Latest Odisha News

ଶବ ସାପକୁ ଜଗିରହିଥିବା ସାପର ସମ୍ପର୍କ କ’ଣ?

କୋରାପୁଟ: ଶୀତୁଆ ରାତିର ରାଜୁତି । କିଟମିଟ୍ ଅନ୍ଧାର, ଖାଁ ଖାଁ ରାସ୍ତା । ଶୀତକୁ ଖାତିର ନକରି ରାସ୍ତା ଉପରେ ସାଥୀକୁ ଜଗିଛି ସାଥୀଟିଏ । ରାସ୍ତା ପାରିବେଳେ କେଉଁ ଏକ ଅମଣିଷ, ଗାଡ଼ି ମଡେଇ ଚାଲିଗଲା । ସେଇ ରାସ୍ତା ଉପରେ ହିଁ ସାପଟିର ଜୀବନ ଚାଲିଗଲା । କଳା ମଚମଚ ରାସ୍ତା ଉପରେ ପଡ଼ିଥିଲା ଲାଲ୍ ରକ୍ତର ଛିଟା ।

ଆଜିକାଲିର ସ୍ୱାର୍ଥପର ମଣଷ ଯେଉଁଠି ମଣିଷକୁ ଛାଡ଼ି ପଳାଉଛି, ସେତିକି ବେଳେ ମଲା ସାପଟିର ପାଖ କିନ୍ତୁ ଛାଡ଼ିନଥିଲା ଅନ୍ୟ ସାପ । କୋରାପୁଟ୍ ଛକ ନିକଟରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ୱଳ କରିଛି । ଏହି ଦୃଶ୍ୟ ଦେଖି ପ୍ରାୟ ଏକ ଘଣ୍ଟା କାଳ ଅଟକି ଯାଇଥିଲେ ଲୋକେ ।

ଏପରି ସମୟରେ ପଶୁପକ୍ଷୀମାନେ ଅନେକ ସମୟରେ ଏହି ସମାଜକୁ ଆଦର୍ଶ ବିଷୟ ଶିକ୍ଷା ଦେଉଛନ୍ତି । କିଛି ଦିନ ତଳେ ମା’ କୁକୁରଟି ନିଜ ଛୁଆକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ଚିତ୍ର ସାମ୍ନାକୁ ଆସିଥିଲା ।

ସାପମାନେ ଯଦି ପାଟିଖୋଲି ପାରୁଥାନ୍ତେ ହୁଏତ କହି ପାରିଥାନ୍ତେ ଶବ ସାଜିଥିବା ସାପର ସମ୍ପର୍କ କଣ? ମୃତ ସାପ ସାଥୀ ସାପର କଣ ହେବ? କିନ୍ତୁ ବିନା ସମ୍ପର୍କର କଥା କହୁଥିବା ଏ ଦୃଶ୍ୟ, ଏ ଚିତ୍ର ସ୍ୱାର୍ଥପର ସମାଜକୁ ସମ୍ପର୍କର ଶିକ୍ଷା ଦେଉଛି ।

Comments are closed, but trackbacks and pingbacks are open.