Latest Odisha News

BREAKING NEWS

ଲୋକସଭା ନିର୍ବାଚନ: ୟୁପିରେ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ସପା

ଲକ୍ଷ୍ନୌ:  ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା। କିଏ କେଉଁଠି ନିର୍ବାଚନ ଲଢ଼ିବେ ସପା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ଡିମ୍ପଲ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବଙ୍କ ଭଳି ବରିଷ୍ଠ ନେତାଙ୍କ ନାମ ରହିଛି । ଅଖିଲେଶ ଯାଦବ ୟୁପିରେ କଂଗ୍ରେସକୁ ୧୧ ଓ ରାଷ୍ଟ୍ରୀୟ ଲୋକ ଦଳକୁ ୭ ଆସନ ଅଫର କରିଛନ୍ତି । ଇଣ୍ଡିଆ ମେଣ୍ଟ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା। କଂଗ୍ରେସ ଓ ଆରଏଲଡି କିନ୍ତୁ ୨୨ ଓ ୮ ଆସନ ଦାବି କରିଛନ୍ତି।

ସର୍ବାଧିକ ଲୋକସଭା ଆସନ ବିଶିଷ୍ଟ ୟୁପିର ୮୦ ଆସନ ରହିଥିବାବେଳେ ମେଣ୍ଟରେ ଆସନ ବୁଝାମଣାକୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଏସପି । ଯେଉଁଥିରେ ମେନପୁରରୁ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇବେ । ବଦାୟୁରୁ ଧର୍ମେନ୍ଦ୍ର ଯାଦବ, ଖିରିରୁ ଅର୍କେଶ ବର୍ମାଙ୍କ ଭଳି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପୂର୍ବତନ ମନ୍ତ୍ରୀ ଲାଲଜୀ ବର୍ମାଙ୍କୁ ଆମ୍ବେଦକର ନଗର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଏସପି ଛାଡି ଏସପିରେ ଯୋଗ ଦେଇଥିଲେ। ଦଳ ତାଙ୍କୁ କଟେହେରି ବିଧାନସଭା ଆସନରୁ ଟିକେଟ ଦେଇଥିଲା। ନିର୍ବାଚନରେ ଜିତିବା ପରେ ସେ ବିଧାୟକ ହୋଇଥିଲେ। ଜଣେ ବିଧାୟକ ଥିବାବେଳେ ଏସପି ତାଙ୍କୁ ଆନୁଷ୍ଠାନିକ ଭାବେ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଏସପି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଲାଲଜୀ ଟାଣ୍ଡା ଆସନରୁ ମଧ୍ଯ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି।

ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି କିଛି ସମୟ ପାଇଁ ଅତ୍ୟନ୍ତ ସକ୍ରିୟ ଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଦଳର ସଭାପତି ଅଖିଳେଶ ଯାଦବ ଟୁଇଟ୍ କରି ଲେଖିଥିଲେ ଯେ ଇଣ୍ଡିଆ ମେଣ୍ଟରେ ଉତ୍ତରପ୍ରଦେଶରପାଇଁ ସିଟ୍ ବାଣ୍ଟିବା ନେଇ ଏକ ଚୁକ୍ତିନାମା ହୋଇଛି। କଂଗ୍ରେସ ୧୧ ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ତେବେ ଏହା ପରେ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ କହିଥିଲେ ଯେ ସପା ବଡ଼ ହୃଦୟ ଦେଖାଇବା ଉଚିତ୍।

ସେପଟେ ପିଛିଡା (ପଛୁଆ), ଦଳିତ ଏବଂ ଅଳ୍ପସଂଖ୍ୟକ (ସଂଖ୍ୟାଲଘୁ) (ପିଡିଏ) ମାନଙ୍କ ପାଇଁ ସ୍ୱର ଉଠାଇଆସିଛି ସମାଜବାଦୀ ପାର୍ଟି। ଯାହାକୁ ଆଗାମୀ ଦିନମାନଙ୍କରେ ଏହାକୁ ବଜାୟ ରଖି କିପରି ସେମାନଙ୍କୁ ଏକଜୁଟ କରିହେବ ସେ ନେଇ କାମ କରୁଛି। ଖାଲି ସେତିକି ନୁହେଁ, ସମାଜରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ପରି ଅନ୍ୟ ବର୍ଗର ଲୋକଙ୍କୁ କିପରି ଆକୃଷ୍ଟ କରିହେବ, ସେ ନେଇ ମଧ୍ୟ ପ୍ରସ୍ତୁତ ହେଉଛି ଦଳ।

୨୦୧୯ ନିର୍ବାଚନରେ ବିଜେପି ୬୪, ବିଏସପି ୧୦, ସପା ୩, ଅପନା ଦଳ ୨ ଓ କଂଗ୍ରେସ ୧ ଲୋକସଭା ଆସନ ଜିତିଥିଲେ।

Leave A Reply

Your email address will not be published.