Latest Odisha News

BREAKING NEWS

ନକଲି ଔଷଧର ଅସଲି ଚେର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଆଗରୁ ସବୁ ନକଲି ହୋଇ ସାରିଥିଲା । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା । ଯାହା ଆମେ ନିତିଦିନିଆ ଜୀବନରେ ଦେଖୁ, ବ୍ୟବହାର କରୁ । ସେସବୁର ନକଲି ସାମଗ୍ରୀ ପ୍ରସ୍ତୁତ ହୋଇ ବର୍ଷ ବର୍ଷ ଧରି ବିକ୍ରି ହୋଇ ଆସୁଛି । ଗରିବ, ଖଟିଖିଆ, ମେହନତି ମଣିଷ, ସାଧାରଣ ଲୋକେ ତାହା ଶସ୍ତାରେ ପାଇ ବ୍ୟବହାର କରି ଆସୁଛନ୍ତି । ଓ ତାର ଫଳ ବି ଭୋଗ କରୁଛନ୍ତି ।

କେଇ ମାସ ତଳେ କଟକରୁ ଅଚାନକ ଅନେକ ରକମର ନକଲି ସାମଗ୍ରୀ ଚଢାଉ ବେଳେ ପଦାକୁ ଆସିଲା । ଚାହାଠାରୁ ଆରମ୍ଭ କରି ସୋୟାବିନ ବଡ଼ି, ପନିର ଯାକେ ଅନେକ ନକଲି ଖାଦ୍ୟ ସାମଗ୍ରୀ ବାରମ୍ବାର କଟକ ଓ ଆଖପାଖରୁ ଜବତ ହେଲା । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହେଲା । ଲୋକେ ଭାବିଲେ- ଆମେ କଣ ସତରେ ଏଇଆ ଖାଉଛୁ? ପଇସା ଦେଇ ବିଷ କିଣୁଛୁ? କିନ୍ତୁ, ତା’ପରେ ସେ ସଂପର୍କିତ ଚଢାଉ ବନ୍ଦ ହେଲା କି କଣ, ସେ ବିଷୟରେ ଆଉ ବେଶି ରିପୋର୍ଟ ଆସିଲା ନାହିଁ ।

ଜୁନ ୧୦ରେ ରିପୋର୍ଟ ଆସିଲା କଟକରୁ ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି । ନକଲି ଔଷଧ କାରବାର ବର୍ଷ ବର୍ଷ ଧରି ଚାଲିଛି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଯଦି ଏହାକୁ ନ ଜାଣିଛନ୍ତି ବୋଲି କହିବେ, ତେବେ ତାହା ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ହେବ । ନକଲି କଫ୍‍ ସିରପ୍‍, ହଜାରେ ପ୍ରକାର ନକଲି ଔଷଧ ବାରମ୍ବାର ଜବତ ହୋଇଛି । କିନ୍ତୁ ଏଥର ଯେଉଁ ନକଲି ଔଷଧଟି ଜବତ ହେଲା, ତାହା ଲୋକଙ୍କ ନିଦ ଉଡ଼େଇ ଦେଲା । ନକଲି ଔଷଧ- କରୋନା ପାଇଁ ଉଦ୍ଦିଷ୍ଟ ଥିଲା ।

କରୋନାରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ମରୁଛନ୍ତି । ସେମିତିରେ ଲୋକେ ମରୁଛନ୍ତି । କରୋନା ମହାମାରୀକୁ ଗଲା ଦେଢ ବର୍ଷ ହେଲାଣି ସାରା ପୃଥିବୀ ସାମ୍ନା କରୁଛି । ପୃଥିବୀର ପ୍ରତିଟି ଦେଶ ଏହା ବିରୋଧରେ ମିଳିତ ଭାବେ ଲଢୁଛନ୍ତି । କିନ୍ତୁ ଜିତି ନାହାନ୍ତି । କେବେ ଜିତିବେ, କେହି ଜାଣି ବି ନାହାନ୍ତି । ଅଧାରୁ ଅଧିକ ପୃଥିବୀ ତାଲାବନ୍ଦରେ ପଡ଼ିଛି । ସେମିତି ସମୟରେ ପୁଣି ନକଲି ଔଷଧ ଲୋକଙ୍କୁ ଦେଇ ମାରିବା ପାଇଁ ରାସ୍ତା ସୃଷ୍ଟି କରି ଦିଆଯାଉଛି । ଲୋକଙ୍କୁ ଏହା ବ୍ୟଥିତ କଲା । ଦୁଃଖ ଆଣିଦେଲା । କାରଣ- ନକଲି କାରବାର ତ ସେମାନଙ୍କୁ ଆଗରୁ ଜଣାଥିଲା । କିନ୍ତୁ, ମହାମାରୀ ସମୟରେ ଏମିତି ହୋଇପାରେ ବୋଲି ସେମାନେ କଳ୍ପନାରେ ବି ଭାବି ନଥିଲେ ।

