ଭୁବନେଶ୍ୱର: ପାଠ ପଢ଼ି ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ କନ୍ଧମାଳରୁ ରାଜଧାନୀକୁ ଆସିଥିଲା ଝିଅଟିଏ। ନିଜ ସମ୍ପର୍କୀୟ ମାଉସୀ ଘରେ ରହି ପଢ଼ିଲେ ଝିଅ ସୁରକ୍ଷିତ ରହିବ ବୋଲି ପରିବାର ଲୋକେ ଭାବିଥିଲେ। କିନ୍ତୁ କିଏ ଜାଣିଥିଲା, ଯେଉଁମାନଙ୍କୁ ସେମାନେ ରକ୍ଷକ ଭାବିଥିଲେ, ସେମାନେ ହିଁ ଦିନେ ଭକ୍ଷକ ସାଜିବେ! ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏକ ହୃଦୟ ବିଦାରକ ଏବଂ ଲଜ୍ଜାଜନକ ଘଟଣା ସମ୍ପର୍କର ସବୁ ପରିଭାଷାକୁ ବଦଳାଇ ଦେଇଛି। ଜଣେ ନାବାଳିକା ଝିଆରୀକୁ ତାର ମଉସା ଦୀର୍ଘ ଦିନ ଧରି ଦୁଷ୍କର୍ମ କରିବା ଏବଂ ଏହି ଘୃଣ୍ୟ କାର୍ଯ୍ୟରେ ଖୋଦ୍ ମାଉସୀ ସହଯୋଗ କରିବା ଘଟଣା ସାରା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅଧୀନ ନୂଆସାହି ସ୍ଥିତ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ମାଉସୀ ଫୁଲନ୍ଧିନୀ ନାୟକ ଏବଂ ମଉସା ଜୟକୃଷ୍ଣ ରହୁଥିଲେ। ଉଚ୍ଚଶିକ୍ଷା ପାଇଁ କନ୍ଧମାଳରୁ ଆସିଥିବା ପୀଡ଼ିତା ଜଣକ ସେମାନଙ୍କ ପାଖରେ ରହୁଥିଲେ। ଅଭିଯୋଗ ଅନୁଯାୟୀ, ଝିଆରୀ ଘରେ ଏକୁଟିଆ ଥିବାର ସୁଯୋଗ ନେଇ କାମୁକ ମଉସା ଜୟକୃଷ୍ଣ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ନାବାଳିକା ଥିବା ସମୟରୁ ହିଁ ମଉସା ତାଙ୍କୁ ଲଗାତାର ଦୁଷ୍କର୍ମ କରିଆସୁଥିଲା ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ପୀଡ଼ିତା ନିଜ ଉପରେ ହେଉଥିବା ଏହି ଅତ୍ୟାଚାର ବିଷୟରେ ନିଜ ମାଉସୀ ଫୁଲନ୍ଧିନୀ ନାୟକଙ୍କୁ ଜଣାଇଥିଲେ, ସେତେବେଳେ ତାଙ୍କୁ ସୁରକ୍ଷା ଦେବା ବଦଳରେ ମାଉସୀ ଓଲଟା ଧମକ ଦେଇଥିଲା। “ଯଦି ଭୁବନେଶ୍ୱରରେ ରହି ପାଠ ପଢ଼ିବାକୁ ଚାହୁଁଛୁ, ତେବେ ମଉସାର ସବୁ କଥାରେ ରାଜି ହେବାକୁ ପଡ଼ିବ”- ଏଭଳି ଏକ ସାଙ୍ଘାତିକ ସର୍ତ୍ତ ରଖି ପୀଡ଼ିତାଙ୍କୁ ଚୁପ୍ ରହିବାକୁ ବାଧ୍ୟ କରାଯାଇଥିଲା।
ଦୀର୍ଘଦିନ ଧରି ମାନସିକ ଓ ଶାରୀରିକ ନିର୍ଯାତନା ସହିବା ପରେ, ଶେଷରେ ଧୈର୍ଯ୍ୟହରା ହୋଇ ପୀଡ଼ିତା ଜଣକ ନ୍ୟାୟ ପାଇଁ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏକ ମାମଲା ରୁଜୁ କରିଥିଲା। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତନ୍ନ ତନ୍ନ ତଦନ୍ତ କରିବା ପରେ ନୟାପଲ୍ଲୀ ପୋଲିସ ମୁଖ୍ୟ ଅଭିଯୁକ୍ତ ମଉସା ଜୟକୃଷ୍ଣ ଏବଂ ତାକୁ ସହଯୋଗ କରିଥିବା ମାଉସୀ ଫୁଲନ୍ଧିନୀ ନାୟକକୁ ଗିରଫ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।