Latest Odisha News

BREAKING NEWS

ରାଜ୍ୟସ୍ତରୀୟ ‘ନବଜାତ ଯତ୍ନ ସପ୍ତାହ’ ଉଦଘାଟିତ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନବଜାତ ଯତ୍ନ ସପ୍ତାହ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସମୟ ପୂର୍ବରୁ ଏବଂ କମ୍ ଓଜନ ଜନ୍ମିତ ଶିଶୁଙ୍କ ଚିକିତ୍ସା ଓ ଯତ୍ନ ନିମନ୍ତେ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ନିୟୋଜିତ ଡାକ୍ତର ଓ କର୍ମଚାରୀମାନଙ୍କ ତାଲିମ ଏବଂ ତାଲିମ ମାତା ମାନଙ୍କର ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ନିମନ୍ତେ ପ୍ରାଧାନ୍ୟ ଦିଆଯାଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଫଳରେ ଗତ ୧୦ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁହାର ୬୫ ରୁ କମି ବର୍ତମାନ ୪୦ ହୋଇଛି । ଶିଶୁ ମୃତ୍ୟୁହାରର ପ୍ରମୁଖ ଅଂଶ ଭାବେ ନବଜାତ ଶିଶୁଙ୍କ ମୃତ୍ୟୁ । ଅପରିପକ୍ୱ ଏବଂ କମ୍ ଓଜନର ଶିସୁ ଜନ୍ମ ହେବା , ଜୀବାଣୁ ସଂକ୍ରମଣ ଏବଂ ଜନ୍ମ ସମୟରେ ଜଟିଳତା ଏହାର କାରଣ । ତେବେ ବର୍ତମାନ ଆରାଜ୍ୟରେ ଆନୁଷ୍ଠାନିକ ପ୍ରସବ ହାର ୮୫ ପ୍ରତିଶତରୁ ଅଧିକ ହେଲାଣି । ଏହାକୁ ଆହୁରି ବଢାଇବାକୁ ହେବ । ରାଜ୍ୟର ସମସ୍ତ ୩୦ ଟି ଯାକ ଜିଲ୍ଲାରେ ବର୍ତମାନ ୩୭ ଟି ଏସ୍.ଏନ୍.ସି.ୟୁ କାର୍ଯକ୍ଷମ ହୋଇଛି ।

