ପୁରୀ: ଆଜି ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଦଶମୀ ତିଥିରେ ଆଜି ଚକାବିଜେ କରିବେ ଶ୍ରୀଜୀଉ । ସ୍ନାନପୂର୍ଣ୍ଣିମା ଦିନଠାରୁ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯିବ ।
ସେପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ଦଶମୂଳମୋଦକ ଆଜି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଛି । ରାଜବୈଦ୍ୟ ମାନେ ଦଶ ପ୍ରକାରର ଚେର ମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଏହି ଔଷଧକୁ ବୈଦ୍ୟ ମାନେ ପ୍ରସ୍ତୁତ କରି ଆଜି ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରିଛନ୍ତି । ଶାଳପର୍ଣ୍ଣି, ବେଲ, ଖଣିବଧୂ, ପାଟଳି, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୁଡା, ଲବଙ୍ଗ, ଦେଶୀଘିଅ, ମହୁ, ନବାତ, ଖୁଆ, ଆଦି ବିଭିର୍ଣ୍ଣ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି ।
ଆସନ୍ତାକାଲି ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀଜୀଉ । ଲୋକକଥା ଅନୁଯାଇ ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ସେବେଠାରୁ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳ ସଂଗ୍ରହ କରି ଦେବସ୍ନାନ ପୂର୍ଣ୍ଣିମାରୁ ହିଁ ଦଶମୂଳ ମୋଦକର ପ୍ରସ୍ତୁତି ଆରମ୍ଭ ହୁଏ ବୋଲି କହିଛନ୍ତି ରାଜବୈଦ୍ୟ ।
ଆସନ୍ତାକାଲି ଏକାଦଶୀରେ ଦଶମୂଳମୋଦକ ସେବନ ପରେ ପରଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜଙ୍କୁ ଦେବାର ପରମ୍ପରା ରହିଛି ।
Comments are closed.