Latest Odisha News

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ ହେବ ବୋଲି ସେ କହିଛନ୍ତି । ବାଇକଟି କିଛି ଅଦରକାରୀ ଜିନିଷକୁ ନେଇ ତିଆରି ହୋଇଛି । ଏହାକୁ ତିଆରି କରିବାକୁ ତାଙ୍କୁ ପ୍ରାୟ ୧ମାସ ସମୟ ଲାଗିଥିଲା । ଏଥିରେ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାଇକଟି  ଗୋଟିଏ ଥର ଚାର୍ଜ କଲେ ପ୍ରାୟ ୧୫୦ କି.ମି ଚାଲିପାରିବ ।

ଚାଷୀ ପରିବାରର ପୁଅ ଅସଦ । ଗାଁରେ ରୁହେ ।  ଦିନମାନର  ଛୋଟ ଛୋଟ କାମ କରିବା ପାଇଁ ଏକ ବାଇକର ଦରକାର ପଡୁଥିଲା ଅସଦର । କିନ୍ତୁ ପେଟ୍ରୋଲର ଦର ବୃଦ୍ଧି ହେତୁ ବାଇକ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ତାଙ୍କ ପାଇଁ ଭାରି କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ସେ ଏହି ଇଲେକ୍ଟ୍ରିକ୍ ବାଇକ ତିଆରି କରିବାକୁ ଚିନ୍ତା କରିଥିଲେ। ସେ   ଜଣେ କି ୨ଜଣ ନୁହେଁ ବରଂ ଛଅ ଜଣଙ୍କ ବସିବା ପରି ଏକ ବଡ଼ ଇଲେକ୍ଟ୍ରିକ୍ ବାଇକ୍ ତିଆରି କଲେ ।

ଆଠ ବର୍ଷ ବୟସରୁ ଅସଦ ଏହି ଭଳି ଅନେକ ଅଭିନବ ପ୍ରୟାସ କରିଆସୁଛନ୍ତି । ସେ ଆଇଟିଆଇରୁ ଡିପ୍ଲୋମା ପଢୁଛନ୍ତି ।  ଛୋଟ ଛୋଟ ମେସିନ୍ ସଜାଡ଼ିବାରେ ତାଙ୍କର ବେଶ୍ ରୁଚି ।  ସେ ହୋମ ମେଡ୍ କ୍ରିଏଟିଭ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ନିଜର କାମ ସବୁ ସେୟାର୍ ମଧ୍ୟ କରୁଛନ୍ତି । ଆଗାମୀ ସମୟରେ ସେ ଏକ ସୋଲାର ଏନର୍ଜି ଓ ବ୍ୟାଟେରି ଚାଳିତ ବିମାନ ତିଆରି କରିବାକୁ ଚିନ୍ତା କରୁଛନ୍ତି । ସେ କୁହନ୍ତି, ମୋର ଉଦ୍ଭାବନ କେବଳ ଗାଁର ଲୋକଙ୍କ ପାଇଁ। ଏହି ବାଇକ୍ କେବଳ ଗ୍ରାମବାସୀଙ୍କ ପାଇଁ ଉଦ୍ଭାବନ କରାଯାଇଥିଲା, ଯାହା ଫଳରେ ସମସ୍ତେ ସହଜରେ ଯିବା ଆସିବା କରିପାରିବେ ।

Leave A Reply

Your email address will not be published.