Latest Odisha News

ରାତି ଓ ଭୋର ଦୁର୍ଘଟଣା ହ୍ରାସ ପାଇଁ ଏସଟିଏର ମାଗଣା ଚା’ ବଣ୍ଟନ

ଭୁବନେଶ୍ୱର/କଟକ: ଦୁର୍ଘଟଣା ହ୍ରାସ ପାଇଁ ନୂଆ ପଦକ୍ଷେପ ନେଉଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)।  ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ କରିବାକୁ ମାଗଣା ଚା ବାଣ୍ଟୁଛି ବିଭାଗ। ଚାଳକଙ୍କୁ ସତେଜ ଓ ସଚେତନ ରଖିବାକୁ ଜାତୀୟ ରାଜପଥ କଡ଼ରେ ମାଗଣା ଚା’ ବଣ୍ଟନ କରାଯାଉଛି। ରାତି ୩ଟା ରୁ ଭୋର୍ ୬ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ସହଯୋଗରେ ବିଭିନ୍ନ ରାଜପଥ କଡ଼ରେ ଚା ବଣ୍ଟନ କରାଯାଉଛି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ସବୁଦିନ ଏଭଳି ପ୍ରୟାସ ଜାରି ରଖିବାକୁ ଯୁଗ୍ମ ପରିବହନ ଆୟୁକ୍ତ (ସଡ଼କସୁରକ୍ଷା) ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି।

ସୂଚନା ଅନୁସାରେ, ରାସ୍ତା କଡ଼ ଢାବା, ଟୋଲଗେଟ୍ ଭଳି ସ୍ଥାନ ମାନଙ୍କରେ ଦୂରରୁ ଆସୁଥିବା ବସ୍, ଟ୍ରକ୍, ଟ୍ୟାକ୍ସି ଆଦିର ଡ଼୍ରାଇଭରଙ୍କୁ ମାଗଣା ଚା’ ଦିଆଯାଉଛି। ଏହା ସହିତ କୁହୁଡ଼ି, ନିଦଭରା ଆଖି, ରୋଡ ହିପ୍ନୋସିସ ଆଦିରୁ ସତର୍କ ରହିବାକୁ ବିଭାଗ ତରଫରୁ ସଚେତନ କରାଯାଉଛି। ସେହିପାରେ ଆଗରେ ଥିବା ଦୁର୍ଘଟଣା ପୂର୍ଣ୍ଣ ସ୍ଥାନ ସମ୍ପର୍କରେ ଅବଗତ କରାଯାଉଛି।

ଅନ୍ୟ ଦିନ ଅପେକ୍ଷା ଶୀତଋତୁରେ ଅଧିକ ସଡ଼କ ଦୁର୍ଘଟଣା ହେଉଥିବା ଦେଖାଯାଏ। ଶିତ ଋତୁରେ କୁହୁଡ଼ି କାରଣରୁ ରାସ୍ତା ଠିକଭାବରେ ଦେଖା ଯାଇନଥାଏ। ଫଳରେ ଦୁର୍ଘଟଣାର ପରିମାଣ ବୃଦ୍ଧି ପାଇଥାଏ। ଅନ୍ୟପକ୍ଷରେ ବଣଭୋଜି ଯୋଗୁଁ ଜଙ୍ଗଲ, ଘାଟି ରାସ୍ତାରେ ଯାନଚଳାଚଳ ସଂଖ୍ୟା ବୃଦ୍ଧିପାଏ। ଚାଳକଙ୍କ ଅନଭିଜ୍ଞତା, ଅସାବଧାନତା, ଆଖି ଲାଗିଯିବା, ଭୁଲ୍ ସ୍ଥାନରେ ପାର୍କିଂ କରିବା, ସଡ଼କ ସୁରକ୍ଷା ନିୟମ ପାଳନରେ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥାଏ।

ଏସବୁ ବ୍ୟତୀତ ପଥ ସମ୍ମୋହନ ବା ରୋଡ ହିପ୍ନୋସିସ୍ ମଧ୍ୟ ଦୁର୍ଘଟଣାର କାରଣ ସାଜୁଛି। ଚାଳକଙ୍କ ଆଖି ଖୋଲା ରହୁଥିଲେ ମଧ୍ୟ କ୍ରମାଗତ ଗାଡ଼ିଚାଳନା କାରଣରୁ ମସ୍ତିଷ୍କ ଶୋଇପଡ଼ୁଥିବା ବିଭାଗ ସୂଚନା ଦେଇଛି। ତେଣୁ ଏ ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ସଚେତନତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ମାଗଣା ଚା’ ବଣ୍ଟନ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.