Latest Odisha News

ପିଶାଚ ପୁଅ: ମାଆକୁ ପିଟିପିଟି ମାରିଦେଲା

ଟଙ୍କା ନଦେବାକୁ ମାଆକୁ ହତ୍ୟା, ପୁଅକୁ ଅଟର ରଖି ପଚରାଉଚରା

ଅନୁଗୋଳ: ପୁଅ ସାଜିଲା ପିଶାଚ । ମାଆକୁ ପିଟିପିଟି ମାରିଦେଲା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନଦବାରୁ ବୃଦ୍ଧା ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ମୃତକ ହେଲେ ୬୨ ବର୍ଷୀୟ ଅବସରପ୍ରାପ୍ତ ଏଏନଏମ୍ ବୀଣାପାଣି ଦାଶ ।

ସ୍ୱାମୀଙ୍କ ମୃତ୍ୟୁପରେ ସାନପୁଅ ତୁଷାରକାନ୍ତ ଦେହୁରୀଙ୍କ ସହିତ ରହୁଥିଲେ ବୀଣାପାଣି ଦାଶ । ଟଙ୍କା ପାଇଁ ମାଆଙ୍କୁ ତୁଷାର ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ମାଡ଼ ମାରୁଥିଲା । ଗତକାଲି ମଧ୍ୟ ଟଙ୍କା ମାଗିଥିଲା । ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ତାଙ୍କୁ ମାଡ଼ ମାରିଥିଲା ତୁଷାର ।

ପଡ଼ୋଶୀ ଏକଥା ଜାଣିଥିଲେ ବି ତୁଷାରଙ୍କ ଭୟରେ କେହି ବୀଣାପାଣିଙ୍କୁ ଉଦ୍ଧାର କରିବା ପାଇଁ ସାହସ କରି ପାରି ନଥିଲେ । ଆଜି ସକାଳେ କେହି ଘରୁ ବାହାରକୁ ଆସି ନଥିବା ବେଳେ ମୁଖ୍ୟ କବାଟରେ ତାଲା ପଡିଥିଲେ ପଡ଼ୋଶୀ । ପରେ କବାଟ ଫାଙ୍କରେ ବୀଣାପାଣିଙ୍କ ମୃତଦେହ ଦୁଆର ଅଗଣାରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।

ବାଗଡିଆ ବିଟ୍ ହାଉସ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଖୋଳତାଡ କରୁଛି ପୋଲିସ । ମାଆର ମୃତ୍ୟୁପରେ ତୁଷାର ଘର କବାଟରେ ତାଲା ପକାଇ ଫେରାର ହୋଇଯାଇଥିଲା । ତାକୁ ଦେବଗଡ ଛକରୁ କାବୁ କରିଛି ପୋଲିସ । ତୁଷାରକୁ ଅଧିକ ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.