Latest Odisha News

ଚିର ସମର୍ଥା

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ…

ବଡ଼ ବିଚିତ୍ର ଈଶ୍ଵରଙ୍କର ଏ ସୃଷ୍ଟି । ବିଶେଷ କରି ନାରୀକୁ ଗଢିବା ବେଳେ କ’ଣ ତାଙ୍କ ମନରେ ଥାଏ କେଜାଣି କେତେବେଳେ କାହାକୁ ଅପରୂପା କରି ଗଢି ଦେଇ ତା’ ଉପରେ ସଂସାରର ସବୁ ଐଶ୍ୱର୍ଯ୍ୟ ଅଜାଡି ଦିଅନ୍ତି ତ’ ଆଉ କେତେବେଳେ କାହାକୁ ଅରୂପା କରି ତା’ ଉପରେ ସଂସାରର ସବୁ ଦୁଃଖ କଷ୍ଟ ଲଦି ଦିଅନ୍ତି । କେବେ ଆମ ସମାଜ ତା’କୁ ପ୍ରାରବ୍ଧ କହେ ତ କେବେ ଅଭିଶାପ । ନିରୀହ ଶାରିରୀକ ବିକଳାଙ୍ଗ ଶିଶୁଟିଏ ଆମ ସମାଜରେ ଶିଶୁଟିଏ ଥିବାବେଳୁ ବିଭିନ୍ନ ଭାବରେ ଆକ୍ଷେପ, ପରିହାସର ପାତ୍ରଟିଏ ହୋଇ ମାନସିକ ନିର୍ଯ୍ଯାତନା ଭୋଗକରେ। ସେମାନଙ୍କ ମଧ୍ୟରୁ କେହି କେହି ଜୀବନକୁ ବୋଝ ମନେକରି ହାରି ଯାଆନ୍ତି ତ ଆଉ କେହି କେହି ସେଇ ଅକ୍ଷମତାକୁ ଅସ୍ତ୍ର କରି ଜୀବନ ସହିତ ଲଢେଇ କରନ୍ତି। ସ୍ଥଳ ବିଶେଷରେ କେହି କେହି ଜୀବନ ଯୁଦ୍ଧରେ ଜୟଯୁକ୍ତ ହୋଇ ସାରା ସମାଜ ପାଇଁ ଉଦାହରଣ ପାଲଟି ଯାଆନ୍ତି ।

ସେମିତି ଜଣେ ଭିନ୍ନକ୍ଷମ ଯୁଯୁତ୍ସୁ ମହିଳାଙ୍କ କାହାଣୀ ହେଉଛି ଗୁଜୁରାଟର ଜୁନାଗଡ ବାସିନ୍ଦା ନୀଲମ୍ ବେନ୍ ପରମାର । ମାତୃଗର୍ଭରୁ ଏକ ଭୟଙ୍କର ବିରଳ ରୋଗଗ୍ରସ୍ତ ହୋଇ ସେ ଶତକଡା ଅଶୀଭାଗ ପକ୍ଷାଘାତର ଶିକାର ହୋଇ ଜନ୍ମ ନେଇଥିଲେ। ସେତେବେଳେ ତାଙ୍କର ସାରା ପରିବାରକୁ ନିଜ ପରିବାର ଭିତରୁ ଏବଂ ବାହାର ଲୋକମାନଙ୍କ ପାଖରୁ ବିଭିନ୍ନ ପ୍ରକାର ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା ତାଙ୍କ ପାଇଁ । ଏମିତି କି ସମୟ ସମୟରେ ନୀଲମଙ୍କୁ ତାଙ୍କର ସମବୟସ୍କ ପିଲାମାନେ ମଧ୍ୟ ଛିଗୁଲେଇ କହିବାକୁ ପଛାଉନଥିଲେ। କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ମଧ୍ୟ ନୀଲମ ଧୀରେ ଧୀରେ ବଡ ହେଉଥିଲେ। ନିଜର ଶାରିରୀକ ଅକ୍ଷମତା ପାଇଁ କାହାକୁ ଦୋଷ ଦେବେ ବୋଲି ଭାବିପାରୁନଥିଲେ। ଜଣେ ଭିନ୍ନକ୍ଷମ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ କେତେ ଅସୁବିଧା ଭୋଗକରେ ସେ ନିଜ କଥାରୁ ବୁଝି ପାରୁଥିଲେ ତେଣୁ ବାହାରର ଥଟ୍ଟା ଟାପରା କରୁଥିବା ଲୋକମାନଙ୍କ କଥାକୁ ଧ୍ୟାନ ନଦେଇ ସେ ନିଜ ଭଳି ମଣିଷମାନଙ୍କୁ କେମିତି ସାହାଯ୍ୟ କରାଯାଇପାରିବ, ସେଇ କଥା ଚିନ୍ତା କରୁଥିଲେ।

