Latest Odisha News

BREAKING NEWS

ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା; ଚାଲିଛି ଯୋରଦାର ପ୍ରସ୍ତୁତି

ପୁରୀ: ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ । ଏଥିପାଇଁ ଶ୍ରୀମନ୍ଦିର ଭିତରେ ଥିବା ସୁନା କୂଅରୁ ଜଳ ଆସିଥାଏ । ଜଳଲାଗି ନୀତି ପରେ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହା ପରେ ଜ୍ବରରେ ପୀଡିତ ହେବେ ଶ୍ରୀଜିଉ । ୧୫ ଦିନ ଅଣସର ଘରେ ଚାଲିବ ମହାପ୍ରଭୁଙ୍କ ଉପଚାର । ଜ୍ବରରୁ ଭଲ ହେଲା ପରେ ଭାଇଭଉଣୀଙ୍କୁ ସାଥିରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରି ଆସିବେ କାଳିଆ ସାଆନ୍ତେ ।

ସେହି ସମୟରେ ରତ୍ନ ସିହାଂସନରେ ତିନି ଠାକୁରଙ୍କ ବଦଳରେ ପୂଜା ପାଇଥାନ୍ତି ପଟି ଦିଅଁ । ଏହି ପଟି ଦିଅଁ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ ଓ ମହାପ୍ରଭୁଙ୍କ ପାଇଁ ଅନନ୍ତ ନାରାୟଣ ପୂଜା ପାଇବେ ।

ମହାପ୍ରଭୁଙ୍କ ଗଜାନନ ବେଶ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ବେଳେ, ଏହାକୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଯୋନ୍ ଗଠନ କରାଯାଇ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ଚାରି ଜଣ ଏସପି ପାହ୍ୟା ଅଧିକାରୀଙ୍କ ସମେତ ୭0 ପ୍ଲାଟୁନ ରୁ ଅଧିକ ପୋଲିସ ନିୟୋଜିତ ହୋଇଛନ୍ତି । ସମଗ୍ର ସହରକୁ ସିସିଟିଭି ଦ୍ୱାରା ନଜର ରଖାଯାଇଛି ।

ସେହିପରି, ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦଇତାପତି ଓ ଅନ୍ୟାନ୍ୟ ସେବକ ମାନେ ମଙ୍ଗଳାର୍ପଣ ପରେ ଭୋର ୫ଟା ରୁ ଭୋର ୭ଟା ମଧ୍ୟରେ ବିଜେ କରାଇବେ । ସେପଟେ ଆଜି ସେନାପଟା ଲାଗି କାର୍ଯ୍ୟ କରାଯାଇଥିବା ବେଳେ, ଆସନ୍ତାକାଲି ସ୍ନାନ ବେଦୀକୁ ଆଗମନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ସ୍ନାନ ପୂର୍ଣିମା ନୀତିକୁ ଅତ୍ୟନ୍ତ ଶୃଙ୍ଖଳିତ କରାଯିବାକୁ ଲକ୍ଷ ରଖାଯାଇଥିବା ବେଳେ, ଶୃଙ୍ଖଳିତ ଓ ସୁରକ୍ଷିତ ଯାତ୍ରା ସମାପନ ପାଇଁ ସାଧାରଣ ଭକ୍ତଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ସ୍ନାନ ଯାତ୍ରା ଉତ୍ସବ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ପ୍ରଶାସନ ନିକଟରେ ରହିଛି ଏକ ବଡ଼ ଚ୍ୟାଲେଞ୍ଜ ।

 

Comments are closed.