Latest Odisha News

BREAKING NEWS

ସୋଆରେ ଆୟୋଜିତ ହେବ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ

ଭୁବନେଶ୍ୱର : ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (ଏନସିଏସସି) ପକ୍ଷରୁ ପ୍ରତି ବର୍ଷ ଶିଶୁମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭରସିଟି)ରେ ଆସନ୍ତା ଡିସେମ୍ବର ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।

ଏଥିସହିତ ୧୦ରୁ ୧୭ ବର୍ଷ ବୟସର ୮୦୦ ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ କଂଗ୍ରେସରେ ଯୋଗ ଦେବେ । ନ୍ୟାସନାଲ କାଉନସିଲ ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କମ୍ୟୁନିକେସନ (ଏନସିଏସସି) ର ସହଯୋଗରେ ଆୟୋଜିତ ହେଉଥିବା ଏହି ବିଜ୍ଞାନ କଂଗ୍ରେସରେ ସ୍କୁଲ ପାଠ ପଢୁ ଥିବା ପିଲାଙ୍କ ସମେତ କିଛି ଭିନ୍ନକ୍ଷମ ଏବଂ ସ୍କୁଲ ଯାଉ ନଥିବା ଶିଶୁମାନେ ମଧ୍ୟ ସାମିଲ୍ ହେବେ ।

ଦେଶର ଜନସାଧାରଣଙ୍କ ପାଖରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ପହଞ୍ଚାଇବାର ଦାୟିତ୍ୱ ନେଇଥିବା ଏନସିଏସସି ଶିଶୁ ବିଜ୍ଞାନ କଂଗ୍ରେସ ଭଳି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥାଏ । କେନ୍ଦ୍ର ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ (ଡିଏସଟି) ଦ୍ୱାରା ସମର୍ଥୀତ ଏହି କାର୍ଯ୍ୟକ୍ରମ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସଭାବେ ଆୟୋଜିତ କରାଯିବ ବୋଲି ସୋଆ କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ବୁଧବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହି ବିଜ୍ଞାନ କଂଗ୍ରେସରେ ବିଭିନ୍ନ ରାଜ୍ୟର ଶିଶୁମାନଙ୍କ ସମେତ ଆସିଆନ୍ ଏବଂ ଗଲ୍ଫ ଦେଶର ଶିଶୁମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି “”ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନୂତନ ପ୍ରବର୍ତନ” ।

୧୯୯୩ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । ବିଜ୍ଞାନ କଂଗ୍ରେସରେ ଭାଗ ନେଉଥିବା ଶିଶୁଙ୍କ ବ୍ୟତିତ ପ୍ରାୟ ୪୦୦ ଶିକ୍ଷକ, ଗାଇଡ୍, ଶିଶୁଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ଏବଂ ଅଭିଭାବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅନେକ ବିଶିଷ୍ଟ ବୈଜ୍ଞାନିକ, ଗବେଷକ ଏବଂ ମୂଲ୍ୟାଙ୍କନକାରୀ ମଧ୍ୟ ଏହି ବିଜ୍ଞାନ କଂଗ୍ରେସରେ ସାମିଲ ହେବେ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି ।

କଂଗ୍ରେସର ଉଦ୍ଘାଟନ ସୋଆର କ୍ୟାମ୍ପସ୍ ୨ରେ ଥିବା ୧୪୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମର ଆୟୋଜିତ କରାଯିବ । ଏହାଛଡା ଟେକନିକାଲ୍ ସେସନ ଗୁଡିକ ସହିତ ବିଭିନ୍ନ ପ୍ରଦର୍ଶନୀ ଏବଂ ଆଲୋଚନାଚକ୍ର କ୍ୟାମ୍ପସ୍ ୨ ରେ ଥିବା ଅନ୍ୟ ହଲଗୁଡ଼ିକରେ ଆୟୋଜିତ ହେବ ।

