ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଇସିସି ହଲ ଅଫ ଫେମରେ ସାମିଲ ହେବେ । ଜୁଲାଇ ୧୧ରେ ସ୍କଟଲାଣ୍ଡର ଏଡିନବର୍ଗରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଭାରତର ୧୨ତମ ଖେଳାଳି ଭାବେ ସେ ଏହି ସମ୍ମାନର ଅଧିକାରୀ ହେବେ । ୫୪ତମ ଜନ୍ମଦିନ ଅବସରରେ ଗାଙ୍ଗୁଲିଙ୍କ ପ୍ରତି ଏହା ଉପଯୁକ୍ତ ସମ୍ମାନ ହେବ ବୋଲି ପ୍ରଶଂସକମାନେ କହିଛନ୍ତି । ଏହି ଦିନ ତାଙ୍କର ବାୟୋପିକ ଦାଦା-ଦି ସୌରଭ ଗାଙ୍ଗୁଲି ଷ୍ଟୋରୀର ଫାଷ୍ଟ ଲୁକ ଜାରୀ କରାଯିବ । ଏଥିରେ ରାଜକୁମାର ରାଓ ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।
ମ୍ୟାଚ ଫିକ୍ସିଂ ବିବାଦ ପରେ ଗାଙ୍ଗୁଲି ୨୦୦୦ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ସମୟରେ ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂ, ଯୁବରାଜ ସିଂ, ଜାହୀର ଖାଁ, ମହମ୍ମଦ କୈଫ ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ଯୁବ ଖେଳାଳିଙ୍କ କ୍ୟାରିୟର ମଜଭୁତ ହୋଇଥିଲା । ତାଙ୍କ ନେତୃତ୍ୱରେ ଭାରତ ୨୦୦୨ ଚାମ୍ପିୟନ୍ସ ଟ୍ରଫି ଜିତିବା ସହ ୨୦୦୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା । ଇଂଲଣ୍ଡ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଡ୍ର ଏବଂ ପାକିସ୍ତାନରେ ସ୍ମରଣୀୟ ଟେଷ୍ଟ ସିରିଜ ଭାରତ ଜିତିଥିଲା । ସେ ଭାରତ ପକ୍ଷରୁ ୧୧୩ ଟେଷ୍ଟରେ ୭୨୧୨ ରନ କରିଥିଲେ । ଏଥିରେ ୧୬ ଶତକ ସାମିଲ । ୩୧୧ ଦିନିକିଆରେ ଦାଦା ୨୨ ଶତକ ସହ ୧୧୩୬୩ ରନ କରିଥିଲେ । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୩୨ ୱିକେଟ ମଧ୍ୟ ନେଇଛନ୍ତି ।