Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶ୍ରୀହନୁମାନ ଜୟନ୍ତୀ: ଆଜ୍ଞାମାଳ ମିଳିବାପରେ ପାଇଲେ ପୂଜା

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି । ଓଡ଼ିଶାର ଘରେ ଘରେ ପଣା ସଂକ୍ରାନ୍ତି ଭାବେ ଏହି ଦିବସଟିକୁ ପାଳନ କରାଯାଇଛି । ଆଜିର ଦିନରେ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ହନୁମାନଜୀଙ୍କ ଜୟନ୍ତୀ । ଶ୍ରୀକ୍ଷେତ୍ରସ୍ଥିତ ଶ୍ରୀମନ୍ଦିରରେ ଆଜି ହନୁମାନଜୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶ୍ରୀହନୁମାନ ଶ୍ରୀକ୍ଷେତ୍ରକୁ ଜଗି ରହିଛନ୍ତି । କେବଳ ଶ୍ରୀମନ୍ଦିର ମଧ୍ୟରେ ଯେ ହନୁମାନ ରହିଛନ୍ତି ତାହା ନୁହେଁ ବରଂ ପୁରୀ ସହରର ବିଭିନ୍ନ ସ୍ଥାନରେ ରହି ମହାପ୍ରଭୁଙ୍କ ସେବା କରି ଚାଲିଛନ୍ତି ।

ସକାଳ ଧୂପ ସରିବା ପରେ ଦକ୍ଷିଣି ଘରେ ବିରାଜମାନ କରୁଥିବା ଶ୍ରୀହନୁମାନ ଆଜ୍ଞାମାଳ ପାଇ ଝୁଲଣ ମଣ୍ତପ ତଳେ ଥିବା ବିମାନରେ ବିଜେ କରିଥିଲେ । ଘଣ୍ଟ ଛତା କାହାଳୀ ସହ ପଟୁଆରରେ ପୂଜାପଣ୍ତା ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଣିଥିବା ଆଜ୍ଞାମାଳ ଶ୍ରୀମନ୍ଦିରସ୍ଥ ଚାରିଦ୍ୱାର ମହାବୀର ଓ ବାର ଭାଇ ହନୁମାନଙ୍କୁ ପ୍ରଦାନ କରିବା ପରେ ବିମାନବଡୁ ସେବକଗଣ ବିମାନକୁ ସ୍କନ୍ଧରେ ବହନ କରି ଶ୍ରୀହନୁମାନଙ୍କୁ ଜଗନ୍ନାଥ ବଲ୍ଲଭ ମଠରେ ଭୋଗ ଓ ବନ୍ଦାପନା କରିଥିଲେ । ଚଳନ୍ତି ପ୍ରତିମା ଶ୍ରୀହନୁମାନ ବାହୁଡା ବିଜେ କରି ଦକ୍ଷିଣି ଘର ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଚାରି ଦ୍ୱାରରେ ରକ୍ଷକ ଭାବେ ରହିଛନ୍ତି ଶ୍ରୀହନୁମାନ । ଶ୍ରୀମନ୍ଦିରରୁ ଶ୍ରୀହନୁମାନ ଆଜ୍ଞାମାଳ ପାଇ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠକୁ ଯିବା ପରେ ଭୋଗ ମଣ୍ତପ ମଇଲମ, ମହାସ୍ନାନ, ଚନ୍ଦନ, ସର୍ବାଙ୍ଗ ନୀତି ହୋଇ ଦ୍ୱିପ୍ରହର ଧୂପ ଟେରା କରାଯାଇଥିଲା ।ପୁଜାପଣ୍ତା ଏହି ସମୟରେ ଚାରି ଦିଗରେ ଦିଗବଳି ଦେବା ପରେ ଭୋଗ ମଣୋହି କରିଥିଲେ ଓ ଏହାପରେ ଅନ୍ୟାନ୍ୟ ନୀତିମାନ କରାଯାଇଥିଲା । ଚାରିଦ୍ୱାରରେ ଥିବା ଫତେହ ହନୁମାନ, ତପସ୍ୱୀ ହନୁମାନ, ବାରଭାଇ ହନୁମାନ ଏବଂ କାନପତା ହନୁମାନଜୀ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରିଥିଲେ । ସେଠାରେ ପାରମ୍ପକରିକ ଭାବେ ହନୁମାନଜୀଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଛି ।

ସେହିପରି ଭାବେ ଆଜି ହନୁମାନ ଜୟନ୍ତୀ ଅବସରରେ ପୁରୀରେ ଥିବା ସମସ୍ତ ଯାଗାଘରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି ।

ଜାଗାଘରଗୁଡ଼ିକରେ ଆଜି ବିଶେଷ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଲକ୍‌ଡ଼ାଉନ ଯୋଗୁଁ ନିରାଡ଼ମ୍ବର ଭାବେ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.