Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ବର : ଆସନ୍ତାକାଲିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ଏଥିପାଇଁ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି କସରତ । ଦଳୀୟ ଚିହ୍ନରେ ନିର୍ବାଚନ ହେବାକୁ ଥିବା ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ପ୍ରାର୍ଥୀ ଚୟନ ପାଇଁ ସବୁ ଦଳରେ ଚାଲିଛି ଜୋରଦାର କସରତ । ୨୧ ତାରିଖରେ ନାମାଙ୍କନ ପ୍ରକ୍ରିୟା ସରିବା ପରେ ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଭୋଟଗଣତି ସମାପ୍ତ ସହ ଫେବ୍ରୁଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୩ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଯଦି ଏଥିରେ କୌଣସି ଭୁଲ ତଥ୍ୟ ଥାଏ, ତେବେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଫେବ୍ରୁଆରୀ ୧୬ ତାରିଖରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନର ୧୬୬୯ଟି ଗ୍ରାମପଞ୍ଚାୟତରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ । ଏଥିପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ ଓ ମୋଟ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଫେବ୍ରୁଆରୀ ୧୮ରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନର ୧୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ । ମୋଟ ୨୦୪୩୬ଟି ବୁଥରେ ପ୍ରାୟ ୬୨.୧୦ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

ଫେବ୍ରୁଆରୀ ୨୦ରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନର ୧୩୪୨ଟି ପଞ୍ଚାୟତରେ ନିର୍ବାଚନ ହେବ । ମୋଟ ୧୮୪୯୫ଟି ବୁଥରେ ୫୬.୫୩ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଫେବ୍ରୁଆରୀ ୨୨ରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନର ୧୨୫୪ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ । ଏଥିପାଇଁ ୧୭୮୧୯ଟି ବୁଥରେ ୫୧.୫୩ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେହିପରି ଫେବ୍ରୁଆରୀ ୨୪ ବା ଶେଷ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନର ୯୭୫ଟି ପଞ୍ଚାୟତରେ ଭୋଟଗ୍ରହଣ ହେବ ।

 

 

Comments are closed, but trackbacks and pingbacks are open.