Latest Odisha News

ମାଟି, କୃଷି ଓ ଚାଷୀ

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ 

ସାମ୍ପ୍ରତିକ ସମୟର ବାସ୍ତବ ଚିତ୍ରକୁ ଯଦି ଲକ୍ଷ୍ୟ କରାଯାଏ ଚାଷୀର ମନ କଥା ବୁଝିବାକୁ ଆଜି ଯାଏଁ ବି କେହି ସମର୍ଥ ନୁହନ୍ତି । ଏକ ନିରୀହ ଚାହାଁଣୀରେ ରେ ସେ ଅସୁମାରୀ ଲୋକଙ୍କ ମନରେ ଫୁଟାଇ ପାରେ ଅଫୁରନ୍ତ ହସ । ସେଇଥି ପାଇଁ ତ ସେ ମହାନ । ସରକାର ସବୁବେଳେ ଚାଷୀଙ୍କୁ ନିଜ ଫୋକସ୍‌ରେ ରଖିଥାନ୍ତି । ଏକଥା ସତ । କିନ୍ତୁ ସେସବୁ ଯେ ସତରେ କେତେଦୂର ଗ୍ରହଣୀୟ ସେକଥା କେବଳ ନିଜେ ଚାଷୀଟିଏ ହିଁ କହିପାରିବ ।

ତିନି ବର୍ଷ ତଳେ ଯେତେବେଳେ କୃଷି ସ୍ନାତକରେ ଚତୁର୍ଥ ବର୍ଷରେ ପଢ଼ୁଥିଲି , କୃଷି ପ୍ରଶିକ୍ଷଣ ଦେବା ପାଇଁ ଅନେକ ଗାଁକୁ ଯାଉଥିଲି । ମନରେ ତ ଭୟ ଥିଲା ନିଶ୍ଚୟ । ଚାରି ବର୍ଷର ପାଠପଢ଼ାକୁ ମୁଁ ସେମାନଙ୍କୁ କହିବାକୁ ଯାଉଛି , ହେଲେ ସେମାନେ ତ ତିରିଶ ବର୍ଷ ହେବ ସେଇ ମାଟି ସହ ଜଡ଼ିତ ହୋଇ ଅଛନ୍ତି । ସେଇଥି ଘର , ସେଇଠି ସ୍ୱର୍ଗ । ସେମାନଙ୍କୁ ବି ଆମେ କଣ ପ୍ରଶିକ୍ଷଣ ଦେବୁ । କିନ୍ତୁ ଯେତେବେଳେ ସେ ଚାଷୀଙ୍କ ସହ ବହୁ ପାଖରୁ ମିଶିବାର ସୁଯୋଗ ମିଳିଲା ସେତେବେଳେ ପ୍ରଶିକ୍ଷଣ କମ୍ ଆଉ ଆଳାପ ବେଶୀ ହେଲା । ଅର୍ଥାତ ଏଇ ଚାରି ଘଣ୍ଟାର ପ୍ରଶିକ୍ଷଣ ସମୟ ଭିତରେ ଆମେ ସମସ୍ତେ ଆମ ଜୀବନର ଅନେକ ପୁରୁଣା କଥା ସାଉଁଟି ବସୁ । ସେ ମୁହୂର୍ତ୍ତ ସତରେ ସ୍ମରଣୀୟ । ନିଜେ ଜାଣିବାକୁ ଚେଷ୍ଟା କଲି ସତରେ ଏ ଚାଷରେ ଅଛି କଣ ? ଆଉ ସେହିଠାରେ ଜାଣିବାକୁ ପାଇଲି ଏବେର ଆଧୁନିକ ଯୁଗରେ ଲୋକ ଚାଷ ନାଁ ଶୁଣିଲେ ନାକ ଟେକୁଛନ୍ତି । ଆଉ ମୁଁ ତ ଏହାର ଭୁକ୍ତଭୋଗୀ । ପ୍ରଥମ ବର୍ଷ ଯେବେ କୃଷି ପାଠ୍ୟକ୍ରମରେ ନାଁ ଲେଖାଇଲି , କେତେ କଥା ଗାଁରେ । ପୁଅ ଚାଷ କରିବ ବଡ଼ ହୋଇ , ଆମ ବିଲ ଖାଲି ଅଛି, ଆସିବୁ ପାଠ ପଢ଼ି । ଏମିତି ଅନେକ । ସେତେବେଳେ ତ କିଛି ବୁଝିପାରି ନଥିଲି । କେବଳ ଏତିକି ମନେ ହେଲା ଯେ ସତରେ କଣ ଚାଷ ଏତେ ଖରାପ?? ଲୋକ କଣ ପାଇଁ ଏ ପାଠ ପଢ଼ିଲା ବେଳକୁ ଏମିତି କଥା କହୁଛନ୍ତି । ଯଦି କେଉଁ ପିଲା ମେଡ଼ିକାଲ କି ଇଂଜିନିୟରିଂ ପଢ଼ୁଛି , କି ଆଇନ ପାଠ ପଢ଼ୁଛି ସେବେ ବାହାବାହା ଦେଲା ବେଳକୁ ଏ ପାଠରେ ଏତେ କୁଣ୍ଠାବୋଧ କଣ ପାଇଁ । ଅନ୍ୟପକ୍ଷରେ ସରକାର କୃଷିକୁ ଯଥୋଚିତ ଗୁରୁତ୍ୱ ଦେଉଥିଲା ବେଳେ ଲୋକେ କଣ ପାଇଁ କୃଷି ଶିକ୍ଷାକୁ ନାକ ଟେକୁଛନ୍ତି । ସେ ଯାହା ବି ହେଉ ଏବେ ମୋର ଚାରି ବର୍ଷର କୃଷି ସ୍ନାତକ ଶେଷ ହୋଇଯାଇଛି । ଅନେକ କିଛି ଶିଖିଛି । ଅନେକ ଚାଷୀଙ୍କ ସହ ମିଶିଛି । ଆଉ ମୋ ମତରେ କୃଷି ପାଠ୍ୟକ୍ରମ ମୋ ପାଇଁ ସବୁକିଛି । ଜୀବନର ପ୍ରକୃତ ରହସ୍ୟକୁ ଖୋଜି ଆଣିବାରେ ଏହା ମୋତେ ବାଟ ଦେଖାଇଛି ।

