Latest Odisha News

BREAKING NEWS

ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେଲା ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଦିନ ପ୍ରତିଷ୍ଠା କରାଯାଇଛି ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର । ରାଜ୍ୟ ସରକାରଙ୍କ ୯୦ ଲକ୍ଷ ଟଙ୍କା ଅନୁଦାନରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୨୦୧୯-୨୦ ଶିକ୍ଷା ବର୍ଷରେ ୪୨୦ ଜଣ ଛାତ୍ରୀଙ୍କୁ ୭ଟି ଭିନ୍ନଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଯୁବବର୍ଗ ମଧ୍ୟରେ ଥିବା ଦକ୍ଷତାର ବିକାଶ ଘଟାଇ ସେମାନଙ୍କ ଭବିଷ୍ୟତ ଉପଯୁକ୍ତ କରି ଗଢ଼ି ତୋଳିବା ସହିତ ରାଜ୍ୟ ତଥା ଦେଶର ଅଗ୍ରଗତିରେ ସେମାନଙ୍କ ଅବଦାନକୁ ନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ପରିବର୍ତ୍ତିତ ବଜାରର •ହିଦାକୁ ଦୃଷ୍ଟିରେ ରଖି ଯୁବଗୋଷ୍ଠୀଙ୍କ ପାଇଁ ମୌଳିକ ଦକ୍ଷତାର ଅଭିବୃଦ୍ଧି ଘଟାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯାହା ଅନ୍ୟ ଅନୁଷ୍ଠାନଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିବ ।

କୋଣାର୍କ ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀ ନିହାଣ ମୂନରେ ଯେଉଁ କାରୁକାର୍ଯ୍ୟ କରିଯାଇଛନ୍ତି ତାହା ଅତୀତ ଓଡ଼ିଶାରେ ଶିଳ୍ପୀମାନଙ୍କର ଦକ୍ଷତାର ପ୍ରମାଣ ଦେଉଛି । ସେହିପରି ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ରମାଦେବୀଙ୍କ ତ୍ୟାଗ ଓ କର୍ମ କୁଶଳତାକୁ ଜନମାନସରେ ଉଜ୍ଜୀବିତ କରି ରଖିବ ବୋଲି ସେ କହିଛନ୍ତି ।

ସେଞ୍ଚୁରିୟନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଣ୍ଟର ସହଯୋଗରେ ଆରମ୍ଭ କରାଯାଇଥିବା ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରେ ମେଡିକାଲ ଲାବ୍ ଟେକ୍ନୋଲୋଜି, ଡିଜିଟାଲ୍ ଇଲେକ୍ଟ୍ରୋନିକ୍ସ, ୟୁନିଟି ଗେମିଂ ଆଣ୍ଡ ଆନିମେସନ୍, କମ୍ପ୍ୟୁଟର ଆକାଉଣ୍ଟେନ୍ସି, ରିଟେଲ୍ ଆଣ୍ଡ ହସ୍ପିଟାଲିଟି, ଫ୍ୟାସନ୍ ଡିଜାଇନିଂ, ହେରିଟେଜ୍ ଆଣ୍ଡ ଇକୋ-ଟୁରିଜିମ୍ ଆଦି ୭ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ ବୋଲି ସେଂଚୁରିୟନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍ମେଣ୍ଟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର କହିଛନ୍ତି ।

ରମାଦେବୀ ମହିଳା ମହାବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର କହିଛନ୍ତି “ବିଶ୍ୱ ବିଦ୍ୟାଳୟ ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇବ । ଖାଲି ଏଠାକାର ଛାତ୍ରୀ ନୁହନ୍ତି, ବିଶ୍ୱବିଦ୍ୟାଳୟ ବାହାରର ଛାତ୍ରୀ ଓ ମହିଳା ମାନେ ଭବିଷ୍ୟତରେ ଏହାର ସୁଯୋଗ ନେଇ ପାରିବେ” ।

Leave A Reply

Your email address will not be published.