ଭୁବନେଶ୍ୱର:ସମସ୍ତ ସଡ଼କ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଲବାହୀ ଯାନରେ ବେଆଇନ ଯାତ୍ରୀ ପରିବହନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଗତ ୨୯ ଏପ୍ରିଲରୁ ରାଜ୍ୟବ୍ୟାପୀ ବିଶେଷ ଅଭିଯାନ ଜାରି ରହିଛି। ଏହି ଅଭିଯାନର ପ୍ରଥମ ତିନି ଦିନରେ ସାରା ରାଜ୍ୟରେ ମୋଟ ୩,୦୩୪ଟି ଯାନ ଯାଞ୍ଚ କରାଯାଇଥିବା ବେଳେ ୩୨୬ଟି ମାମଲାରେ ନିୟମ ଉଲ୍ଲଂଘନ ଚିହ୍ନଟ କରାଯାଇ ଚାଲାଣ ଜାରି କରାଯାଇଛି।
ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ସ୍ୱରୂପ ପ୍ରଥମ ତିନି ଦିନରେ ହିଁ ୨୨୬ଟି ଯାନକୁ ଅଟକ ରଖାଯାଇଥିବା ବେଳେ ୯୩ଟି ଯାନକୁ ଜବତ କରାଯାଇଛି। ଏହାସହ ୨୭୧ଟି ଯାନର ପଞ୍ଜୀକରଣ (RC) ରଦ୍ଦ ପାଇଁ ନୋଟିସ୍ ଜାରି କରାଯାଇଥିବା ସହ ୧୮୯ଟି ଡ୍ରାଇଭିଂ ଲାଇସେନ୍ସ (DL) ସସପେଣ୍ଡ କରାଯାଇଛି।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଓ୍ୱାରୀ ତଥ୍ୟ ଅନୁସାରେ ଯାନ ଜବତ କ୍ଷେତ୍ରରେ ଭୁବନେଶ୍ୱର-I RTO ସର୍ବାଧିକ ୧୯ଟି ଗାଡ଼ି ଜବତ କରିଥିବା ବେଳେ, କୋରାପୁଟ ୧୭ଟି ଏବଂ ଭୁବନେଶ୍ୱର-II ୧୧ଟି ଗାଡ଼ି ଜବତ କରିଛନ୍ତି। ଏହା ବ୍ୟତୀତ ସମ୍ବଲପୁର ୮, ରାଉରକେଲା ୭ ଏବଂ ସୁନ୍ଦରଗଡ଼ RTO ୬ଟି ଗାଡ଼ି ଜବତ କରିଛନ୍ତି ।
ଯାନ ଅଟକ କ୍ଷେତ୍ରରେ ବଲାଙ୍ଗିର ଆରଟିଓ ପକ୍ଷରୁ ୨୫ଟି ଗାଡ଼ି ଅଟକ ରଖାଯାଇଥିବା ବେଳେ ଭୁବନେଶ୍ୱର-୧ ଆରଟିଓ ୨୪ ଟି, କୋରାପୁଟ ଆରଟିଓ ୨୦ ଟି ଏବଂ କଟକ ଆରଟିଓ ପକ୍ଷରୁ ୧୫ ଟି ଗାଡ଼ି ଅଟକ ରଖାଯାଇଛି।
ଏହି ରାଜ୍ୟବ୍ୟାପୀ ଅଭିଯାନରେ ବଲାଙ୍ଗୀର, କଟକ, ଭୁବନେଶ୍ୱର-୧ ଓ କୋରାପୁଟ ଆଦି ଅଞ୍ଚଳରେ ଅଧିକ ସଂଖ୍ୟାରେ ନିୟମ ଉଲ୍ଲଂଘନ ଚିହ୍ନଟ ହୋଇଛି।
ରାଜ୍ୟ ପରିବହନ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରିବା ଏକ ଦଣ୍ଡନୀୟ ଅପରାଧ ଓ ଏହା ସାଧାରଣ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରେ । ସଚେତନତା ସୃଷ୍ଟି ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଏହି ବିଶେଷ ଅଭିଯାନ ୮ ମେ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।
ସମସ୍ତ ଗାଡ଼ି ମାଲିକ ଓ ଚାଳକମାନଙ୍କୁ ମୋଟର ଯାନ ଆଇନ୍ କଠୋରତାର ସହ ପାଳନ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।