Latest Odisha News

BREAKING NEWS

ଏମପିରେ କମଳନାଥଙ୍କ ତନ୍ତ୍ର ସାଧନାରେ ‘ବଳି’ ପଡିବେ ଶିବରାଜ !

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଲଢେଇ ତୀବ୍ରତର ହେବାରେ ଲାଗିଛି। ନିର୍ବାଚନରେ ଶାସକ ବିଜେପିକୁ ମାତ ଦେବାକୁ କଂଗ୍ରେସ ଲାଗିପଡିଛି। ଏହି କ୍ରମରେ ଦଳକୁ କ୍ଷମତାକୁ ଆଣିବାକୁ ଦଳ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବା ଦେଖିବାକୁ ମିଳିଛି।

ଏହି ଅବସରରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ନବରାତ୍ରୀ ଅବସରରେ ଉଜ୍ଜୈନର ଚକ୍ରତୀର୍ଥ ଶ୍ମଶାନ ଘାଟରେ ରାତିରେ ବିଶେଷ ତନ୍ତ୍ରପାଠ ଦେଖିବାକୁ ମିଳିଛି। ଯେଉଁଥିରେ ଲେମ୍ବୁ, ମଦ ଓ କଣ୍ଢେଇ ମାଧ୍ୟମରେ ବହୁ ତାନ୍ତ୍ରିକ ଭଗବାନ ଭୈରବନାଥଙ୍କ ମୂର୍ତ୍ତି ସମ୍ମୁଖରେ ତନ୍ତ୍ର ସାଧନା କରୁଥିବା ଦେଖିବାକୁ ମିଳିଛି।

ବାବା ମହାକାଳଙ୍କ ନଗରୀ କୁହାଯାଉଥିବା ଉଜ୍ଜୈନ ତନ୍ତ୍ର ସାଧକଙ୍କ ବଡ଼ କେନ୍ଦ୍ର ବୋଲି କୁହାଯାଏ। ବିଶେଷ ସମୟରେ ଦେଶର ପ୍ରମୁଖ ତାନ୍ତ୍ରିକ ମାନେ ଏଠାକୁ ଆସି ପୂଜାପାଠ କରିଥାନ୍ତି।

ଏବେ ନବରାତ୍ରୀ ଚାଲିଥିବାରୁ ବହୁ ସଂଖ୍ୟକ ତାନ୍ତ୍ରିକ ଏଠାକୁ ଆସିଛନ୍ତି। ନବରାତ୍ରୀରେ ସିଦ୍ଧି ପ୍ରାପ୍ତି ପାଇଁ ତନ୍ତ୍ର ସାଧନା କରାଯାଉଥିବା ଦେଖିବାକୁ ମିଳିଛି। ତନ୍ତ୍ର ସାଧକ ଭୟୁ ମହାରାଜଙ୍କ କହିବା ଅନୁଯାୟୀ ଏବେ ଚକ୍ରତୀର୍ଥ ଶ୍ମଶାନ ଘାଟରେ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସରକାର ଗଢିବା ପାଇଁ ସାଧନା କରାଯାଉଛି।

ପୂର୍ବ ଭଳି କଂଗ୍ରେସ ବିଧାୟକ ମାନଙ୍କୁ ଯେଭଳି କିଣାଯାଇ ନ ପାରିବ ସେଥିପାଇଁ ତନ୍ତ୍ର ବିଦ୍ୟା କରାଯାଉଛି। ଏହି ସ୍ୱତନ୍ତ୍ର ତନ୍ତ୍ରକ୍ରିୟା ମାଧ୍ୟମରେ କମଳନାଥଙ୍କ ଫଟୋ ରଖି ସାଧନା କରାଯାଉଛି।

ଉଜ୍ଜୈନରେ ମହାକାଳ ଦକ୍ଷୀଣମୁଖୀ ବିରାଜିତ ହୋଇଥିବାରୁ ତନ୍ତ୍ର ସାଧକଙ୍କ ପାଇଁ ସବୁଠୁ ଫଳଦାୟୀ ବୋଲି କୁହାଯାଏ। ଏପରିକି ତାନ୍ତ୍ରିକ ମାନଙ୍କର ବିଶ୍ୱାସ ଅନୁଯାୟୀ ଚକ୍ରତୀର୍ଥରେ କରାଯାଉଥିବା କୌଣସି ତନ୍ତ୍ର ସାଧନା ବିଫଳ ହୁଏ ନାହିଁ।

ତେଣୁ ଏମପିରେ କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ସବୁ ଶକ୍ତି ଖଟାଇଥିବା ବେଳେ କଂଗ୍ରେସ ପାଇଁ ତାନ୍ତ୍ରିକଙ୍କ ତନ୍ତ୍ର ସାଧନା ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ସେପଟେ ଏହାକୁ ନେଇ ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ବିଜେପି ବିକାଶ କରୁଛି ଓ କିଛି ଲୋକ ଶ୍ମଶାନ ଘାଟରେ ତାନ୍ତ୍ରିକ କ୍ରିୟା କରୁଛନ୍ତି ବୋଲି ଶିବରାଜ କହିଛନ୍ତି। ଏଥିରେ କଣ ଦେଶ ଓ ରାଜ୍ୟର କିଛି ଭଲ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂଜା କରିବାର ଅଛି ତ ସାତ୍ଵିକ ପୂଜା କର ବୋଲି କହିବା ସହ ତାନ୍ତ୍ରିକ ଉପାସନା କରିବା ଅର୍ଥ ନିଜ ଉପରେ ଭରଷା ନ ଥିବା ଶିବରାଜ କହିଛନ୍ତି। ସେବା ଓ ସଂକଳ୍ପର କଥା ନେଇ ବିଜେପି ଲୋକଙ୍କ ପାଖକୁ ଯାଉଥିବା ବେଳେ ସେମାନେ ଶ୍ମଶାନ ଘାଟରେ ବସିଛନ୍ତି ବୋଲି କୁହାଯାଇଛି।

ଏମପି ନିର୍ବାଚନ ପାଇଁ ବିଜେପିର ହାଇଟେକ ରଥ ବୁଲିବା ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଏହି ରଥକୁ ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ର ବୁଲି ରଥ ପ୍ରଚାର କରିବ। ତେଣୁ ଏଭଳି ସମୟରେ ତନ୍ତ୍ର ସାଧନାକୁ ନେଇ ଏମପି ରାଜନୀତି ଚଳଚଂଚଳ ହୋଇଛି।

Leave A Reply

Your email address will not be published.