ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ବିକଳରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱୟଂ ନାରାୟଣ ଉଭା ହେବା ସହ ଚକ୍ରପେଶୀ କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ ।
ସେହି ପୌରାଣିକ ଗାଥା ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି । ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରିଥିଲେ । ଏହା ପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇ ଯାଇଥିଲା । ୧୫୭୫ରେ ରାମଚନ୍ଦ୍ର ଦେବ ଏହି ବେଶର ପୁନଃ ପ୍ରଚଳନ କରିଥିଲେ ।ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ ।
ମଠଟିର ଅବଲୁପ୍ତି ପରେ କିଛି ବର୍ଷ ପାଇଁ ମନ୍ଦିର ପ୍ରଶାସନ ଖର୍ଚ୍ଚରେ ଏହି ବେଶ ଅନୁଷ୍ଠିତ ହୋଇଥିଲା ।
ଗଜଉଦ୍ଧାରଣ ବେଶ ଦିପ୍ରହର ଧୂପ ସରିବା ପରେ ସନ୍ଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ । ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୂଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀଜଗନ୍ନାଥ ଗରୁଡ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ ।
ପକ୍ଷ ବିସ୍ତାର କରୁଥିବା ଗରୁଡ ପୃଷ୍ଠରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମଧରି ମହାପ୍ରଭୁ ବସିଥାନ୍ତି । ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରିରେ ନିର୍ମିତ ଶଙ୍ଖ,ଚକ୍ର ଏବଂ ନିମ୍ନ ଦୁଇ ହସ୍ତରେ ହଳ ଓ ମୂଷଳ ଧରିଥାନ୍ତି । ସୁଭଦ୍ରା ଦୁଇଭୂଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଢ଼ଙ୍ଗରେ ଛିଡା ହୋଇଥାନ୍ତି । ଏହି ବେଶରେ କାଠ ଓ ଶୋଲରେ ଦୁଇଟି ହସ୍ତୀ ବ୍ୟବହୃତ ହୋଇଥାଏ ।
ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ । କ୍ଷୀରୀ ଓ ଅମାଲୁ ଭୋଗ ସ୍ୱତନ୍ତ୍ର ରୂପେ ଅର୍ପିତ ହୋଇଥାଏ ।
Comments are closed.