ଶ୍ରେଣୀ ଗୃହରେ ମେଞ୍ଚା ମେଞ୍ଚା ସାପ ମିଳିବା ଘଟଣା, ଇନଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚେଷ୍ଟାରେ ଭାଙ୍ଗାହେଲା ପ୍ଲାଇଉଡ ତିଆରି କପ୍ ବୋର୍ଡ
ଯାଜପୁର: ବରୀ ଅନ୍ତର୍ଗତ ରତ୍ନଗିରି ଉଚ୍ଚ ବିଦ୍ୟାଳୟର ଇ-ଲାଇବ୍ରେରୀ ଏବଂ କମ୍ପ୍ୟୁଟର ରୁମ୍ ଭିତରୁ ଗତ କିଛି ଦିନ ତଳେ ଅନେକ ସାପ ଛୁଆ ଏବଂ ଅଣ୍ଡା ଉଦ୍ଧାର ହୋଇଥିଲା। ଏଇ ଘଟଣା ପରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଗତ ଶନିବାର ୧୮ ତାରିଖ ଦିନ ଆସି ଜବରଦସ୍ତି ନିଜ ନିଜର ପିଲା ମାନଙ୍କୁ ଘରକୁ ଫେରେଇ ନେଇ ଯାଇଥଲେ। ସ୍କୁଲ୍ ପାଠ ଅପେକ୍ଷା ନିଜ ପିଲା ମାନଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ କହି ସ୍କୁଲ ପରିସରରେ ଅଭିଭାବକ ମାନେ କିଛି ସମୟ ପାଇଁ ହୋ ହାଲା ମଧ୍ୟ କରିଥିଲେ।
ଯେଉଁ ପ୍ଲାଇଉଡ ତିଆରି କପ୍ ବୋର୍ଡ ଭିତରୁ ସାପ ଅଣ୍ଡା ଏବଂ ଛୁଆ ବାହାରିଥିଲା, ସେଗୁଡିକ ଭାଙ୍ଗି ସ୍କୁଲ୍ ପରିସର ସଫା କରିବା ପରେ ହିଁ ନିଜ ପିଲାମାନଙ୍କୁ ସ୍କୁଲ୍ ଛାଡ଼ିବେ ବୋଲି ଅଭିଭାବକ ମାନେ ଅଡ଼ି ବସିଥିଲେ। ତେଣେ, ସ୍କୁଲରେ ନା ଅଛି ସ୍କୁଲ୍ କମିଟି, ନା ଅଛନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ। ଇନ୍ ଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ସିଲିସ୍ବପ୍ନା ମହାନ୍ତି ସାପ ଅଣ୍ଡା ଏବଂ ଛୁଆ ବାହାରିବା ପରେ ସେଇ ଟେବୁଲ୍, କପ୍ ବୋର୍ଡ ହଟେଇବା ପାଇଁ ନିଜର ସବୁ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖି କୌଣସି ଉତ୍ତର ନପାଇ ଧୈର୍ଯ୍ୟ ହରାହୋଇ ପଡ଼ିଥିଲେ। ସ୍କୁଲରେ ଏପରି ସାପ ବାହାରିବା ଏବଂ ଅନ୍ୟପଟେ ଅଭିଭାବକ ମାନଙ୍କ ଅସନ୍ତୋଷ, ୟା ଭିତରେ ଇନ୍ ଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ୫-ଟି କାମରେ ହୋଇଥିବା ଟେବୁଲ୍ ଏବଂ କପ୍ ବୋର୍ଡ ଭାଙ୍ଗିବା ପାଇଁ ସାହସ ଜୁଟାଇ ପାରୁନଥିଲେ ।
ତେବେ, ଏହି ଖବର ବିଷୟରେ ଜାଣି ଆଜି ଭୁବନେଶ୍ୱରରୁ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଦନ୍ତ କରିବା ପାଇଁ ରତ୍ନଗିରି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ। ଶୁଭେନ୍ଦୁଙ୍କ ସହିତ ସ୍ଥାନୀୟ ସ୍ନେକ୍ ହେଲ୍ପ ଲାଇନ ସଦୟ ପ୍ରଦୋଷ କୁମାର ଜେନା ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ। ସେଇ ରୁମ୍ ରୁ ସାପ ଏବଂ ଅଣ୍ଡା ଉଦ୍ଧାର କରିଥିବା ସ୍ଥାନୀୟ ସାପ ଧରାଳି ମାନସ ସାହୁଙ୍କୁ ଡକେଇ ଥିଲେ ଶୁଭେନ୍ଦୁ ।
ଆଜି ସ୍କୁଲରେ ପ୍ରାୟ ସାଢେ଼ ଦଶଟା ବେଳେ ପହଞ୍ଚିବା ବେଳକୁ ସ୍କୁଲ ରେ ପ୍ରାୟ ୨୦ ଜଣରୁ ଉର୍ଦ୍ଧ୍ୱ ଅଭିଭାବକ ଏକତ୍ରିତ ହୋଇ ନିଜର ଅସନ୍ତୋଷ ଜାହିର କରିବା ସହିତ, ସାପ ଭୟ ହେତୁ ସ୍କୁଲ ରେ ପିଲାଙ୍କ ଉପସ୍ଥାନ ମଧ୍ୟ ଏକ ତୃତୀୟାଂଶ ରୁ କମ ଥିବା ଜଣା ପଡିଥିଲା ।
