Latest Odisha News

BREAKING NEWS

ଅଷ୍ଟମ ଶ୍ରେଣୀରୁ ବିଦ୍ୟାଳୟରେ ଆରମ୍ଭ ହେବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଖୁବ ଶୀଘ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଧନ୍ଦାମୂଳକ ଶିକ୍ଷା ପରି ସ୍କୁଲସ୍ତରରେ ଯଦି ପିଲାଙ୍କୁ ବିଭିନ୍ନ ବିଭାଗର ଦକ୍ଷତା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଏ ତେବେ ଶିକ୍ଷା ସାଙ୍ଗକୁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏପରି ଅଭିନବ ପ୍ରୟାସ ପ୍ରଥମକରି ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରିବାକୁ ବ୍ଲୁ-ପ୍ରିଣ୍ଟସ୍ ପ୍ରସ୍ତୁତ ହୋଇଛି ।

୨୦୨୧-୨୨ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଶିକ୍ଷା ବିଭାଗ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରାଯିବ । ଅଷ୍ଟମରୁ ଦଶମ କୋର୍ସରେ  ଲେବୁଲ ୧ରୁ ୨ ଏବଂ ଏକାଦଶ, ଦ୍ୱାଦଶଶ୍ରେଣୀରେ ଲେବୁଲ ୩ଓ ୪ କୋର୍ସ ରଖାଯିବ । ଦକ୍ଷତାବିକାଶ କାର୍ଯ୍ୟକ୍ରମରେ ପ୍ରାୟ ୩୫୦ରୁ ଅଧିକ ଟ୍ରେଡ୍ ବା କୋର୍ସର ସିଲାବସ୍ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟରେ ଜିଲ୍ଲା ୱାରୀ ପିଲାଙ୍କ ପସନ୍ଦ ଏବଂ ଚାହିଦାକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ସ୍କୁଲଗୁଡିକରେ କୋର୍ସ ଆରମ୍ଭ ହେବ ।

ମାତ୍ର କ୍ଲାସ ପାଠପଢ଼ା ସହିତ ଏହି କୋର୍ସ ବାଧ୍ୟତାମୂଳକ କିମ୍ବା ଇଚ୍ଛାଧିନ ଭାବେ ସାମିଲ କରାଯିବ ତାହା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ପିଟିସି ବା ପରର୍ଫମାନ୍ସ ଟ୍ରାକିଂ ସେଲ୍‌ର ଅନୁଧ୍ୟାନ ରିପୋର୍ଟ ଅନୁସାରେ ରାଜ୍ୟର ଅନେକ ଜିଲ୍ଲାରେ ତନ୍ତ ବା ଲୁଗାବୁଣାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସମ୍ପୃକ୍ତ ଜିଲ୍ଲାରେ ସ୍କୁଲରେ ଦକ୍ଷତା ବିକାଶ କୋର୍ସରେ ସେଠାକାର କୌଳିକ ବୃତ୍ତିକୁ ସାମିଲ କରାଯିବ । ସେହିପରି ରାଜ୍ୟର ପ୍ରମୁଖ ୮ଟି ଜିଲ୍ଲାରେ କମ୍ପ୍ୟୁଟର ସହିତ ୪ଟି କୋର୍ସକୁ ସାମିଲ କରାଯିବା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପିଲାଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ସେମାନଙ୍କ ପସନ୍ଦର କୋର୍ସକୁ ସାମିଲ କରାଯିବ ।

ଗତ ୨ବର୍ଷ ପୂର୍ବରୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ରାଜ୍ୟ ଦକ୍ଷତା ବିକାଶ ବିଭାଗକୁ ପ୍ରଦାନ କରାଯାଇଥିଲା । ଏହାର ଏକ କୋର୍ସ ମଡେଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।  ମାତ୍ର ବୈଷୟିକ ସମସ୍ୟା ଲାଗି ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା ।

ମାତ୍ର ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବ ଗୁଣାତ୍ମକ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ନିଯୁକ୍ତି ଏବଂ ପିଲାଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ତେଣୁ ନ୍ୟାସନାଲ ସ୍କିଲସ୍ କ୍ୱାଲିଫିକେସନ୍ ଫ୍ରେମୱାର୍କ ବା ଏନ୍‌ଏସ୍‌କ୍ୟୁଏଫ୍‌କୁ ଗୁରୁତ୍ୱ ଦେବା ସହ ପ୍ରଥମ ପର୍ଯ୍ୟାୟରେ ଦକ୍ଷତା ବିକାଶ ଲାଗି ଯେଉଁ କୋର୍ସକୁ ସାମିଲ କରାଯିବ ସେଥିଲାଗି ଏକ ସ୍ୱତନ୍ତ୍ର ଏକ୍ସପୋର୍ଟ ସିଲାବସ୍‌କୁ ସମୀକ୍ଷା କରିବେ ।

ଏହାବ୍ୟତୀତ ଏହି ଯୋଜାନା ଲାଗି ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା ମଧ୍ୟ ସମଗ୍ରଶିକ୍ଷା ଯୋଜନାରୁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।

ଅପରକ୍ଷେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୭ହଜାର ସ୍କୁଲରେ ପାଇଲଟ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.