ଦୁଇହଜାର ନଅ ମସିହାରେ ନୀଲମଙ୍କୁ ରାଜସ୍ଥାନର ଏକ ହାସପାତାଳରେ ଚିକିତ୍ସା ପାଇଁ ନିଆଗଲା। ସାଥିରେ ଗଲେ ତାଙ୍କର ବାପା ଏବଂ ସାନ ଭଉଣୀ ରେଖା । ସେଠାରେ ତାଙ୍କର କେତୋଟି ଜଟିଳ ଅପରେସନ୍ କରାଯିବାର ସ୍ଥିରହେଲା, ସେଥିପାଇଁ ତାଙ୍କୁ ପାଖାପାଖି ବର୍ଷଟିଏ ରହିବାକୁ ପଡିଥିଲା ରାଜସ୍ଥାନରେ ଯହିଁରୁ ଅଧିକାଂଶ ସମୟ ସେଇ ହାସପାତାଳରେ କଟାଇବାକୁ ପଡିଥିଲା। ସେଇ ସମୟରେ ସେ ତାଙ୍କରି ଭଳି ଅନେକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖି ତାଙ୍କ ମନରେ ସେମାନଙ୍କ ପାଇଁ କିଛି କରିବାର ଭାବନା ଜାଗ୍ରତ ହୋଇଥିଲା। ତେଣୁ ସେଠାରେ କିଛି ଛୋଟ ଛୋଟ କାମ ଯେମିତି କି କାହା ପାଇଁ ପାଣି ବୋତଲଟିଏ ଆଣିବା ,କାହାପାଇଁ ହୁଇଲ୍ ଚେୟାରଟିଏ ଯୋଗାଇଦେବା ଭଳି ସାହାଯ୍ୟ କରିବାକୁ ଲାଗି ପଡିଥିଲେ ଦୁଇ ଭଉଣୀ ଯାକ। ସେଥିରେ ଖୁବ୍ ଖୁସି ମିଳୁଥିଲା ଦୁହିଁଙ୍କୁ। ଘରକୁ ଫେରିବା ବେଳକୁ ଦୁହେଁ ଅନେକ କିଛି ଚିନ୍ତା କରିସାରିଥିଲେ।

