେତିକି ହୋଇପାରିବ ସହାୟତା ଯୋଗାଇବା ଆବଶ୍ୟକ। ଯାହା ଆମେ କରିପାରିବା, ତାହା ନିଶ୍ଚିତ କରିବାକୁ ପଡ଼ିବ । କାରଣ ଭାରତ ହିଁ ହିନ୍ଦୁମାନଙ୍କ ପାଇଁ ଏକମାତ୍ର ଦେଶ । ଭାରତ ସରକାର ଏ ଦିଗରେ ଧ୍ୟାନ ଦେବା ଜରୁରୀ। କିଛି ପଦକ୍ଷେପ ନେବାକୁ ହେବ, ଏହାଛଡ଼ା ହିନ୍ଦୁ ସମାଜ ଏକଜୁଟ ହେଲେ ବେଙ୍ଗଲରେ ସ୍ଥିତି ବଦଳିବାକୁ ସମୟ ଲାଗିବ ନାହିଁ। ତେବେ ରାଜନୈତିକ ପରିବର୍ତ୍ତନ ବାବଦରେ ଚିନ୍ତା କରିବା ମୋର କାମ ନୁହେଁ। ଆମେ କେବଳ ସାମାଜିକ ପରିବର୍ତ୍ତନ ପାଇଁ କାମ କରୁଛୁ। ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର। ଏହାକୁ ପ୍ରମାଣ କରିବା ଆବଶ୍ୟକ ନାହିଁ।

ସୂଚନା ଥାଉକି, ବାଂଲାଦେଶରେ ୩ ଦିନ ପୂର୍ବେ ଢାକା ନିକଟବର୍ତ୍ତୀ ଭାଲୁକା ଅଞ୍ଚଳରେ ଧର୍ମକୁ ଅପମାନ ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିଲା। ଏହାପରେ ଉଲଗ୍ନ କରି ଗଛରେ ଟାଙ୍ଗି ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ମୃତକଙ୍କ ନାମ ଦୀପୁ ଚନ୍ଦ୍ର ଦାସ। ପୋଲିସ ଅନୁସାରେ ଗୁରୁବାର ରାତିରେ ଭାଲୁକାରେ ଏହି ଅଘଟଣ ଘଟିଥିଲା। ବାଂଲାଦେଶରେ ଧର୍ମ ନାମରେ ଆଉ ଜଣେ ହିନ୍ଦୁ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି। ଖୁଲନା ଡିଭିଜନର ଝେନାଇଦା ଜିଲ୍ଲାରେ ଉପଦ୍ରବକାରୀମାନେ ଜଣେ ହିନ୍ଦୁ ରିକ୍ସା ଚାଳକଙ୍କୁ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ପୀଡ଼ିତଙ୍କ ନାମ ଗୋବିନ୍ଦ ବିଶ୍ୱାସ। ତାଙ୍କ ହାତରେ ନାଲି ସୂତା ବନ୍ଧା ହୋଇଥିବା ଦେଖି ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ହିନ୍ଦୁ ଧର୍ମରେ ହାତରେ ନାଲି ସୂତା ବାନ୍ଧିବା ସାଧାରଣ କଥା।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗୋବିନ୍ଦ ବିଶ୍ୱାସ ଭାରତର ଗୁଇନ୍ଦା ଏଜେନ୍ସି ର’ ସହ ଜଡ଼ିତ ଥିବା ନେଇ ଗୁଜବ ହୋଇଥିଲା। ଏହା ଜାଣିନେବା ପରେ ଉପଦ୍ରବକାରୀ ସେଠାରେ ପହଞ୍ଚି ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ଆକ୍ରମଣ କରିଥିଲେ। ଜିଲ୍ଲା ମ୍ୟୁନିସିପାଲିଟି ସାମ୍ନାରେ ତାଙ୍କୁ ମାଡ଼ କରାଯିବା ପରେ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ଛାତି ଓ ବେକରେ ଆଘାତ ଲାଗିଛି । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଗୋବିନ୍ଦ କହୁଛନ୍ତି ଯେ ସେ କେବଳ ଜଣେ ରିକ୍ସା ଚାଳକ । ତେଣୁ ତାଙ୍କୁ ଛାଡ଼ି ଦିଆଯିବା ଉଚିତ । ପରେ ତାଙ୍କୁ ଝେନାଇଦା ସଦର ଥାନାରେ ଅଟକ ରଖାଯାଇଥିଲା ।

Leave A Reply

Your email address will not be published.