ଯେତେବେଳେ ଚାଷୀଙ୍କ ସହ ମିଶିବାର ସୁଯୋଗ ମିଳେ , ସେମାନେ ନିଜ ଚାଷବାସର କଥାକୁ ବେଶ ନିଖୁଣ ଭାବେ କହିଚାଲନ୍ତି , ତାହାକୁ ଶୁଣି ଆଖିରୁ ଲୁହ ଆସିଯାଏ । ମନେ ମନେ ଭାବିଲି, ଆମେ ବଡ଼ ଚାକିରୀ ପାଇଁ କେତେ ଲୋଭ କରୁଛନ୍ତି , ବର୍ଷରେ ଚାକିରୀର ପ୍ୟାକେଜ କେତେ ଅଛି ପ୍ରଥମେ ଦେଖୁଛନ୍ତି କିନ୍ତୁ ଏମାନଙ୍କ କଥା ଭାବିଲେ । ନା ପ୍ୟାକେଜ , ନା ହାକିମ ହେବାର ଇଚ୍ଛା । ସବୁକିଛି ଏମାନଙ୍କ ଆଗରେ ତୁଚ୍ଛ । ବାସ ଚାଷ ଜମିରେ କେଇ ଘଣ୍ଟା ବିତାଇଦେଲେ ସେମାନଙ୍କର ଆତ୍ମତୃପ୍ତି ମିଳିଯାଏ । କିନ୍ତୁ ଯଦି ଚାଷୀମାନଙ୍କୁ ହିଁ ଅଣଦେଖା କରାଯାଏ , ଏହାଠୁ ବଡ଼ ଦୁଃଖର ବିଷୟ କିଛି ନାହିଁ । ମାଟି କୃଷିର ଏନ୍ତୁଡିଶାଳ । ମୁଦ୍ରାର ଦୁଇପାର୍ଶ୍ୱ ପରି ଉଭୟେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଜଣକ ବିନା ଅନ୍ୟଟି ନିରୁପାୟ । ମାଟି ଉପରେ ହିଁ ଚାଷ କରେ କୃଷକ । ବିପିତ ବିହନ ଗଜାମେଲେ, କର୍ଷଣରେ ଭରିଦିଏ କୃଷକ । ସବୁର ଆଧାର ମାଟି । ନିଜର ସ୍ୱାର୍ଥକୁ ଚରିତାର୍ଥ କରିବାପାଇଁ ମଣିଷ କେତେ କଣ ବା ନକରୁଛି? ମାଟି ବୋଲି ଗୋଟିଏ ଶବ୍ଦ ଅଛି ବୋଲି ବି ଆଜି ସେ ଭୁଲିଯାଇଛି ।