ଏଠାରେ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ଗତ ବର୍ଷ ୪୬ ହଜାରରୁ ଉଦ୍ଧ୍ୱର୍ ଶିଶୁ ସ୍.ଏନ୍.ସି.ୟୁଗୁଡିକରେ ଚିକିତ୍ସିତ ହୋଇଛନ୍ତି । ୨୦୧୮-୧୯ ବର୍ଷକୁ ନବଜାତ ଶିଶୁ ଯତ୍ନ ବର୍ଷ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଏହି ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆଶାକର୍ମୀ , ଏ.ଏନ୍.ଏମ୍ , ଅଙ୍ଗନବାଡି କର୍ମୀ , ଶିକ୍ଷକ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ , ସ୍ୱେଚ୍ଛାସେବୀ ସଂଗଠନ ଏବଂ ପଂଚାୟତ ସମିତି ସଭ୍ୟସଭ୍ୟାମାନଙ୍କୁ ନବଜାତ ଶିଶୁ ଯତ୍ନ ସଂପର୍କରେ ସଚେତନ କରାଯିବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କ ଭାଷଣରେ ରାଜ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ବର୍ତମାନର ସ୍ଥିତି ଉପରେ ଆଲୋକପାତ କରି ଆଗାମୀ ଦିନରେ କିପରି ଆହୁରି ଅଧିକ ଉନ୍ନତି କରାଯାଇପାରିବା ସଂପର୍କରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଛି ତାକୁ ଅଧିକ କ୍ରିୟାଶୀଳକରି ଆଗୋଇ ନେବାକୁ ଏବଂ ଡାକ୍ତର ଓ ପାରାମେଡିକ୍ କର୍ମଚାରୀମାନେ ନିଜନିଜର ଦକ୍ଷତା ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ସହାୟତାରେ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲେ । ଏହା ମାଧ୍ୟମରେ ରାଜ୍ୟର ଅପହଂଚ ଅଂଚଳମାନଙ୍କରେ ଗର୍ଭବତୀ ମହିଳା ଓ ରୋଗଗ୍ରସ୍ତ ଶିଶୁମାନଙ୍କ ଚିହ୍ନଟ କରାଯାଇ ଆବଶ୍ୟକ ସ୍ଥଳେ ନକଟସ୍ଥ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା ହୋଇଛି । ବର୍ତମାନ ନବଜାତକଙ୍କ ପାଇଁ ୩୭ ଟି ଏସ୍.ଏନ୍.ସି.ୟୁ , ପୁଷ୍ଟିହୀନ ଶିଶୁଙ୍କ ପାଇଁ ୬୨ ଟି ପୁଷ୍ଟିସାଧନ କେନ୍ଦ୍ର କାର୍ଯ୍ୟ କରୁଛି । ସେହିପରି ୧୦୮ ଓ ୧୦୨ ବ୍ୟତିତ ଅପହଂଚ ଇଲାକାରୁ ମହିଳା ଓ ଶିଶୁମାନଙ୍କୁ ଚିକିତ୍ସା ପାଇଁ ଆସିବା ନିମନ୍ତେ ବାଟଖର୍ଚ୍ଚ , ନବଜାତ ଶିଶୁମାନଙ୍କ ପାଇଁ ଜନ୍ମପରେ ପୋଷାକ ପ୍ରଦାନ ଏବଂ ୨୫୦୦ଗ୍ରମ୍ରୁ କମ୍ ଓଜନର ଶିଶୁ ଥିଲେ ଆଶାମାନେ ଶିଶୁଙ୍କ ଘରକୁ ୧୫ ମାସ ପର୍ଯ୍ୟନ୍ତ ଯାଇ ଦେଖାଶୁଣା କରିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଥିଲେ । ୟୁନିସେଫର ସ୍ୱାସ୍ଥ୍ୟ ବିଶେଷଜ୍ଞ ବିବେକ ସିଂହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରି ରାଜ୍ୟରେ ମାତୃ ଓ ଶିଶୁମୃତ୍ୟୁ ହାର ହ୍ରାସ ଦିଗରେ ୟୁନିସେଫର ସହଯୋଗ ବଜାୟ ରହିବ ବୋଲି ସୂଚନା ଦୋଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଜେନା ଏସ୍.ଏନ୍.ସି.ୟୁରେ ଶ୍ରେଷ୍ଠ ପ୍ରଦର୍ଶ କରିଥିବା ନୟାଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପ୍ରଥମ , ରାୟଗଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୨ୟ ଏବଂ ଦେବଗଡ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ୩ୟ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ନିଜଘରେ ଜନ୍ମିତ ଶିଶୁମାନଙ୍କ ଯତ୍ନ କ୍ଷେତ୍ରରେ ସୁନ୍ଦରଗଡ ଜିଲ୍ଲାକୁ ପ୍ରଥମ , ସୋନପୁର ଜିଲ୍ଲାକୁ ୨ୟ ଏବଂ ବୌଦ୍ଧ ଜିଲ୍ଲାକୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ପ୍ରସବ ଗୃହର ଉନ୍ନତି ପାଇଁ ଲକ୍ଷ୍ୟ ରାଜ୍ୟ ପ୍ରମାଣୀକରଣ ପାଇଁ କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାକୁ ପୁରସ୍କୃତ କରାଯାଇଛି । ଜନ୍ମ ବେଳେ ୭୫୦ ଗ୍ରାମ୍ରୁ କମ୍ ଓଜନ ଥିବା ଏବଂ ଏସ୍.ଏନ୍.ସି.ୟୁରେ ଚିକିତ୍ସିତ ହୋଇ ବର୍ତ୍ତମାନ ସୁସ୍ଥ ସବଳ ହୋଇଥିବା ଭଦ୍ରକ ଜିଲ୍ଲା ଚକାପୁର ଗ୍ରାମର ୧୪ ମାସର ପୁଷ୍ପାଞ୍ଜଳୀ ବେହେରା , ରାୟଗଡା ଡି.ଏଫ୍.ଓ ଅପିସ ଲେନ୍-୨ର ୧୪ ମାସର ହାୟାତ କଉସର ଏବଂ କୋରାପୁଟ ବୋରିଗୁମା ବ୍ଲକ୍ ପୁଜାରୀଗୁଡାର ୧୧ ମାସର ଶିଶୁ ବିନ୍ଦ୍ୟା ଗଡବାଙ୍କୁ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ଡାଃ ବି.କେ.ବ୍ରହ୍ମା , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାଃ ଲିଙ୍ଗରାଜ ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.