Latest Odisha News

BREAKING NEWS

ଚୀନର ‘ସୋସିଆଲ କ୍ରେଡିଟ୍ ସିଷ୍ଟମ’ : ଟାର୍ଗେଟରେ ଜନସାଧାରଣ !

ଟିକିଏ ଭାବନ୍ତୁ, ଆପଣଙ୍କର ଦିଲ୍ଲୀରୁ ମୁମ୍ବାଇ ଏରୋପ୍ଲେନରେ ଯିବାର ଅଛି; କିନ୍ତୁ ଚେକ-ଇନ ସମୟରେ ଆପଣ ପ୍ଲେନରେ ଯାଇ ପାରିବେ ନାହିଁ ବୋଲି ଅଧିକାରୀମାନେ କହିବେ । କାରଣ ପଚାରିଲେ ଜାଣିବାକୁ ପାଇବେ ଯେ, ଏୟାରପୋର୍ଟ ଆସିବା ସମୟରେ ଟ୍ରାଫିକ ସିଗନାଲ ଭାଙ୍ଗି ଆସିଥିବାରୁ କିମ୍ବା ଗତ ସପ୍ତାହରେ ସୋସିଆଲ ମିଡିଆରେ ଆପଣ ଦେଶ ବିରୁଦ୍ଧରେ କିଛି ନକାରାତ୍ମକ ପୋଷ୍ଟ ସେୟାର କରିଥିବା କାରଣରୁ ଆପଣଙ୍କଠାରୁ ସମସ୍ତ ସୁବିଧା ଛଡେଇ ନିଆଯାଇଛି ।

ଏହା ଶୁଣିବାପରେ ଆପଣ ଭାବୁଥିବେ ଆମେ ଆପଣଙ୍କୁ କୌଣସି ସିନେମାର କାହାଣୀ କହୁଛୁ । ଫିଲ୍ମର କାହାଣୀ ଭଳି ଲାଗୁଥିବା ଏହି କଥା ଚୀନରେ ବାସ୍ତବ ରୂପ ନେଇ ସାରିଛି । ଯାହାର ନାମ ରଖା ଯାଇଛି ‘ସୋସିଆଲ କ୍ରେଡିଟ ସିଷ୍ଟମ’ । ଏହି ସିଷ୍ଟମ ଜରିଆରେ ଚୀନ ସରକାର ଏପରି ଲୋକମାନଙ୍କୁ ଚିହ୍ନଟ କରିବ, ଯାହାଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ ନାହିଁ । ଏଭଳି ଲୋକଙ୍କ ସମସ୍ତ ମୌଳିକ ସୁବିଧା ମଧ୍ୟ ଚୀନ ସରକାର ସେମାନଙ୍କଠାରୁ ଛଡେଇ ଆଣିବେ ।

କଣ ଏହି ‘ସୋସିଆଲ କ୍ରେଡିଟ ସିଷ୍ଟମ’? କିପରି ଏହା ଚୀନରେ କାମ କରିବ? ଆସନ୍ତୁ ଜାଣିବା:

୨୦୧୪ ମସିହାରୁ ଚୀନ ସରକାର ଏହି ‘ସୋସିଆଲ କ୍ରେଡିଟ ସିଷ୍ଟମ’ ଲାଗୁ କରିବାର ଘୋଷଣା ହୋଇଥିଲେ ମଧ୍ୟ ଏଯାଏଁ ଏହା ଲାଗୁ ହୋଇ ନାହିଁ । ତେବେ ୨୦୨୦ ସୁଦ୍ଧା ଏହା ସମ୍ପୂର୍ଣ୍ଣ ରୂପେ ଚୀନରେ ଲାଗୁହୋଇଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହି ସିଷ୍ଟମ କେବଳ ଚୀନର ସୁଜୋ ସହରରେ ଲାଗୁ ହୋଇଛି । ଏହି ସହରବାସିନ୍ଦାଙ୍କ ‘ସୋସିଆଲ କ୍ରେଡିଟ୍ ସ୍କୋର’ ଶୂନ୍ୟ (୦)ରୁ ଆରମ୍ଭ ହୋଇ ୨୦୦ ଭିତରେ ମପାଯାଉଛି । ପ୍ରଥମରୁ ସେମାନଙ୍କୁ ୧୦୦ ପଏଣ୍ଟ ଦିଆଯାଇଥାଏ, ଯାହାକୁ ସେମାନଙ୍କର ସୋସିଆଲ ଆକାଉଣ୍ଟ କିମ୍ବା ‘ଆଇଡି’ରେ ଯୋଡି ଦିଆ ଯାଇଥାଏ ।

