Latest Odisha News

BREAKING NEWS

‘ପିତା’ଙ୍କ ପାଇଁ ସମର୍ପିତ ଦିନଟିଏ: ଜାଣନ୍ତୁ, କେବେଠୁ ହେଉଛି ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଜୁନମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ।

 

କୁହାଯାଏ, ପିତା ଓ ମାତା ଭଗବାନଙ୍କ ଦ୍ୱିତୀୟ ରୂପ । ସନ୍ତାନଙ୍କ ଜୀବନରେ ଦୁହିଁଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଏସଂସାରରେ ପିତା ନିଜ ପିଲାମାନଙ୍କ ଲାଗି ମେରୁଦଣ୍ଡ ସଦୃଶ୍ୟ ।

ଜାଣନ୍ତୁ, କେବେଠୁ ପିତୃ ଦିବସ ପାଳନ ହୋଇଆସୁଛି, କଣ ରହିଛି ଏହା ପଛର କାରଣ…

‘ଫାଦର୍ସ ଡ଼େ’ ସର୍ବପ୍ରଥମେ ୧୯୧୦ ମସିହା, ଜୁନ ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା। ଏହା ପରେପରେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ଜୁନମାସ ତୃତୀୟ ରବିବାରକୁ ‘ଫାଦର୍ସ ଡେ’ ଭାବେ ପାଳନ ଲାଗି ଅନୁମତି ଦେଇଥିଲେ । ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା।

କ’ଣ ରହିଛି ଏହା ପଛର ରହସ୍ୟ-
‘ଫାଦର୍ସ ଡ଼େ’ ପାଳନ ପଛରେ ଏଭଳି ଏକ କାହାଣୀ ରହିଛି। ଯାହା ସୋନୋରା ସ୍ମାର୍ଟ ଡୋଡଙ୍କ ସହ ଜଡ଼ିତ, ଯିଏ କି ‘ଫାଦର୍ସ ଡ଼େ’ ପାଳନ କରିବା ପାଇଁ ପ୍ରଥମେ ପ୍ରଚେଷ୍ଟା କରିଥିଲେ। ଛୋଟବେଳେ ଡୋଡଙ୍କ ମାତାଙ୍କର ଦେହାନ୍ତ ହୋଇଯାଇଥିବାବେଳେ ତାଙ୍କ ବାପା ବହୁ କଷ୍ଟରେ ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଥିଲେ । ପିତା ୱିଲିୟମ୍ ସ୍ମାଟ୍‌ର୍ ଡୋଡ ଓ ବାକି ଭାଇଭଉଣୀମାନଙ୍କୁ ଉଭୟ ମା’ ଓ ବାପାଙ୍କର ସ୍ନେହ, ମମତା ଦେଇ ପାଳନ କରୁଥିଲେ । ଏକ ସମୟରେ ଡୋଡ ଚର୍ଚ୍ଚରେ ମଦର୍ସ ଡ଼େର ଉପଦେଶ ଶୁଣୁଥିଲେ। ଯେଉଁପରି ଭାବେ ମାତାଙ୍କୁ ସମ୍ମାନ ଓ ପ୍ରଶଂସା ମିଳୁଛି, ସେହିପରି ପିତା ମଧ୍ୟ ଏହି ପ୍ରଶଂସା ଓ ସମ୍ମାନର ହକଦାର ଅଟନ୍ତି ବୋଲି ସେତେବେଳେ ଡୋଡ ଅନୁଭବ କରିଥିଲେ ।

ସୋନୋରା ସ୍ମାର୍ଟ ଡୋଡଙ୍କ ପିତା ବୃତ୍ତିରେ ଜଣେ କୃଷକ ଥିଲେ। ସର୍ବପ୍ରଥମେ ସେ ନିଜର ପିତାଙ୍କ ଜନ୍ମଦିନରେ ‘ଫାଦର୍ସ ଡ଼େ’ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ପରେ ଏହାକୁ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରିବା ପାଇଁ ସ୍ଥିର କରାଗଲା।

Leave A Reply

Your email address will not be published.