ଜୀବନରେ ସଂଜ୍ଞା ବଦଳିଛି ସତ ଆଉ ତାଭିତରେ ମାଟିର ସଂଜ୍ଞା ଆଜି ଅସ୍ଥିର ପ୍ରାୟ । କୃଷି କାର୍ଯ୍ୟ ଆଜି ଅମଳ ବା ଉତ୍ପାଦନ ପାଇଁ କରାଯାଉଛି । ଜମିରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାରର ପ୍ରଭାବ
ମାଟି/ମୃତ୍ତିକାକୁ କ୍ଷୟ କରୁଛି । ଏହା ସମସ୍ତେ ଜାଣିବି ଏହାକୁ ପ୍ରୟୋଗ କରିବାରେ ଅବହେଳା କରୁନାହାନ୍ତି । ପିଲାଦିନରୁ ମୃତ୍ତିକା କ୍ଷୟ ବିଷୟରେ ପଢି, ଲେଖି ପରୀକ୍ଷାରେ ପାସ୍ କରି ଆସିଛନ୍ତି ସମସ୍ତେ, ଆଉ ଏହାସହ ମୃତ୍ତିକା ସଂରକ୍ଷଣକୁ ବି ପଢିଛନ୍ତି । ହେଲେ କ’ଣ ହେବ, ସବୁ ଯାହାକୁ ତାହା । ସେ ସବୁ ଆଜି ଚୂଲିମୁଣ୍ଡକୁ ଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ସହିତ ମଣିଷ ଏବେ କୃଷି ପାଇଁ ଜଙ୍ଗଲ କ୍ଷୟ କରୁଛି । ଯେଉଁ ଚେର ଦିନେ ମାଟିର ଭିତରକୁ ଜାବୁଡି ଧରିଥିଲା, ଆଜି ସେ ନିରୁପାୟ ଶ୍ରୀହୀନ । ମାଟି ଫାଟି ଆଁ କରୁଛି ତ୍ରାହି ତ୍ରାହି ଚିତ୍କାର କରୁଛି ।

ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟହୋଇସାରିଛି । ସେମଧ୍ୟରୁ ୯୪ ମିଲିୟନ ହେକ୍ଟର ଜଳ ପ୍ରଦୂଷଣ, ୧୬ ମିଲିୟନ ହେକ୍ଟର ବନ୍ୟା, ୯ ମିଲିୟନ ହେକ୍ଟର ବାୟୁ ପ୍ରଦୂଷଣ ଆଉ ୭ ମିଲିୟନ ହେକ୍ଟର ଅନ୍ୟାନ୍ୟ କାରଣ ଯୋଗୁଁ ହେଉଛି । ତେବେ ଯଦି ଏମିତି ପରିମାଣରେ ମୃତ୍ତିକା କ୍ଷୟ ହୁଏ ତେବେ ୨୦୨୫ ବେଳକୁ କୃଷି ପାଇଁ ଜମି ନଥିବ ।

