ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ଏକ ଅଣ୍ଡାକାର ପଥରେ ଘୁରୁଛନ୍ତି । ସପ୍ତଦଶ ଶତାବ୍ଦୀରେ ଜର୍ମାନ ବୈଜ୍ଞାନିକ ଜୋହାନସ କେପରଲ ଏହା ପ୍ରମାଣ କରିଥିଲେ । ଅଣ୍ଡାକାର କକ୍ଷରେ ଘୁରିବା ବେଳେ ଯେତେବେଳେ ପୃଥିବୀ ସୂର୍ଯ୍ୟଠାରୁ କମ ଦୂରତା (୧୪.୭୧କୋଟି କିମି) ରେ ରହେ ସେତେବେଳେ ସୂର୍ଯ୍ୟର ଆକାର ବଡ (୩୨’ ୩୨”) ଦେଖାଯାଏ । ଆଉ ଯେତେବେଳେ ସବୁଠୁ ଅଧିକ ଦୂର (୧୫.୨୧କୋଟି କିମି) ରେ ରହେ ସେତେବେଳେ ସୂର୍ଯ୍ୟର ଆକାର ଛୋଟ (୩୧’ ୨୭”) ଦେଖାଯାଏ । ଗୋଟିଏ ବର୍ଷ ଭିତରେ ଏମିତି ସ୍ଥିତି ଥରେ ଆସେ । ଜାନୁଆରୀ ମାସରେ ପୃଥିବୀ-ସୂର୍ୟ୍ୟ ଭିତରେ ସବୁଠୁ କମ ଦୂରତା ରହୁଥିବା ବେଳେ ଜୁଲାଇ ମାସ ବେଳକୁ ସବୁଠୁ ଅଧିକ ଦୂରତା ରହେ ।
କେବେ ସୁପର ମୁନ୍, କେବେ ମାଇକ୍ରୋ ମୁନ୍
ଠିକ ସେହିପରି ଚନ୍ଦ୍ର ମଧ୍ୟ ପୃଥିବୀ ଚାରିପାଖେ ଏକ ଅଣ୍ଡାକାର ପଥରେ ଘୁରୁଛି । ତେଣୁ ପାଖକୁ (୩.୩୦ଲକ୍ଷ କିମି) ଆସିବା ବେଳେ ଚନ୍ଦ୍ରର କୌଣିକ ଆକାର ୩୪’ ୦୬ ” ଏବଂ ଦୂରରେ (୪.୦୫ଲକ୍ଷ କିମି) ଥିବା ବେଳେ କୌଣିକ ଆକାର ୨୯’ ୨୦” ରହେ । ଏହା ୨୭.୩୨ ଦିନରେ ଥରେ ହୁଏ । କାରଣ ପୃଥିବୀ ଚାରିପାଖେ ଚନ୍ଦ୍ର ଥରେ ଘୂରି ଆସିବାକୁ ୨୭.୩୨ଦିନ ନିଏ ।
ଏମିତି ଦେଖିବାକୁ ଗଲେ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ରର ପ୍ରତୀତ ଆକାର ପ୍ରାୟ ସମାନ ଦେଖାଯାଏ । କିନ୍ତୁ ସୂର୍ଯ୍ୟ-ପୃଥିବୀ-ଚନ୍ଦ୍ରର ଅବସ୍ଥିତି ଉପରେ ଏହାର ପ୍ରତୀତ ଆକାର ନିର୍ଭର କରେ । ଯାହା ଫଳରେ ଆମେ ପୂର୍ଣ କିମ୍ବା ବଳୟ ପରାଗ ଦେଖୁ । ଏହି ଆକାର ପରିବର୍ତ୍ତନ ହିଁ ସୂର୍ଯ୍ୟ ପରାଗର ପ୍ରକାର ଏବଂ ଅବଧି ନିର୍ଣୟ କରେ ।
Comments are closed.