ତେବେ ପ୍ରଶ୍ନ ହେଉଛି- ଏତେ ନକଲି ଔଷଧ ଓଡ଼ିଶାରେ କଣ ଥରୁଟିଏ ଜବତ ହେଲା ନା ଅଚାନକ ଭାବେ ଏମିତି ଘଟିଗଲା । ଉତ୍ତର- ଜମାରୁ ସେମିତି ନୁହେଁ । ଏହା ସୁଚିନ୍ତିତ ର‌୍ୟାକେଟ୍‍ ହୋଇଥିବ । ଏଥିରେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିବେ । ଜିଲ୍ଲାରେ ଯେଉଁ ଡ୍ରଗ୍ସ ଇନିସପେକ୍ଟରମାନେ ରହୁଛନ୍ତି, ତାଙ୍କୁ କେବେ କୋଉ ସାଧାରଣ ଲୋକେ ଦେଖି ପାରନ୍ତି କି? ସାଧାରଣ ଲୋକେ ଦେଖିଲେ ସିନା ଅଭିଯୋଗ କରିବେ । ତାଙ୍କର ଔଷଧ ଦୋକାନୀ ସହ କାରବାର । ଯେମିତି ଜଙ୍ଗଲ ବିଭାଗରେ ଯିଏ ଭିଜିଲାନ୍ସ ହାତରେ ଧରା ପଡ଼ୁଛନ୍ତି, ତେଣିକି ସେ ପାଠକ ବାବୁ ହୁଅନ୍ତୁ କି କୌଣସି ଡିଏଫ୍‍ଓ ହୁଅନ୍ତୁ କି ରେଞ୍ଜର, ଫରେଷ୍ଟର ହୁଅନ୍ତୁ- ସମସ୍ତେ କୋଟିପତି । ସେମିତି ସ୍ୱାସ୍ଥ୍ୟ ବିଭାଗରେ ଏଯାକେ ସେମିତି ଧରପଗଡ଼ ହୋଇନି । ହୋଇଥିଲେ- ଆଉରି କେତେ ଗୁଣରେ ଅଧିକ କୋଟିପତି ଧରା ପଡ଼ନ୍ତେ ।

ଡ୍ରଗ୍ସ ଇନିସପେକ୍ଟରଙ୍କ କଥା ଲେଖିବା ଦରକାର ନାହିଁ । ଗୋଟେ ଉଦାହରଣ ଦେଉଛି- କେଇ ମାସ ତଳେ, ଜଣେ ଡାକ୍ତରଙ୍କ ପାଖରୁ ସାଇବର ଠକେଇ ହେଲା । ପାଖାପାଖି ୮୭ ଲକ୍ଷ ଟଙ୍କା ସାଇବର ଠକ ଲୁଟି ନେଲା । ତାହା ତ ଦୁଃଖଦ ଘଟଣା । କିନ୍ତୁ, ସଂପୃକ୍ତ ଡାକ୍ତରଙ୍କ ପାଖରେ ଏତେ ଟଙ୍କା କୋଉଠୁ ଆସିଲା? କୋଟିଏ ପାଖାପାଖି ଟଙ୍କା କେବଳ ଅନଲାଇନ୍‍ ଆକାଉଣ୍ଟରେ ଥିଲା । ବାହାରେ ହୁଏତ ସେମିତି କିଛି ଥିବ !