ସେତେବେଳେ ମଣିଷ କରିବ କ’ଣ? ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଏମିତି କରିବାପାଇଁ ପଛାଉନାହିଁ, ତେବେ ଟିକେ ଭାବନ୍ତୁନା ଆଉ କିଛି ଦିନପରେ ଅବସ୍ଥା କ’ଣ ହେବ? ବ୍ୟବହୃତ ରାସାୟନିକ ସାରର ଅଧିକାଂଶ ମଣିଷ ଖାଦ୍ୟ ଭାବେ ଗ୍ରହଣ କରୁଛି । ଏହା ଜାଣି ବି ସବୁ ଅଜଣା । ତେବେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ସତ ସବୁ କାଗଜ କଲମରେ ରହିଯାଉଛି । କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ ବି କରୁଛନ୍ତି । ନିକଟରେ ଜଳସେଚନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା । ପରନ୍ତୁ ଦୁଃଖର ବିଷୟ ମୃତ୍ତିକା ସଂରକ୍ଷଣ ପାଇଁ ସେମିତି କିଛି ଯୋଜନା ପ୍ରଣୟନ ହେଉନି ।

ଆଜି ବି ଅନେକଙ୍କ ଅଜ୍ଞାତ ଦ୍ୱାରରେ ବିଶ୍ୱ ମୃତ୍ତିକା ଦିବସ । କେତକ କୃଷି ଛାତ୍ର, ବୈଜ୍ଞାନିକ ଆଉ ଅଫିସରଙ୍କୁ ଛାଡିଦେଲେ ବୋଧହୁଏ ଆଉ କେହି ଶୁଣିବି ନଥିବେ । ତେବେ କୃଷି ପାଇଁ ମାଟିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେକଥା ଜମିରେ ଝାଳ ବୁହାଇଥିବା ଚାଷୀ ଭାଇଟିଏ ଜାଣିଛି । ହେଲେ ବିଳାସବ୍ୟସନରେ ଜୀବନ ନିଭାଉଥିବା ମଣିଷ ଜାଣିନି । ମୋ ଲେଖିବାର ଅଭିପ୍ରାୟ ମୁଁ ନିଜେ କୃଷି ସ୍ନାତକ ଅଧ୍ୟୟନରତ । ପରନ୍ତୁ ଦୁଃଖର ବିଷୟ ବିଶ୍ୱ ମୃତ୍ତିକା ଦିବସ ଖାଲି ଦିବସରେ ରହିଯାଉଛି ।

ମୃତ୍ତିକା ସଂରକ୍ଷଣ ପାଇଁ ନୂତନବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି । ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଭୁଲ ହେବନାହିଁ । ଏସବୁ କୀଟନାଶକ ବଦଳରେ ଯଦି ଘରୋଇ
ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଆନ୍ତା, ସୁଫଳ ମିଳିବାଟା ଥୟ ।

ସମୟ ଆସିଛି ଚାଷୀଙ୍କ କଥାକୁ ଗୁରୁତ୍ୱ ଦେବାର । ଚାଷକୁ ଭଲପାଇବାର । ନାକ ଟେକିବାନି ବରଂ ନିଜେ ଚାଷ ଓ ଚାଷୀର ଗହନ କଥାକୁ ଅନୁକରଣ କରିବା । କୃଷି ପାଠ୍ୟକ୍ରମକୁ ବି ସମ୍ମାନ ଦେବା । ଆମ ଚାଷୀ ଆମ ଦେଶର ବଳ । ଆମ ଶକ୍ତି ଆଉ ଚେତନାର ପରିମାପକ । ଆମ ସଂସ୍କୃତିର ମୂଳାଧାର । ସେ ଚାଷୀକୁଳକୁ ମୋର କୋଟି ନମନ ।

(ଜୈବ ନିରୀକ୍ଷକ ,
ଓଡ଼ିଶା ରାଜ୍ୟ ଜୈବ
ପ୍ରମାଣନ ସଂସ୍ଥା , ଭୁବନେଶ୍ୱର)

Comments are closed.