ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ ଖବରକାଗଜ ସଂସ୍ଥା । କାଶ୍ମୀରର ଉର୍ଦ୍ଦୁ ଖବରକାଗଜ ସଂସ୍ଥା ‘ରୋଶନୀ’ ନିଜ ପାଠକଙ୍କୁ ନ୍ୟୁଜ୍ପେପର ସହ ଫ୍ରିରେ ମାସ୍କ ଦେଉଛି । ମାତ୍ର ୨ ଟଙ୍କାରେ ଉପଲବ୍ଧ ହେଉଥିବା ଏହି ଉର୍ଦ୍ଦୁ ଖବରକାଗଜ ପାଠକମାନଙ୍କୁ ମାସ୍କ ପିନ୍ଧିବାକୁ ପ୍ରେରଣା ଦେବା ପାଇଁ ଏକ ନୂତନ ଉପାୟ ଆପଣେଇଛି । ଯାହାକୁ ବହୁ ଲୋକ ପ୍ରଶଂସା କରୁଛନ୍ତି ।
କରୋନା ଯୁଗରେ, ଯେଉଁଠାରେ ଲୋକମାନେ ଖବରକାଗଜ ମଗାଇବା ପାଇଁ ଡରୁଛନ୍ତି ସେତେବେଳେ ‘ରୋଶନି’ ନିଜର ସମ୍ମୁଖ ପୃଷ୍ଠାରେ ମାସ୍କଟିଏ ନିଜ ପାଠକଙ୍କୁ ଉପହାର ଭାବେ ଦେଉଛି । ଖବରକାଗଜର ପ୍ରଥମ ପୃଷ୍ଠାରେ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିବା ସହ ଖଣ୍ଡେ ଖଣ୍ଡେ ମାସ୍କ ପାଠକଙ୍କ ପାଖରେ ପହଞ୍ଚାଇଛି । ମଙ୍ଗଳବାର ଦିନ ସକାଳେ ଯେତେବେଳେ ଏହି ଖବରକାଗଜ ଲୋକଙ୍କ ଘରେ ପହଞ୍ଚିଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କାରଣ ଖବରକାଗଜର ଡାହାଣ ପାର୍ଶ୍ୱରେ ଉର୍ଦ୍ଦୁରେ ଲେଖା ଯାଇଛି, “ମାସ୍କ ବ୍ୟବହାର କରିବା ନିତାନ୍ତ ଜରୁରୀ ।” ବାମ ପାର୍ଶ୍ୱରେ ଥିବା ପ୍ଲାଷ୍ଟିକ୍ ମାସ୍କକୁ ସୂଚାଇ ଏହି ବାର୍ତ୍ତା ଦିଆଯାଇଛି । ଏହାର ମୁଖ୍ୟ ସମ୍ପାଦକ ଜାହୁରା ଶୋରା କହିଛନ୍ତି ଯେ ଆମେ ଭାବୁଥିଲୁ ଯେ ଏହି ବାର୍ତ୍ତା ବର୍ତ୍ତମାନ ଲୋକଙ୍କ ନିକଟରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ ଏବଂ ସେମାନଙ୍କୁ ମାସ୍କ ପିନ୍ଧିବା ପାଇଁ ମନାଇବା ପାଇଁ ଏହା ଏକ ଉତ୍ତମ ଉପାୟ।
Comments are closed.