ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼: କ୍ରାଇମବ୍ରାଞ୍ଚକୁ ପେନ୍ଡ୍ରାଇଭ୍ ଦେଲେ ବାପା, ଖୋଲିବ କି ହ୍ୱାଟ୍ସଆପ୍ ଚାଟ୍ର ଗୁମର?
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଏବଂ ନିକଟରେ ଦାଖଲ ହୋଇଥିବା ଚାର୍ଜସିଟ୍କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତକଙ୍କ ବାପା । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ସେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କୁ ଏକ ପେନ୍ଡ୍ରାଇଭ୍ ହସ୍ତାନ୍ତର କରିଛନ୍ତି, ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ହ୍ୱାଟ୍ସଆପ୍ ଚାଟ୍, ଭଏସ୍ ମେସେଜ୍ ଏବଂ ଭିଜୁଆଲ୍ ପ୍ରମାଣ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୌମ୍ୟଙ୍କ ବାପା ଦୁଃଶାସନ ସ୍ୱାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଭେଟି ଏହି ନୂଆ ପ୍ରମାଣ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ନିକଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇ ଦିଆଯାଇଛି କିମ୍ବା ବାଦ୍ ଦିଆଯାଇଛି ଏବଂ ଆବଶ୍ୟକୀୟ ଦଫା ମଧ୍ୟ ଲଗାଯାଇନାହିଁ। ପ୍ରଥମେ କ୍ରାଇମବ୍ରାଞ୍ଚ ୨୭ ଜଣଙ୍କୁ ଗିରଫ କରିଥିବା କହୁଥିବା ବେଳେ ପରେ ଏହା ୨୦ ବୋଲି କହିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ଏବେ ଜାମିନରେ ମୁକୁଳି ସାରିଲେଣି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
କେବଳ ସେତିକି ନୁହେଁ, ଘଟଣା ଦିନ ସୌମ୍ୟଙ୍କ ସହ ଥିବା ତାଙ୍କ ସାଙ୍ଗ ଓମ୍ ପ୍ରକାଶ ରାଉତର ଭୂମିକାକୁ ନେଇ ମଧ୍ୟ ଦୁଃଶାସନ ସନ୍ଦେହ ପ୍ରକଟ କରିଛନ୍ତି। ଉଭୟ ଏକାଠି ଥିବା ବେଳେ ସୌମ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ ହେଲା ଏବଂ ତାଙ୍କ ଜୀବନ ଗଲା, କିନ୍ତୁ ଓମ୍ର ଦେହରେ ଟିକିଏ ବି ଖଣ୍ଡିଆ ଖାବରା ହେଲା ନାହିଁ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ମେ’ ୭ ତାରିଖ ଦିନ ବାଲିଅନ୍ତାରେ ଏକ ସ୍କୁଟି ସହ ସୌମ୍ୟଙ୍କ ଗାଡ଼ିର ଧକ୍କା ହୋଇଥିଲା। ଏହାପରେ ଦୁଇ ମହିଳାଙ୍କ ସହ ତାଙ୍କର ବଚସା ହୋଇଥିଲା ଏବଂ ମହିଳାମାନେ ଅସଦାଚରଣର ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଉତ୍ୟକ୍ତ ଲୋକେ ଆଇନକୁ ନିଜ ହାତକୁ ନେଇ ସୌମ୍ୟଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରିଥିଲେ। ବର୍ତ୍ତମାନ ପରିବାର ଲୋକେ ଦେଇଥିବା ପେନ୍ଡ୍ରାଇଭ୍ ଏବେ ତଦନ୍ତର ଦିଗ ବଦଳାଇ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି।


Comments are closed.