Latest Odisha News

BREAKING NEWS

ଭୟଙ୍କର ରୂପ ନେଇ ପାଖେଇ ଆସୁଛି ବାତ୍ୟା

ଭୁବନେଶ୍ବର : ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ୟାସ୍ । ଦୂରତା ଯେତିକି କମୁଛି, ଲୋକଙ୍କ ମନରେ ସେତିକି ବଢୁଛି ଛନକା । ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବଢ଼ିଲାଣି ପବନର ବେଗ । ତାସାଙ୍ଗକୁ ବର୍ଷା ବି ବଢ଼ିବାରେ ଲାଗିଛି । ତେବେ ଆସନ୍ତାକାଲି ଭଦ୍ରକ ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୪୦ରୁ ୧୫୫ କିଲୋମିଟର ରହିବ । ବେଳେ ବେଳେ ଘଣ୍ଟା ପ୍ରତି ୧୮୦ କିଲୋମିଟର ଝଟକା ଦେଇପାରେ ପବନର ବେଗ । ଆସନ୍ତା କାଲି ଭୋର ୪ଟାରୁ ସକାଳ ୮ଟା ଭିତରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ।

ବାତ୍ୟା ପାଇଁ ୭୭ଟି ବ୍ଲକକୁ ଉଚ୍ଚ ପ୍ରଭାବିତ ଜୋନରେ ରଖାଯାଇଛି । କିଛି କିଛି ସ୍ଥାନରେ ୪ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ । ବାତ୍ୟାକୁ ନଜରରେ ରଖି ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ୪୫୦୦ ମହିଳାଙ୍କ ମଧ୍ୟରୁ ପ୍ରାୟ ୧ହଜାର ମହିଳାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ଆଜି ୪୦୦ ଜଣ ସନ୍ତାନ ଜନ୍ମ କରିସାରିଛନ୍ତି । ସ୍ଥାନାନ୍ତର ବେଳେ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଲୋକଙ୍କୁ ଅନୁରୋଧ କରାଯାଇଛି । ଆଜି ରାତି ୯ଟା ସୁଦ୍ଧା ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ ହେବ । ସେହିପରି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଖାସକରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳବ ବୋଲି କହିଛନ୍ତି ଏସଆରସି ।

Leave A Reply

Your email address will not be published.