ଶୁଭେନ୍ଦୁ ସେଇ କମ୍ପ୍ୟୁଟର ଟେବୁଲ୍ ଏବଂ କପ୍ ବୋର୍ଡ ଦେଖିବା ବେଳକୁ ସେଥିରେ ବ୍ୟାପକ ଉଇ ଲାଗି ସବୁ ନଷ୍ଟ ହେବା ଦେଖିବାକୁ ପାଇଥିଲେ । କିନ୍ତୁ ସେଇ ପ୍ଲାଇଇଡ ପଟା ଖୋଲିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେବା ଦେଖି, ଶୁଭେନ୍ଦୁ ନିଜେ ସ୍ଥାନୀୟ ବିଡ଼ିଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ କଥା ହୋଇ ଭାଙ୍ଗିବା ବଦଳରେ ସେହି ପ୍ଲାଇ ଉଡ଼ ପଟା ଗୁଡ଼ିକ ଖୋଲି ସେଇ ରୁମରେ ଆଉ କିଛି ସାପ ଅଛନ୍ତି କି ନାହାନ୍ତି ତାହା ଖୋଜିବା ପାଇଁ ଅନୁମତି ଆଣିଥିଲେ ।
ଶୁଭେନ୍ଦୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ କଥା ହେଲା ବେଳକୁ ଗ୍ରାମ ବାସୀ ମାନେ ହାତରେ ଭିଡ଼ି କମ୍ପ୍ୟୁଟର ଟେବୁଲ୍ ଏବଂ କପ୍ ବୋର୍ଡ କୁ କାନ୍ଥ ଦେହରୁ ଦୁଇ ଫୁଟ ଲେଖାଏଁ ବାହାରକୁ ଘୁଞ୍ଚେଇ ଆଣି ସାରିଥିଲେ। ଶୁଭେନ୍ଦୁ ସେଇ ପଟା ଗୁଡ଼ିକ ଭଲ ଭାବରେ ଦେଖିଲେ ମଧ୍ୟ ଆଉ କୌଣସି ସାପ ବା ଅଣ୍ଡା ମିଳି ନଥିଲା ।
ଏହା ପରେ ସ୍କୁଲ୍ ପରିସରରେ କାହାକୁ ସାପ କାମୁଡ଼ିଲେ ପ୍ରାଥମିକ ଚିକିତ୍ସାରେ କଣ କରିବା ଉଚିତ୍ ଏବଂ କଣ କରିବା ଅନୁଚିତ୍ ସେନେଇ ଏକ ମକ୍ ଡ୍ରିଲ୍ କରିବା ପାଇଁ ଗୋଟିଏ ପିରିୟଡ଼ ସମୟ ମାଗିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଖୁସିରେ ସହମତି ଦେଇ ଅବିଳମ୍ବେ ସବୁ ପିଲା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଖେଳ ପଡ଼ିଆରେ ଏକାଠି କରେଇ ଥିଲେ । ଅଭିନୟ ମାଧ୍ୟମରେ ବାସ୍ତବ ଦୁର୍ଘଟଣା ହେଲେ ସାପ କାମୁଡ଼ାରେ ପୀଡ଼ିତଙ୍କୁ କିପରି ପ୍ରାଥମିକ ଚିକିତ୍ସା କରାଯିବ ସେନେଇ ସ୍କୁଲ ପିଲାମାନେ ମକ୍ ଡ୍ରିଲ୍ ଜରିଆରେ ଅଭ୍ୟାସ କରିଥିଲେ ।
ସ୍କୁଲର ଇନ୍ ଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀ ସିଲିସ୍ବପ୍ନା ମହାନ୍ତି ଏନେଇ କହିଛନ୍ତି “ସାପ ଅଣ୍ଡା ଏବଂ ଛୁଆ ବାହାରିବା ପରେ ଆମେ ମଧ୍ୟ ଭୟଭୀତ ହୋଇ ପଡିଥିଲୁ । ମୁଁ ସବୁ ଅଧିକାରୀ ମାନଙ୍କୁ ଚିଠି ଲେଖି ହତାଶ ହୋଇ ପଡ଼ିଥିଲି । ତେବେ ଆଜି ସ୍ନେକ ହେଲ୍ପ ଲାଇନ ଟିମ୍ ଆସି ଆମକୁ ସାହାସ ଦେବା ସହିତ, ଆମ ପିଲାଙ୍କୁ ସାପ କାମୁଡ଼ା ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ମକ୍ ଡ୍ରିଲ୍ କରିବା ଦ୍ୱାରା ସେମାନେ ଆବଶ୍ୟକ ସ୍ଥଳେ ଉଚିତ୍ ପଦକ୍ଷେପ ନେଇ ପାରିବେ ବୋଲି ଆଶା।”
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ସାପ ବାହାରିଲେ ସ୍କୁଲ୍ ବନ୍ଦ ହେବା ଆଦୌ ସମିଚୀନ ନୁହେଁ । ଯେଉଁ ସାପ ଅଣ୍ଡା ଏବଂ ସାପ ଛୁଆ ସବୁ ବାହାରିଥିଲେ ସେଗୁଡିକ ସବୁ ବିଷ ହୀନ କଉଡ଼ିଆ ସାପ ବା Common wolf snake ହୋଇଥିବାରୁ କାହା ଜୀବନ ପ୍ରତି କିଛି ଭୟ ଆଦୌ ନଥିଲା।”
Comments are closed.