ଡାକ୍ତରମାନଙ୍କ ଅନେକ ଚେଷ୍ଟା ପରେ ମଧ୍ୟ ନୀଲମ୍ ଚାଲି ପାରିଲେନି, ସାରା ଜୀବନ ତାଙ୍କୁ ହୁଇଲ୍ ଚେୟାର୍ ରେ ରହିବାକୁ ପଡିବ ବୋଲି ଜଣାଇଦିଆଗଲା। ତଥାପି ଭିନ୍ନକ୍ଷମମାନଙ୍କ ପାଇଁ କିଛି କରିବାର ମନୋବୃତ୍ତି ତାଙ୍କ ଭିତରେ ଦିନକୁ ଦିନ ଦାନାବାନ୍ଧୁଥିଲା। ତାଙ୍କୁ ସର୍ବତୋଭାବେ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ତାଙ୍କର ପରିବାର। ନୀଲମଙ୍କର ବାପା ଜୁନାଗଡରେ ଛୋଟ ଗ୍ୟାରେଜଟିଏ କରି କଷ୍ଟେମଷ୍ଟେ ତାଙ୍କର ପରିବାର ଚଳାନ୍ତି। ସେମିତି କିଛି ଜମା ପୁଞ୍ଜି ନାହିଁ ତାଙ୍କର। କିଛି କରିବା ପାଇଁ ହେଲେ କିଛି ଟଙ୍କାପଇସା ତ ନିଶ୍ଚୟ ଲୋଡା। ସେ ସବୁ ଆସିବ କେଉଁଠୁ ? ସେଥିପାଇଁ ନୀଲମ ନିଜେ ଘରେ ବସି ପିଲାମାନଙ୍କୁ ଟିଉସନ ପଢାଇଲେ, ତାଙ୍କ ସାନ ଭଉଣୀ ରେଖା ବାହାରକୁ ଯାଇ କୋଚିଂ ସେଣ୍ଟରମାନଙ୍କରେ ପାଠ ପଢାଇଲେ। ଧୀରେ ଧୀରେ ସେମାନଙ୍କ ପାଖରେ କିଛି ପଇସା ପତ୍ର ସଞ୍ଚିତ ହୋଇଯିବା ପରେ ତାଙ୍କର ବାପାଙ୍କ ପାଖରୁ ମଧ୍ୟ କିଛି ଟଙ୍କା ସାହାଯ୍ୟ ନେଇ ଦୁଇ ହଜାର ବାର ମସିହାରେ ସେମାନେ ଜୁନାଗଡର ଦୌଲତପାରା ଅଞ୍ଚଳରେ ଗୋଟିଏ ଛୋଟ ଘରଭଡା ନେଇ ଆଶ୍ରମଟିଏ ଖୋଲି ସେଠାରେ ପ୍ରଥମେ ଦୁଇଟି ଦିବ୍ୟାଙ୍ଗ ଝିଅଙ୍କୁ ଆଣି ରଖି ସେମାନଙ୍କର ସବୁ ଦାୟିତ୍ଵ ନେଲେ । ସେଇ ଦୁଇ ଝିଅଙ୍କର ଖାଦ୍ୟପେୟ, ପୋଷାକପତ୍ର , ଚିକିତ୍ସା , ପାଠ ପଢା ଇତ୍ୟାଦି ଇତ୍ୟାଦି ଅନେକ କାମ କରିବାକୁ ପଡୁଥିଲା ନୀଲମ ଆଉ ରେଖାଙ୍କୁ ।

 

ଧୀରେ ଧୀରେ ଲୋକମାନେ ସେମାନଙ୍କ ବିଷୟରେ ଜାଣିଲେ। କେହି କେହି ନୀଲମଙ୍କ ଭଳି ଦିବ୍ୟାଙ୍ଗ ଝିଅର ଏ ସାହସ ଦେଖି ଉତ୍ସାହିତ କରିବା ପାଇଁ ଆଗଭର ହୋଇ କିଛି ଆର୍ଥିକ ସାହାଯ୍ୟ କଲେ ତ ଆଉ କେହି ଗୋଟିଏ ଦିବ୍ୟାଙ୍ଗ ଆଉ କେଉଁ ଦିବ୍ୟାଙ୍ଗକୁ କେମିତି ସାହାଯ୍ୟ କରିପାରିବ କହି ନାକ ଟେକିଲେ। ତଥାପି ନୀଲମ ଆଉ ରେଖା ପରମାର୍ ସେମାନଙ୍କ ଚେଷ୍ଟା ରୁ ନିବୃତ୍ତ ହେଲେ ନାହିଁ । କେଉଁ ଅଭିଭାବକ ସେମାନଙ୍କ ଉପରେ ଭରସା କରି ନିଜର ଦିବ୍ୟାଙ୍ଗ ପିଲାକୁ ଆଣି ସ୍ୱତଃ ପ୍ରବୃତ୍ତ ଭାବରେ ତାଙ୍କ ପାଖରେ ଛାଡି ଦେଇ ଗଲେ ତ ଆଉ କେଉଁଠି ପରିତ୍ୟକ୍ତ ଅବସ୍ଥାରେ କେହି ଛାଡିଯାଇଥିବା ପିଲାଟିଏର ଖବର ପାଇ ତା’କୁ ଉଦ୍ଧାର କରି ଆଣି ନିଜ ପାଖରେ ରଖିଲେ। ଏବେ ଦିବ୍ୟାଙ୍ଗମାନଙ୍କ ସହିତ ମାନସିକ ଅନଗ୍ରସର ପିଲା ମଧ୍ୟ ଆସୁଥିଲେ ନୀଲମଙ୍କ ସେବା ଗୃହକୁ । ଧୀରେ ଧୀରେ ଆଶ୍ରମରେ ପିଲାମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସେମାନେ ଜୁନାଗଡର ବାଲା ଗାଆଁରେ ବଡଘରଟିଏ ଭଡା ନେଇ ସେଠାରେ “ସନ୍ତ୍ୱନ ବିକଳାଙ୍ଗ ବିକାଶ ମଣ୍ଡଳ “ ନାମରେ ସ୍ୱେଚ୍ଛାସେବୀ ସଂସ୍ଥାଟିଏ ଚଳାଇଲେ।

