Latest Odisha News

BREAKING NEWS

ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସମୀକ୍ଷା କରିଛନ୍ତି । ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସକାଳ ୧୦ ଟା ସମୟରେ କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହି ସମୟରେ କ୍ରୀଡ଼ା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା, ସ୍ୱତନ୍ତ୍ର ଶାସନ ସଚିନ ଅରବିନ୍ଦ ଅଗ୍ରୱାଲ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

କ୍ରୀଡ଼ା ସଚିବ ଆର. ଭିନୀଲ କ୍ରିଷ୍ଣା ଓଡ଼ିଶାର କ୍ରୀଡ଼ା ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ବିଗତ ବର୍ଷ ଗୁଡ଼ିକରେ ରାଜ୍ୟ ସରକାରଙ୍କ ପଦକ୍ଷେପ, ଉପଲବ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ସୁରଜ କ୍ରୀଡ଼ା ଇକୋସିଷ୍ଟମର ବିଭିନ୍ନ ଦିଗର ସମୀକ୍ଷା କରିବା ସହ ତୃଣମୂଳ ସ୍ତରର କ୍ରୀଡ଼ା ବିକାଶ ଏବଂ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ସାମଗ୍ରିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I

ଏହି ଅବସରରେ ୨୦୨୪ ଜୁନ୍ ୨୧ ତାରିଖରେ ସମଗ୍ର ରାଜ୍ୟରେ ସାମୂହିକ ସ୍ତରରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ । ଯୋଗ ସମ୍ପର୍କରେ ସଚେତନ କରିବା ଏବଂ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରମୁଖ ତଥା ଐତିହାସିକ ସ୍ଥାନରେ ଆୟୋଜନ କରାଯିବ । ଏଥି ସହିତ ଜିଲ୍ଲା, ବ୍ଲକ ଏବଂ ପୌରାଞ୍ଚଳ ମାନଙ୍କରେ ପାଳନ କରିବା ନେଇ ଆଲୋଚନା ହୋଇଥିଲା I

ଏହି ଅବସରେ ସେ କ୍ରୀଡ଼ା କେନ୍ଦ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରିବା ସହ ସେଠାକାର ପ୍ରଶିକ୍ଷଣ ବ୍ୟବସ୍ଥା ପଚାରି ବୁଝିଥିଲେ I ସେ ଆଥଲେଟ ତଥା ସ୍ପୋର୍ଟ୍ସ ହଷ୍ଟେଲ ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ I

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଏହାର ବିଶ୍ୱସ୍ତରୀୟ ସୁବିଧା ଏବଂ କ୍ରୀଡ଼ାବିତମାନଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି । ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ନିରନ୍ତର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରର ବିକାଶ ଉପରେ ଆମେ ଅଧିକ ଧ୍ୟାନ ଦେବୁ I

କ୍ରୀଡାର ବିକାଶରେ ଭିତ୍ତିଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ଏହା ତୃଣମୂଳ ସ୍ତରରେ ଉପଲବ୍ଧ ହେବ I ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ଗଠନ ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ କିଭଳି ଓଡ଼ିଶାର ଏକ ବିଶେଷ ପରିଚୟ ସୃଷ୍ଟି ହୋଇ ପାରିବ ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ I

Leave A Reply

Your email address will not be published.