ଯେବେ ବି କିଛି ଡାକ୍ତରଙ୍କ ପାଖକୁ ଯିବେ, ସେଠି ମେଡ଼ିସିନ ରିପ୍ରେଜେଣ୍ଟେଟିଭଙ୍କ ଧାଡ଼ି ଲାଗିଥିବ । ଡାକ୍ତର ବାବୁ ବି ତାଙ୍କ ସହ ବେଶ ଭଲ ଭାବେ କଥା ହେଉଥିବେ । ଔଷଧ ତ ତିଆରି ହେଲା, ଯାହା ଦରକାର ବିକ୍ରି ହେବ । ତାହାର ପ୍ରମୋସନାଲ ସେଲ୍‍ କଣ ଯେ ? ପ୍ରମୋସନାଲ୍‍ ସେଲ୍‍ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ? ସେ ପଇସା କିଏ ଭରୁଛି? ନିଶ୍ଚିତ ଭାବେ ସେଇ ଲୋକ, ଯିଏ ଔଷଧ କିଣୁଛି । ହୁଏତ କିଛି ଡାକ୍ତର ଥିବେ, ଯେଉଁମାନେ ଏ ଅଭ୍ୟାସରୁ ଦୂରରେ ଥିବେ । କିନ୍ତୁ ସାଧାରଣରେ ତ ଲୋକଙ୍କ ଧାରଣା ଏମିତି କିଛି ।

ଏକଥା ବି ସ୍ପଷ୍ଟ ଭାବେ କହି ଦେଉଛି । ଅନେକ ଭଲ ଡାକ୍ତର ଅଛନ୍ତି । ବହୁତ ଭଲ । ଯେଉଁମାନେ ପ୍ରାଣପଣେ ଉଦ୍ୟମ କରି ରୋଗୀର ଜୀବନ ବଞ୍ଚେଇ ଦିଅନ୍ତି । ସେଇଲାଗି ତ ସେମାନେ ଦ୍ୱିତୀୟ ଇଶ୍ୱର । କିନ୍ତୁ ପଚା ଆଳୁ ଗୋଟିଏ ରହିଲେ, ତାହା ସମୁଦାୟ ବସ୍ତା ଆଳୁକୁ ନଷ୍ଟ କରିଦେବାକୁ ଯଥେଷ୍ଟ ।

କିଛି ଡାକ୍ତରଙ୍କ ପାଖକୁ ଗଲେ, ଔଷଧ ଏଇ ଦୋକାନରୁ କିଣିବ,ଏଇ ଲାବରେ ଟେଷ୍ଟ କରିବ ବୋଲି କହି ଭିଜିଟିଂ କାର୍ଡ଼ ଦେଇ ଦିଆଯାଉଛି । କଣ ପାଇଁ? ସେମାନେ ସମସ୍ତେ ତ ତାଙ୍କର ଭାଇବନ୍ଧୁ ହୋଇ ନଥିବେ, କିଛି ନା କିଛି ଅଲଗା ସଂପର୍କ ହୁଏତ ଥିବ! ଯାହାକୁ କଣ ସ୍ୱାସ୍ଥ୍ୟ ବିଭାଗ ଜାଣିନି? ନା ସମସ୍ତେ ଆଖିବୁଜି ଦେଇଛନ୍ତି ?

କଟକ ବଡ଼ ଡାକ୍ତରଖାନାକୁ ଉଦାହରଣ ଭାବେ ନିଅନ୍ତୁ । ଏହା ଓଡ଼ିଶାର ସବୁଠାରୁ ବଡ଼ ଡାକ୍ତରଖାନା । ତାର ଚାରି ପାଖରେ ଛୋଟମୋଟ, କୁନି, ମେଞ୍ଚଡ଼ ହୋଇ ଶହ ଶହ ନର୍ସିଂ ହୋମ୍‍ ଚାଲିଛି । ଲୋକେ ତ କଟକ ଡାକ୍ତରଖାନାକୁ ଆସିଲେ । ସେସବୁ ନର୍ସିଂହୋମକୁ ଏତେ ରୋଗୀ କୁଆଡ଼ୁ ଯାଉଛନ୍ତି ? କେମିତି ସେସବୁ ଚାଲିଛି? ବଡ଼ ଡାକ୍ତରଖାନାରୁ ମଝିରେ ମଝିରେ ଦଲାଲ ଧରା ପଡ଼ନ୍ତି ବୋଲି ଖବର ଆସେ । ଦଲାଲ କିଏ କି? ବଡ଼ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କୁ ନେଇ ଘରୋଇ ନର୍ସିଂହୋମରେ ଭର୍ତ୍ତି କରନ୍ତି । ଏସବୁ ର‌୍ୟାକେଟ୍‍ ପଛରେ କିଏ ଅଛି? ଦଲାଲ ତ ପଇସା ନେଇ ରୋଗୀ ସ୍ଥାନାନ୍ତରଣ କରୁଥିବ । ମାଷ୍ଟର ମାଇଣ୍ଡକୁ କେବେ ପୁଲିସ ଖୋଜିଛି କି? ନା ସେମିତି କେବେ କେହି ଧରା ପଡ଼ିଛନ୍ତି!

