ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ମହାନତା ବିଷୟରେ କାହାକୁ ଅଛପା ନାହିଁ। ଏହା ମଧ୍ୟରେ ତାଙ୍କର ଆଉ ଏକ ମହାନତା ଲୋକଲୋଚନକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ସମସ୍ତ ଗାଁର ଝିଅମାନଙ୍କୁ ପାଠପଢିବା ପାଇଁ ସାଇକେଲ ଯୋଗାଇ ଦେଇଛନ୍ତି ସୋନୁ। କିଛି ଦିନ ପୂର୍ବରୁ ସୋନୁ ସୁଦ ଏ ନେଇ ଘୋଷଣା କରିଥିଲେ ଏବଂ ବର୍ତ୍ତମାନ ସେହି ଝିଅମାନଙ୍କ ପାଖରେ ସାଇକେଲ୍ ପହଞ୍ଚିସାରିଛି। ସୋସିଆଲ ମିଡିଆରେ ଫଟୋ ସେୟାର କରି ସୋନୁ ସୁଦଙ୍କୁ ଭଗବାନ ବୋଲି କହି ଗ୍ରାମବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।
ସୋନଭଦ୍ରା ନିକଟରେ ଥିବା ମିର୍ଜାପୁରର ବାହରୀ ଗାଁର ସନ୍ତୋଷ ଚୌହାନ ଟ୍ୱିଟର ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଛନ୍ତି। ସୋନୁ ସୁଦ ନିଜେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ସନ୍ତୋଷ ଚୌହାନ ନାମକ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୱିଟ କରି କହିଥିଲେ ଯେ, “ଗାଁରେ ୩୫ ଜଣ ଝିଅ ଅଛନ୍ତି ଯେଉଁମାନଙ୍କୁ ପାଠ ପଢିବାକୁ ଯିବା ପାଇଁ ୮ରୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ। ଏମାନଙ୍କ ମଧ୍ୟରୁ କେବଳ ଅଳ୍ପ କେତେଜଣଙ୍କର ସାଇକେଲ ଅଛି। ଏହା ଏକ ନକ୍ସଲ ସଂକ୍ରମିତ ରାସ୍ତା। ଭୟ ଯୋଗୁ ସେମାନଙ୍କ ପରିବାର ତାଙ୍କୁ ଆଗକୁ ପଢିବାକୁ ମଧ୍ୟ ଦେଉନାହାନ୍ତି। ଯଦି ଆପଣ ସେମାନଙ୍କୁ ସମସ୍ତ ସାଇକେଲ୍ ଦେଇପାରିବେ, ତେବେ ସେମାନଙ୍କର ଭବିଷ୍ୟତ ଉନ୍ନତ ହେବ। ”
ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସୋନୁ ସୁଦ ଲେଖିଥିଲେ, “ଗାଁର ପ୍ରତ୍ୟେକ ଝିଅଙ୍କ ପାଖରେ ସାଇକେଲ ପହଞ୍ଚିବ ଏବଂ ପ୍ରତ୍ୟେକ ଝିଅ ପାଠ ପଢ଼ିବେ। ପରିବାରକୁ କୁହ .. ସାଇକେଲ ପହଞ୍ଚୁଛି, ପ୍ରସ୍ତୁତ ରୁହ।” ଏହା ପରେ ବର୍ତ୍ତମାନ ସୋନୁ ସୁଦ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଗାଁର ୩୫ ଜଣ ଝିଅଙ୍କୁ ସାଇକେଲ ଦେଇଛନ୍ତି।
Comments are closed.