ରେଖା ବେନ୍ ଏବେ କୋଚିଂ ସେଣ୍ଟର ଛାଡି ଗୋଟିଏ କମ୍ପାନୀରେ କାମ କରୁଥିଲେ। ଆଉ ଦୁଇଜଣ ସହାୟକଙ୍କୁ ନିଯୁକ୍ତି ଦେଇଥିଲେ ପିଲାମାନଙ୍କୁ ଦେଖାଶୁଣା କରିବା ପାଇଁ । ସେଠାରେ ପିଲାମାନଙ୍କ ରକ୍ଷଣାବେକ୍ଷଣର ସୁବ୍ୟବସ୍ଥା ସହିତ ସେମାନଙ୍କୁ ତାଙ୍କ ସାମର୍ଥ୍ୟ ମୁତାବକ ଧନ୍ଦାମୂଳକ ଶିକ୍ଷା ଦିଆ ଯାଉଥିଲା , ଯଦ୍ୱାରା କି ବଡ ହୋଇ ସେମାନେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ। ଧୀରେ ଧୀରେ ନୀଲମ୍ ଏବଂ ରେଖା ବେନ୍ ପରମାରଙ୍କ ସେବା ମନୋବୃତ୍ତି ଏବଂ “ସନ୍ତ୍ୱନ ବିକଳାଙ୍ଗ ବିକାଶ ମଣ୍ଡଳ “ର ପ୍ରଚାର ପ୍ରସାର ହେଉଥିଲା। ମାନବ ସେବାରେ ଆଗ୍ରହ ରଖୁଥିବା ମଣିଷମାନେ ଆଗେଇ ଆସୁଥିଲେ ନୀଲମଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ।

ନୀଲମ୍ କୁହନ୍ତି ଶାରିରୀକ ହେଉ ବା ମାନସିକ ହେଉ ବିକଳାଙ୍ଗ ପିଲାମାନେ ଜୀବନରେ ଏତେ ମାନସିକ ଆଘାତ ପାଇଥାନ୍ତି ଯେ ସେମାନେ ସହଜର କୌଣସି କଥା ବୁଝିବା ପାଇଁ ରାଜି ହୁଅନ୍ତି ନାହିଁ, ସେମାନଙ୍କୁ ବୁଝାଇବା ପାଇଁ ବହୁତ ଧୈର୍ଯ୍ୟ ଏବଂ କୋମଳତା ଆବଶ୍ୟକ । ଭିନ୍ନକ୍ଷମପିଲାମାନେ ଥରେ କୌଣସି କଥା ବୁଝିଗଲେ ଆଉ ଅମାନିଆଁ ହୁଅନ୍ତି ନାହିଁ କି ଥରେ ଗୋଟିଏ ବାଟ ଦେଖିଦେଲେ ତା’କୁ ଭୁଲନ୍ତି ନାହିଁ । ତା’ପରେ ବିନା ସହାୟତାରେ ନିଜେ ସେଇ କାମଟିକୁ କରିବାକୁ ଚେଷ୍ଟା କରନ୍ତି, ଏହା ତାଙ୍କର ମାନସିକତା ବଦଳାଇବାରେ ସହାୟକ ହୁଏ। ସେମାନେ ଖୁବ୍ ସ୍ନେହକାଙ୍ଗାଳ ହୋଇଥାନ୍ତି । ଟିକିଏ ସ୍ନେହ ଆଦର ପାଇଲେ ସେମାନେ ଅସମ୍ଭବ କାମକୁ ସମ୍ଭବ କରି ଦେଖାନ୍ତି। କେବଳ ତାଙ୍କୁ ଉତ୍ତମ ବ୍ୟବହାର, ଉପଯୁକ୍ତ ଖାଦ୍ୟପେୟ, ଉପଯୁକ୍ତ ଚିକିତ୍ସା ଏବଂ ସ୍ୱଚ୍ଛ ବାତାବରଣ ଟିଏ ଲୋଡା।

