Latest Odisha News

BREAKING NEWS

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ପୋଲିସ୍ ରିପୋର୍ଟ ଅନୁଯାୟୀ ସୋମବାର କେହି ଜଣେ ଅଜଣା ବ୍ୟକ୍ତି ଚେନ୍ନାଇର ବେସନ୍ତ ନଗରରେ ଥିବା ବିକ୍ରମଙ୍କ ଘରେ ବୋମା ଥିବା ଫୋନ୍ ମାଧ୍ୟମରେ ଜଣାଇଥିଲେ । ଏହି ଫୋନ୍ କଲ୍ ପରେ ପୋଲିସ ବିକ୍ରମଙ୍କ ଘରେ ଓ ବାହାରେ ତନାଘନା କରିଥିଲା । ତେବେ ଘରେ ବୋମା ଥିବା ଖବର ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।

ବିକ୍ରମଙ୍କ ଘରକୁ କିଏ ଫୋନ୍ କରିଥିଲା, ସେ ନେଇ ପୋଲିସର ତଦନ୍ତ ଜାରି ରହିଥିବାବେଳେ ସାମ୍ନାକୁ ଆସିଛି ଆଉ ଏକ ଚାଂଚଲ୍ୟକର ତଥ୍ୟ । ବିକ୍ରମଙ୍କ ପୂର୍ବରୁ ଅଭିନେତା ବିଜୟ, ଅଜିତ, ସୂର୍ଯ୍ୟା ଓ ରଜନୀକାନ୍ତଙ୍କୁ ମଧ୍ୟ ଠିକ୍ ଏହିଭଳି ଫୋନ୍ କଲ୍ ଆସିଥିବା ଜଣାପଡିଛି ।

ବିକ୍ରମଙ୍କ ଘରେ ବୋମା ଥିବା ନେଇ ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ପ୍ରଥମେ ଫୋନ୍ ଆସିଥିଲା । ଯାହାପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ଜରିଆରେ ଛାନଭିନ୍ କରିଥିଲା । ତଦନ୍ତରେ ଜଣାପଡିଛି ବିଲ୍ଲୁପୁରମ୍‌ର ଜଣେ ବ୍ୟକ୍ତି ଏଭଳି ଫୋନ୍ କରି ଧମକ ଦେଇଥିଲା ।

ପୂର୍ବରୁ ବିଲ୍ଲୁପୁରୁମ ଅଂଚଳରୁ ଜଣେ ବ୍ୟକ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଭିନେତାଙ୍କୁ ବୋମାମାଡ କରିବା ନେଇ ଧମକ ଦେଇଥିଲା । ପରେ ସେହି ବ୍ୟକ୍ତିଙ୍କ ମାନସିକ ସ୍ଥିତି ଠିକ୍ ନଥିବା କହି ତାଙ୍କ ପରିବାର ଲୋକେ କ୍ଷମା ମାଗିଥିଲେ । ତେବେ ବିକ୍ରମଙ୍କୁ ମଧ୍ୟ ସେହି ବ୍ୟକ୍ତି ଜଣକ ଧମକ ଦେଇଥିବା ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.