Latest Odisha News

ସବୁ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ: ବିକଶିତ ହେବ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭା

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ କ୍ୟାବିନେଟ। ରାଜ୍ୟର ସମସ୍ତ ବ୍ଲକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ବୁଧବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକର ଆରମ୍ଭରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ବ୍ଲକ ସ୍ତରରେ ହେବାକୁ ଥିବା ଷ୍ଟାଡିୟମର ରୂପରେଖ, ବୈଶିଷ୍ଟ୍ୟ ଓ ବିଶେଷତା ସମ୍ବନ୍ଧରେ ବିବରଣୀ ଦେଇଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଜିଲ୍ଲା ଅଧୀନରେ ଆସୁଥିବା ବ୍ଲକଗୁଡ଼ିକରେ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥିରୀକୃତ ହୋଇଥିବା ଉପଯୁକ୍ତ ସ୍ଥାନ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏତତବ୍ୟତୀତ ଯେଉଁ ବ୍ଲକଗୁଡ଼ିକରେ ଏପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇପାରିନାହିଁ, ଆସନ୍ତା ଫେବୃଆରୀ ୨୦ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଅବଗତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହି ପରିପ୍ରେକ୍ଷିରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଆମ ସରକାର ବିକଶିତ ଓଡ଼ିଶା-୨୦୩୬ର ଲକ୍ଷ୍ୟ ରଖିଛନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ କରିବା ହେଉଛି ଆମର ପ୍ରାଥମିକତା। ତୃଣମୂଳ ସ୍ତରରେ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କରିବା ସହ ଓଡ଼ିଶାର ପ୍ରତିଟି ବ୍ଲକ,  ଗାଁରେ ଯେପରି କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ସେ ଲକ୍ଷ୍ୟ ନେଇ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଦିନରେ ଷ୍ଟାଡିୟମର ନିର୍ମାଣ କରିବା ସହ ଏହାର ସୁପରିଚାଳନା ଏବଂ କ୍ରୀଡ଼ାବିତମାନଙ୍କୁ ଯେପରି ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ, ସେ ଦିଗରେ ଗୁରୁତ୍ୱାରୋପ କରାଯିବ।ଏଥିସହିତ ତୃଣମୂଳ ସ୍ତରର କ୍ରୀଡ଼ାବିତମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯେପରି ଓଡ଼ିଶା ପାଇଁ ସୁନାମ ଅର୍ଜନ କରିପାରିବେ ତାହା ଲକ୍ଷ୍ୟ ରଖା ଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କହିଥିଲେ।

Comments are closed.