ଓଡ଼ିଶାରେ ଔଷଧ ଦୋକାନୀଙ୍କ ବଡ଼ ସଂଘ ଅଛି । ଯିଏ ଔଷଧ ବିକିବ, ସିଏ ତାଙ୍କଠାରୁ ଅନୁମତି ଆଣିବା ଦରକାର । ଅନେକ ଥର ସେମାନେ କିଛି ପ୍ରସଙ୍ଗକୁ ନେଇ ଧର୍ମଘଟ କରିଛନ୍ତି । ନକଲି ଔଷଧ ପ୍ରସଙ୍ଗରେ ସେମାନେ କିଛି କହିଲେଣି କି? ଯେଉଁମାନେ ଡାକ୍ତରଖାନାକୁ ଔଷଧ ସପ୍ଲାଇ କରୁଛନ୍ତି, ତାଙ୍କ ଉପରେ ଏକଦମ କଡ଼ା ନଜର ରଖାଯିବା ଦରକାର । କୋଉଠୁ ସେମାନେ ଔଷଧ ଆଣୁଛନ୍ତି, ତାର ମାନ କଣ, ତାର ପରୀକ୍ଷା କୋଉଠି ହେଉଛି? ଏଥିପାଇଁ ବିଧିବଦ୍ଧ ବ୍ୟବସ୍ଥା ରହିବା ଦରକାର ।

ଖାଲି ତଦନ୍ତ ହେବ, ଅମୁକ ହେବ, ଧମୁକ ହେବ- କହିଲେ ଆଦୌ ଚଳିବ ନାହିଁ । ମନ୍ତ୍ରୀ ମନ୍ତବ୍ୟ ଦେଇ ନିଜର ଉତ୍ତରଦାୟିତ୍ୱ ଖସାଇ ଦେଇ ପାରିବେ ନାହିଁ । ଲୋକଙ୍କ ଜୀବନ ସହ ଏହା ସିଧାସଳଖ ଜଡ଼ିତ । ମହାମାରୀ ସମୟରେ ମହାମାରୀର ନକଲି ଔଷଧ ବିକ୍ରି ହେଉଛି । ତାହା କୋଉ ଜିଲ୍ଲାକୁ, କୋଉ ସହରକୁ ପୁଣି ଯାଇ ସାରିଥିବ ହୁଏତ! ମୁଖ୍ୟମନ୍ତ୍ରୀ ମହୋଦୟ ନକଲି ଔଷଧ ବିକ୍ରିର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅଶେଷ ଧନ୍ୟବାଦ । କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୀଘ୍ର ଆରମ୍ଭ ହେଉ । ଏବେଠାରୁ, ଏଇନେ ଆରମ୍ଭ ହେଉ । ଏବେଠାରୁ ପୁରା ବ୍ୟବସ୍ଥାର ସଫେଇ ଆରମ୍ଭ ହେଉ । ନ ହେଲେ ଏହା ଯେତେ ବ୍ୟାପକ ଓ ଯେତେ ବଡ଼ ର‌୍ୟାକେଟ୍‍ ହେଲାଣି, ତାକୁ ଆଉ ରୋକି ହେବ ନାହିଁ । ରୋକିବେ କେମିତି? ଏଥିରେ ତଳୁ ଉପର ଯାଏ- ଅନେକ ସାମିଲ ଯେ !

Leave A Reply

Your email address will not be published.