Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦ୍‌ଘାଟିତ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ପ୍ରଯତ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ଉଦଘାଟିତ ହୋଇଯାଇଛି।ଏହି ଉତ୍ସବରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ମୁଖ୍ୟ ଅତିଥି, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସମ୍ମାନିତ ଅତିଥି, ବିଭାଗୀୟ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ଶିଶୁମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହେବା ଉଚିତ । ଏହା ଦ୍ୱାରା ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ । ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ଗୀତ ଭଳି କଳାର ବିକାଶ ସହ ତର୍କ, ରଚନା, କୁଇଜ ଭଳି ବୌଦ୍ଧିକ କସରତ ସମ୍ଭବ ହୋଇଥାଏ । ଶିଶୁ ମହୋତ୍ସବ ‘ମହକ’ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଏକ ବ୍ୟାପକ ପରିସରରେ ଭାବବିନିମୟ ସମ୍ଭବ ହୋଇ ସେମାନଙ୍କୁ ପ୍ରତିଭାବାନ କରି ଗଢ଼ି ତୋଳିବ । ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ‘ମହକ’ ମୁଖ୍ୟମନ୍ତ୍ରୀଙ୍କ ଶିଶୁମାନଙ୍କ ପ୍ରତି ସ୍ନେହ ଓ ସଦିଚ୍ଛାର ଅଂଶବିଶେଷ । ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ପୁଟନ କ୍ଷେତ୍ରରେ ଏହି ଶିଶୁ ଉତ୍ସବର ମହତ୍ତ୍ୱପୂର୍ଣ୍ଣ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ବିଭାଗୀୟ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ‘ଆଦୃତ’ ଶିଶୁ ଅନୁଷ୍ଠାନର ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପରିଶେଷରେ
ଓଡ଼ିଶା ରାଜ୍ୟ ଶିଶୁ ପ୍ରଯତ୍ନ ଅନୁଷ୍ଠାନର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କୋଭିଡ୍‌-୧୯ ମହାମାରୀ ପରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ‘ମହକ’ ଶିଶୁ ଉତ୍ସବ ପାଳିତ ହେଉଛି । ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୫ ଶହରୁ ଉର୍ଦ୍ଧ୍ଵ ପିଲାମାନେ ଏକତ୍ରିତ ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ଏବଂ ଏହା ୟୁଟ୍ୟୁବ ଓ ଟ୍ୱିଟର ଭଳି ସୋସିଆଲ୍‌ ମିଡିଆରେ ପ୍ରସାରିତ ହେବ ।

Leave A Reply

Your email address will not be published.