ଅନ୍ୟପକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀରେ ଏନ.ସି.ଏସ.ସି ଆୟୋଜନକାରୀ ନ୍ୟାସନାଲ ଏକାଡେମିକ୍ସ କମିଟିର ଚେୟାରମ୍ୟାନ ଡ. ଟି.ପି.ରଘୁନାଥ କମିଟିର ସଦସ୍ୟ ଡ. ଲଳିତ ଶର୍ମା, ୨୬ତମ ଏନ.ସି.ଏସ.ସିର ପ୍ରମୁଖ ସଂଯୋଜକ ଡ. ଅନୁରାଗ ଶତପଥି, ସୋଆ ନିର୍ଦ୍ଦେଶକ ଡ. ମାନସ କୁମାର ମଲ୍ଲିକ, ଡିନ ଗବେଷଣା ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଡିନ୍ (ଛାତ୍ର ମଙ୍ଗଳ) ଡ. ଜ୍ୟୋତିରଞ୍ଜନ ଦାସ ଉପସ୍ଥିତ ଥିଲେ ।

ଫୋକାଲ୍ ଥିମ୍ ଏବଂ ଆଇଡେଂଟିଫାଏଡ୍ ସବ ଥିମଗୁଡ଼ିକ ଉପରେ ଶିଶୁମାନେ ସେମାନଙ୍କର ଗବେଷଣା ପ୍ରସୂତ ରିପୋର୍ଟ ଏହି ଟେକନିକାଲ୍ ସେସନରେ ଉପସ୍ଥାପନ କରିବେ ବୋଲି ଡ. ଶର୍ମା କହିଥିଲେ । ସମାଜରେ ରହିଥିବା ସମସ୍ୟା ଗୁଡ଼କର କାରଣ କ’ଣ ଏବଂ ଏସବୁକୁ ବିଜ୍ଞାନ ଭିତିକ ଚିନ୍ତାଧାରା ଅନୁଯାୟୀ କିପରି ସମାଧାନ କରାଯିବ ସେ ଦିଗରେ ଶିଶୁମାନେ ଚିନ୍ତା କରି ନିଜର ପ୍ରୋଜେକ୍ଟ ପ୍ରସ୍ତୁତ କରିବେ । ଏଥିସହିତ ବିଭିନ୍ନ କାର୍ଯ୍ୟକୁ ସୁକ୍ଷ୍ମ ଭାବେ ପରଖିବା, ଉଚିତ୍ ପ୍ରଶ୍ନ ଉଠାଇବା, ପରିକଳ୍ପନା କରିବା, ମଡେଲ୍ ପ୍ରସ୍ତୁତ କରିବା, ବିଭିନ୍ନ ଫିଲ୍ଡ ୱାର୍କ, ଗବେଷଣା ଏବଂ ନୂଆ ଦିଗରେ ଚିନ୍ତା କରିବା ନେଇ ଶିଶୁମାନେ ଏହି ବିଜ୍ଞାନ କଂଗ୍ରେସ କାର୍ଯ୍ୟ କରିବେ । ନୂଆ ନୂଆ ଉଦ୍ଭାବନ କରିବା ନେଇ ଶିଶୁମାନଙ୍କୁ ପ୍ରୋତ୍ସାହନ କରାଇବା ଏହି ବିଜ୍ଞାନ କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ ।

ଶିଶୁ ବିଜ୍ଞାନ କଂଗ୍ରେସକୁ ପ୍ରଯୁକ୍ତି ଏବଂ ସାଂସ୍କୃତିକ କ୍ଷେତ୍ରରେ ନୂଆ ପରିଭାଷା ଦେବା ନିମନ୍ତେ ବିଭିନ୍ନ ରାଜ୍ୟ ଓ ଦେଶରୁ ଆସିଥିବା ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିବେ । ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆ (ଡିମଡ ଟୁ ବି ୟୁନିଭରସିଟି) ପାଇଁ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆୟୋଜନ କରିବା ଏକ ଗର୍ବର ବିଷୟ ।

କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହୋଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ପକ୍ଷରୁ ସୋଆ ୨୦୧୮ ମସିହାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ତାଲିକାରେ ୨୪ତମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.