Latest Odisha News

ଚଳିତବର୍ଷରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ

ଭୁବନେଶ୍ବର: ଚଳିତ ବର୍ଷଠାରୁ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ୩୧ ତାରିଖରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସର ଆୟୋଜନ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତୁତିର ଶୁଭାରମ୍ଭ ହୋଇଛି ।

ବିକଶିତ ଓଡିଶା ଗଠନ କ୍ଷେତ୍ରରେ ବିକଶିତ ସହରାଞ୍ଚଳ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ସହରାଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ତେବେ ଏହି ମହତ୍ୱପୂର୍ଣ୍ଣ ଦିନଟିକୁ ଚିରାଚରିତ ଢଙ୍ଗରେ ପାଳନ ନକରି ଭିନ୍ନ ଭାବେ ପାଳନ କରାଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଉକ୍ତ ଦିନ ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଏକ ସାଙ୍ଗରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ବିଭିନ୍ନ ପ୍ରତିଯୋଗିତା ଆୟୋଜନପୂର୍ବକ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ, ସଭାସମିତି ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପରି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।

Comments are closed.