ରେଖା କୁହନ୍ତି ଏଇ ଭିନ୍ନକ୍ଷମ ପିଲାମାନେ ଖୁବ୍ ସମ୍ବେଦନଶୀଳ । ସେମାନଙ୍କର କ’ଣ ଦରକାର ବା କ’ଣ ଅସୁବିଧା ହେଉଛି ସହଜରେ ଜଣାପଡେନାହିଁ । ତାଙ୍କୁ ଭୋକ ହେଉଛି, କି ପେଟ କାଟୁଛି, କି କାନ ବିନ୍ଧୁଛି, କି ଆଉ କ’ଣ ଅସୁବିଧା ହେଉଛି, ସେକଥା ବୁଝିବା ଖୁବ୍ କଷ୍ଟକର ହୋଇଥାଏ। ଆମେ ସେମାନଙ୍କ ଅଙ୍ଗଭଙ୍ଗୀ, ମୁହଁର ଭାବକୁ ଲକ୍ଷ୍ୟ ରଖି ସେମାନଙ୍କ କଥା ବୁଝିବାରେ ସକ୍ଷମ ହେଉ ଏବଂ ସେଇ ଅନୁସାରେ ସେମାନଙ୍କ କାମ କରିଥାଉ । ବେଳେବେଳେ କେହି କେହି ତ ସେମାନଙ୍କ ଦେହରେ ଟିପ ଛୁଆଁଇ ଦିଅନ୍ତି ନାହିଁ ,ବହୁତ ପ୍ରଚେଷ୍ଟା କରି ସେମାନଙ୍କ କାଣି ଆଙ୍ଗୁଠିକୁ ଧରି କିମ୍ବା ନରମ ରୁମାଲ ଖଣ୍ଡେ ସେମାନଙ୍କ ହାତକୁ ବଢେଇ ଦେଇ ସେମାନଙ୍କୁ ମନେଇବାକୁ ପଡିଥାଏ, ତାଙ୍କର ଦୁଇ ହାତକୁ ନୀଲମ୍ ଦିଦି ଆଉ ମୁଁ ଦୁଇପଟେ ଧରିଧରି ଚଲାଉ, ଧୀରେ ଧୀରେ ସେ ବୁଝିପାରେ ଆମକୁ । ସେମାନଙ୍କ ମନକଥା ବୁଝି ତାଙ୍କର ଆସ୍ଥାଭାଜନ ହେବା ସହଜସାଧ୍ୟ ନୁହେଁ । ବେଳେବେଳେ ନୀଲମ୍ ଦିଦି ଆଉ ମୋତେ ପାଳିକରି ରାତି ଅନିଦ୍ରା ରହି ସେମାନଙ୍କ ଦେଖାଶୁଣା କରିବାକୁ ପଡିଥାଏ।ସେଇ କାମରେ କଷ୍ଟ ତ ଅଛି କିନ୍ତୁ ତା’ଠାରୁ ଅଧିକ ଆନନ୍ଦ ମିଳିଥାଏ ଆମକୂ। ସେମାନଙ୍କ ସେବା କରି କେମିତି ଏକ ଅଦ୍ଭୁତ ମାନସିକ ଶାନ୍ତି ମିଳିଥାଏ ଆମ ଦୁଇ ଭଉଣୀଙ୍କୁ। ଏହା ଈଶ୍ବରଙ୍କ ଆଶୀର୍ବାଦ ବୋଲି ଆମେ ମନେକରୁ ।