ସାମାଜିକ ସଂସ୍ଥାଗୁଡିକୁ ଚାନ୍ଦା ଦେବା, ଅଳିଆ ଆବର୍ଜନାକୁ ରିସାଇକେଲ କରାଇବା, ରକ୍ତଦାନ କରିବା ଏବଂ ଚାଇନାରୁ ଉତ୍ପାଦନ ହେଉଥିବା ଜିନିଷ କିଣିବା ଭଳି ଭଲ କାମ କଲେ ସେମାନଙ୍କ କ୍ରେଡିଟ୍ ସ୍କୋର ବଢିଯାଇଥାଏ । କିନ୍ତୁ ଯଦି ସେମାନେ ଟ୍ରାଫିକ ସିଗନାଲ ଭାଙ୍ଗିବା, ଟ୍ୟାକ୍ସ ନଭରିବା, ସରକାର କିମ୍ବା ଦେଶ ବିରୁଦ୍ଧରେ ସୋସିଆଲ ମିଡିଆରେ ନକାରାତ୍ମକ ପ୍ରତିକ୍ରିୟା ଦେବା, ଧୂମ୍ରପାନ ନିଷେଧ ସ୍ଥାନରେ ସିଗାରେଟ ଟାଣିବା, କିମ୍ବା ସୋସିଆଲ କ୍ରେଡିଟ୍ ସ୍କୋର କମ୍ ଥିବା ଲୋକଙ୍କୁ ସାଙ୍ଗ ବନେଇବା ଆଦି କରନ୍ତି, ସେମାନଙ୍କ କ୍ରେଡିଟ୍ ସ୍କୋର କମି ଯାଇଥାଏ ।

କ୍ରେଡିଟ୍ ସ୍କୋର ଭଲ ରହୁଥିବା ଲୋକଙ୍କୁ ଏହାର ଫାଇଦା ମଧ୍ୟ ମିଳିଥାଏ । ଜିମରେ ମାଗଣା ମେମ୍ବରସିପ, ରେଳ ଓ ଉଡ଼ାଜାହାଜ ଯାତ୍ରାରେ ରିହାତି, କମ୍ ସୁଧରେ ଲୋନ, ବିନା ଧାଡିରେ ଆସି ହସ୍ପିଟାଲରେ ଚିକିତ୍ସା କରାଇବାର ସୁବିଧା ସେମାନେ ପାଇଥାନ୍ତି । ଖାଲି ସେତିକି ନୁହେଁ, ଚୀନର ଅନଲାଇନ ଡେଟିଙ୍ଗ ସାଇଟ ମଧ୍ୟ ସେହି ଲୋକଙ୍କୁ ଅଧିକ ପ୍ରମୋଟ କରିଥାଏ, ଯେଉଁମାନଙ୍କର ଭଲ କ୍ରେଡିଟ୍ ସ୍କୋର ଥାଏ ।

କିନ୍ତୁ ଯାହାର ସୋସିଆଲ କ୍ରେଡିଟ୍ ସ୍କୋର ଖାରପ ରହିବ ତାହାର କ୍ଷତି ବି ତାକୁ ହିଁ ଉଠେଇବାକୁ ପଡିବ । ଯେମିତିକି ବିମାନ ଯାତ୍ରା କରିନପାରିବା, ହାଇସ୍ପୀଡ଼ ଇଣ୍ଟରନେଟ ନମିଳିବା, କୌଣସି ପ୍ରକାରର ବ୍ୟାଙ୍କ ଲୋନ ନମିଳିବା ଇତ୍ୟାଦି! ଖାଲି ଏତିକି ନୁହେଁ, ଯେଉଁ ମା ବାପାଙ୍କ ସୋସିଆଲ କ୍ରେଡିଟ୍ ସ୍କୋର ଭଲ ନଥିବ, ସେମାନଙ୍କ ପିଲାକୁ ଭଲ ସ୍କୁଲରେ ଆଡ଼ମିସନ ମଧ୍ୟ ମିଳିବନାହିଁ ।

