Latest Odisha News

BREAKING NEWS

ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି;ଅଦିନିଆ ରଥଯାତ୍ରା ନେଇ ପିଏମ୍‌ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍

ପୁରୀ: ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ ।

ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି, “ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟକୁ ଆଜି ପରିଚାଳନା କମିଟି ବୈଠକରେ ମୋହର ମରାଯାଇଛି । ଶୃଙ୍ଖଳିତ ନୀତି କାନ୍ତି ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଦୃଷ୍ଟିରେ ରଖାଯାଇ ତଥା ନୀତି ବହୁଳତା ପାଇଁ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟକୁ ସ୍ଥଗିତ ରଖିବା ପାଇଁଁ ବୈଠକରେ ନିଷ୍ପତ୍ତି ହୋଇଛି । ଆଗାମୀ ନିଳାଦ୍ରୀ ବିଜେ ପରେ ସମୟ ଏବଂ ଦିନ ଧାର୍ଯ୍ୟ କରାଯାଇ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ”

ସେହିପରି ଭିତର ରତ୍ନଭଣ୍ଡାରରେ ଥିବା ଅନେକ ଅଳଙ୍କାରର ଆକାର ବଡ଼ ଥିବାରୁ ଏହାର ଓଜନ, ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଙ୍ଗ ପାଇଁ ଭିତର ରତ୍ନଭଣ୍ଡାର ରୁ ଖଟ ଶେଯ ଗୃହକୁ ସ୍ଥାନାନ୍ତର କରାଯାଇ ଗଣତି ମଣତି କରାଯିବ । ପୁରୁଣା ସିନ୍ଧୁକ ଗୁଡିକ ମଧ୍ୟ ବାହାରକୁ ସ୍ଥାନାନ୍ତର କରାଯିବ। ଏଣୁ ଏନେଇ ପୁନର୍ବାର ମାର୍ଗଦର୍ଶିକା ରେ ସଂଶୋଧନ କରାଯିବ ବୋଲି କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଆଣିବା ପାଈଁ ରାଜ୍ୟ ସରକାର ଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୁପାରିଶ କରାଯାଇଛି । ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଏକ ଅଭ୍ୟର୍ଥନା କେନ୍ଦ୍ର ଓ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ।‌ ଶ୍ରୀମନ୍ଦିର ୟୁନିଫର୍ମ ପଲିସିରେ ସଂଶୋଧନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଲୋଗୋ ଏବଂ ଚିତ୍ରର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏଥିସହ ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି। ଇସ୍କନ୍ ଏବଂ ଅନ୍ୟ ସଂସ୍ଥା ଅଦିନିଆ ରଥଯାତ୍ରା ଓ ଯାନି ଯାତ୍ରା ଆୟୋଜନ ଉଚିତ୍ ନୁହେଁ । ଏହାକୁ ନେଇ ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଛି।

ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ସରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଭେଟି ଇସ୍କନ୍ ର ଅଦିନିଆ ରଥଯାତ୍ରା ସମ୍ପର୍କରେ ଅବଗତ କରାଇବେ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

 

Leave A Reply

Your email address will not be published.