ଅଧୁନା “ସନ୍ତ୍ୱନ ବିକଳାଙ୍ଗ ବିକାଶ ମଣ୍ଡଳ “ ରେ ଅଛନ୍ତି ନଅ ମାସ ର ଶିଶୁ ଠାରୁ ଆରମ୍ଭ କରି ପଚାଶ ପାରେଇ ଥିବା ସମୁଦାୟ ଚାଳିଶି ରୁ ଉର୍ଦ୍ଧ୍ବ ମାନସିକ, ଶାରିରୀକ ବିକଳାଙ୍ଗ ମଣିଷ ମାନେ।ସେଇ ଭିନ୍ନକ୍ଷମ ମଣିଷମାନଙ୍କ ଦେଖାଶୁଣା କରିବା ପାଇଁ ନୀଲମ୍ ଆଉ ରେଖାଙ୍କୁ ସହାୟତା କରୁଛନ୍ତି ପନ୍ଦର ଜଣ ସହାୟକ । ମଣ୍ଡଳର ଅନ୍ତେବାସୀମାନଙ୍କୁ ଠିକ୍ ସମୟରେ ନିତ୍ୟକର୍ମ କରାଇବା, ଦିନକୁ ତିନି ଥର ପୁଷ୍ଟିକର ଭୋଜନ ଖୁଆଇବା , ମେଡିକାଲ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ମାନସିକ ସ୍ତରରେ ସୁଦୃଢ କରିବା ପାଇଁ , ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ, ଅନବରତ ପ୍ରୟାସ ଜାରି ରଖିଛନ୍ତି ନୀଲମ୍ ଏବଂ ରେଖା ବେନ୍ ପରମାରଙ୍କ ଟିମ୍ । କେବଳ ସେଥିପାଇଁ ସେମାନଙ୍କର ମାସିକ ଖର୍ଚ୍ଚ ହେଉଛି ପ୍ରାୟ ଚାରିଲକ୍ଷ ଟଙ୍କା , ଯାହା ନୀଲମ୍ ଏବଂ ରେଖା ବେନ୍ ପରମାରଙ୍କର ବ୍ୟକ୍ତିଗତ ପରିଶ୍ରମର ରୋଜଗାର ଏବଂ ଦାତାମାନଙ୍କ ଦାନ ଅର୍ଥରୁ ଖର୍ଚ୍ଚ ହେଉଛି। ତେବେ ଆହୁରି କିଛି ଉନ୍ନତିମୂଳକ କାର୍ଯ୍ୟ କରିବା ଲାଗି ସରକାରଙ୍କ ଅନୁଦାନ ପାଇଁ ଅପେକ୍ଷା କରିଛନ୍ତି ସେମାନେ।

ହୁଇଲ୍ ଚେୟାର୍ ଉପରେ ବସିଥିବା ନୀଲମଙ୍କୁ ଦେଖି କେହି ଭାବି ପାରିବେନି ଯେ ଜଣେ ଦିବ୍ୟାଙ୍ଗ ଙ୍କ ଭିତରେ ଏମିତି ଦୃଢ ମାନସିକତା ଭରି ରହିଛି ବୋଲି। ନୀଲମଙ୍କର ସଦା ହସ ହସ ସେଇ ମୁହଁଟି ଦେଖିଲେ ଚିନ୍ତା କରି ହୁଏନାହିଁ ଯେ ତାଙ୍କ ଭିତରେ କିଛି ଶାରିରୀକ କି ମାନସିକ କଷ୍ଟ ଅଛି ବୋଲି। ନିଜ ଶାରିରୀକ ଅକ୍ଷମତାକୁ ଅସ୍ତ୍ର କରି ସେ ଅନବରତ ଯୁଝି ଚାଲିଛନ୍ତି ଆଉ କିଛି ଭିନ୍ନକ୍ଷମ ମାନଙ୍କ ମୁହଁରେ ହସ ଫୁଟାଇବାକୁ, ସେମାନଙ୍କ ଜୀବନର ଚଲାପଥକୁ ସୁଗମ ଏବଂ ସରଳ କରିଦେବାକୁ । କେତେ ମହତ୍ତର ଉଦ୍ଦେଶ୍ୟ ତାଙ୍କର ସତେ। ସାନ ଭଉଣୀ ରେଖା ପରମାର ମଧ୍ୟ ସ୍ୱେଚ୍ଛାରେ ସାମିଲ୍ ହୋଇଛନ୍ତି ତାଙ୍କ ସହିତ ଏବଂ ନିଃସ୍ୱାର୍ଥ ଭାବରେ ମାନବସେବା କରି ଚାଲିଛନ୍ତି କାୟମନୋବାକ୍ୟରେ । ଧନ୍ୟ କହିବ ସେ ଦୁଇ ଭଉଣୀଙ୍କ ସାହସକୁ । ଧନ୍ୟ ତାଙ୍କର ପିତାମାତା ଯିଏ ଏମିତିକା ଦୁଇ ଦେବୀ ପ୍ରତିମାଙ୍କୁ ଜନ୍ମ ଦେଇଛନ୍ତି ।

 

Comments are closed.