ଏହି ସିଷ୍ଟମକୁ ଲାଗୁ କରିବା ପାଇଁ ଚୀନ ସରକାର ନିଜ ନାଗରିକମାନଙ୍କ ଇଣ୍ଟରନେଟ ଡାଟା ଆକ୍ସେସ୍ କରିବ । ତା ସହ ଚୀନ ସରକାରଙ୍କୁ ସାହାଯ୍ୟ କରିବ ୧୭୬ ମିଲିୟନ କ୍ୟାମେରାର ସରଭିଲାନ୍ସ ନେଟୱର୍କ ।

ରିପୋର୍ଟ ଅନୁସାରେ ‘ସୋସିଆଲ କ୍ରେଡିଟ ସିଷ୍ଟମ’ ଯୋଗୁଁ ଏଯାଏଁ ପାଖାପାଖି ୯୦ ଲକ୍ଷ ଲୋକଙ୍କୁ ବିମାନ ଯାତ୍ରାରୁ ଏବଂ ପାଖାପାଖି ୩୦ ଲକ୍ଷ ଲୋକଙ୍କୁ ଟ୍ରେନ ଯାତ୍ରାରୁ ବ୍ୟାନ କରିଦିଆଯାଇଛି।

ଅନ୍ୟ ପକ୍ଷରେ ଏହି ସିଷ୍ଟମକୁ ସମାଲୋଚନା କରିବା ଲୋକ ବି କମ୍ ନାହାନ୍ତି । ଚୀନର ଏକ ସାମ୍ବାଦିକଙ୍କ କହିବା ଅନୁଯାୟୀ ତାଙ୍କ ସୋସିଆଲ କ୍ରେଡିଟ୍ ସ୍କୋର କେବଳ ଏଇଥିପାଇଁ କମ୍ କରିଦିଆଗଲା ଯେ ସେ ସରକାରଙ୍କ ଭୁଲ ନୀତି ବିରୋଧରେ ଖବରକାଗଜରେ କିଛି ଛାପି ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ସେଠାକାର ଅଦାଲତ ସରକାରଙ୍କୁ କ୍ଷମା ମାଗିବାକୁ କହିଥିଲେ ।

କିନ୍ତୁ କ୍ଷମା ମାଗିବା ପରେ ମଧ୍ୟ ସରକାର ତାଙ୍କୁ ଅବିଶ୍ବସନୀୟ ଲୋକଙ୍କ ତାଲିକା ଅନ୍ତର୍ଭୁକ୍ତ କରାଇଦେଇଥିଲା । ଯେଉଁଥିପାଇଁ ନା ସିଏ ବିମାନ ଯାତ୍ରା କରିପାରୁଛନ୍ତି, ନା ଘର କିଣିବାକୁ ଲୋନ ନେଇ ପାରୁଛନ୍ତି ! ତାଙ୍କ ପିଲାଙ୍କୁ ମଧ୍ୟ ଘରୋଇ ବିଦ୍ୟାଳୟଗୁଡିକରେ ଆଡ଼ମିସନ ଦେବାକୁ ମନାକରି ଦିଆଯାଇଛି !

ଗୋଟିଏ ପଟେ ଚୀନର ଏହି ଅତ୍ୟାଧୁନିକ ସିଷ୍ଟମ ଦୁନିଆ ପାଇଁ ଉଦାହରଣ ପାଲଟିଥିବାବେଳେ ଅନ୍ୟପଟେ ଏହା ଚୀନ ସରକାରଙ୍କର ନିଜ ବିରୁଦ୍ଧରେ ଉଠୁଥିବା ସମସ୍ତ ସ୍ୱରକୁ ବନ୍ଦ କରେଇଦେବାର ଏକ ଅଗଣତାନ୍ତ୍ରିକ ଉପାୟ ବୋଲି ଚର୍ଚ୍ଚା ହେଉଛି !

Leave A Reply

Your email address will not be published.