Latest Odisha News

BREAKING NEWS

ଜାଣନ୍ତୁ, ଶ୍ରୀମନ୍ଦିରସ୍ଥ ସର୍ବପୁରାତନ କଳ୍ପବଟର ଅପୂର୍ବ ମହିମା…

ପୁରୀ: କଳ୍ପବଟ ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ବିଶ୍ୱାସର ପ୍ରତୀକ । ପ୍ରଳୟ ଶେଷ ସବୁ ସମୟରେ ଏହା ବିଦ୍ୟମାନ । ଭଗବାନ ବିଷ୍ଣୁ ସ୍ୱୟଂ ଶିଶୁ ରୂପରେ ବଟ ପତ୍ରରେ ଶୟନ କରି ଭାସୁଥିବା ଓ ଜଗନ୍ନାଥଙ୍କ ଦାରୁ ବିଗ୍ରହ ପୂର୍ବରୁ ନୀଳମାଧମ ରୂପେ ବିଶ୍ୱାବସୁ ଶବର ପୂଜା କରୁ ଥିବାର କିମ୍ବଦନ୍ତୀ ରହିଛି ।

କଳ୍ପବଟ ଓ ବାଞ୍ଛାବଟ ଦୁଇଟି ପ୍ରାଚୀନ ପାବନସ୍ଥଳୀ । ଏହାର ଚାରିପଟେ ବଟେଶ୍ୱର, ବଟକୃଷ୍ଣ, ବାଳମୁକୁନ୍ଦ, ବଟମଙ୍ଗଳା, ବଟ ନାରାୟଣ, ବଟଗଣେଶ, ରାଧାକୃଷ୍ଣ, ବଟ ଅବକାଶ, ପଞ୍ଚୁ ପାଣ୍ଡବ, ମହାଦେବ ପ୍ରମୁଖ ରହିଛନ୍ତି ।

ବିଶ୍ୱାସ ରହିଛି କଳ୍ପବଟରେ ଡୋରି ବାନ୍ଧିଲେ ମନୋସ୍କାମନା ପୂର୍ଣ୍ଣ ହୁଏ । ଏହି ବିଶ୍ୱାସ ନେଇ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଛୁଟି ଆସନ୍ତି ଭକ୍ତମାନେ । କଳ୍ପବଟ ଚତୁଃବର୍ଣ୍ଣ ଫଳପ୍ରଦ ମୁଖ୍ୟ ପାବନକାରୀ ତୀର୍ଥ ।

ପ୍ରାୟ ସମସ୍ତ ଧର୍ମ ପୁରାଣରେ ଯଥା ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ତୀର୍ଥ ଚିନ୍ତାମଣି, ଭାଗବତ ମହାପୁରାଣ ହରିବଂଶ, ଭବିଷ୍ୟ ପ୍ରେମ, ପ୍ରେମ ଭକ୍ତି ପ୍ରଭୃତିରେ ଏହାର ମାହାତ୍ମ୍ୟ ବର୍ଣ୍ଣନା ହୋଇଛି ।

କାର୍ତିକ ଶୁକ୍ଲ ତ୍ରୟୋଦଶୀରେ ବଟ ଦେବତାଙ୍କର ଜୟନ୍ତୀ ଉତ୍ସବ ପାଳିତ ହୁଏ । ପଞ୍ଚୁକ ଅବସରରେ କଳ୍ପବଟର ପୂଜା ଆରାଧାନ ପରମ ପବିତ୍ର ଓ ତାତ୍ପର୍ଯ୍ୟପୂର୍ଣ୍ଣ ।

ଶ୍ରୀମନ୍ଦିର ବେଢ଼ା ପରିକ୍ରମା ସମୟରେ କଳ୍ପବଟ ତଳେ ବସି ନୀଳଚକ୍ର, ପତିତପାବନ, ଧ୍ୱଜାବୀର-କପିଚକ୍ରକୁ ଚାହିଁ ପ୍ରଣିପାତ କଲେ ରିଷ୍ଟ ଖଣ୍ଡନ ସହ ସିଦ୍ଧି, ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

କୁହାଯାଏ କଳ୍ପବଟ ଦର୍ଶନ କରିବା ମାତ୍ରେ ଏହାର ଛାଇରେ ବାରମ୍ବାର ପଦ ପକାଇବା ଜରୁରୀ । ଏହା କରିବା ଦ୍ୱାରା ସର୍ବ ପାପକୁ ଅନନ୍ତ ଗର୍ଭରେ କ୍ଷୟ କରି ପୂଣ୍ୟକୁ ଅକ୍ଷୟ କରି ତୋଳିବାରେ ସହାୟକ ହୋଇଥାଏ ।

ଶହଶହ ବର୍ଷ ଧରି ଛିଡା ହୋଇଥିବା ଏହି କଳ୍ପବଟ ନିକଟରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ କ୍ଷତି ଗ୍ରସ୍ତ ହୋଇଥିଲେ ମଧ୍ୟ ଭାଙ୍ଗିଯାଇନାହିଁ । ଯାହା ଭକ୍ତଙ୍କ ବିଶ୍ୱାସକୁ ଆହୁରି ସୁଦୃଢ କରିଛି ।

Leave A Reply

Your email address will not be published.