Latest Odisha News

BREAKING NEWS

ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡ଼ା ଗଡ଼ଜାତର ରାଜାସାହେବ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖୋର୍ଦ୍ଧା: ଖଣ୍ଡପଡ଼ା ଗଡ଼ଜାତର ରାଜାସାହେବ, ପୂର୍ବତନ ମନ୍ତ୍ରୀ ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତଃ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କର ରବିବାର ଦିନ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।

ସ୍ୱର୍ଗତଃ ରାଜାସାହେବଙ୍କ ଏହି ପୂର୍ଣ୍ଣାଅବୟବ ପ୍ରତିମୂର୍ତ୍ତିଟି ଖଣ୍ଡପଡ଼ା ରାଜବାଟି ପରିସରରେ ଉନ୍ମୋଚିତ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ରାଜାସାହେବଙ୍କ ପୁତ୍ର ତଥା ପୂର୍ବତନ ମନ୍ତ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ ଏବଂ ପୌତ୍ର ତଥା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଉପସ୍ଥିତ ରହିହଥିଲେ । ଏହି ଅବସରରେ ରାଜବାଟି ପରିସରରେ ହୋମ ଯଜ୍ଞ ହେବା ସହିତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ସିଦ୍ଧାର୍ଥଙ୍କ ପୁତ୍ର ଜୟବର୍ଦ୍ଧନ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଖଣ୍ଡପଡ଼ା ରାଜପରିବାରର ଅଧିକାଂଶ ସଦସ୍ୟ ଏହି ଉତ୍ସବରେ ଯୋଗଦେଇଥିବା ବେଳେ ବହୁସଂଖ୍ୟାରେ ଖଣ୍ଡପଡ଼ାବାସୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକକୁ ଉତ୍ସାହିତ କରିଥିଲେ ।

ପୂଜାକାର୍ଯ୍ୟ ସରିବା ପରେ ତଥା ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ପରେ ସେଠାରେ ଉପସ୍ଥିତ ରହିଥିବା ରାଜପରିବାରର ସମସ୍ତ ସଦସ୍ୟ ଏବଂ ଖଣ୍ଡପଡ଼ାବାସୀ ରାଜାସାହେବଙ୍କ ଏହି ନୂତନ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ୧୯୧୪ ମସିହାରେ ଜନ୍ମିତ ରାଜା ସାହେବ ଖଣ୍ଡପଡ଼ା ଗଡ଼ଜାତର ଶେଷ ରାଜା ଥିଲେ । ସକ୍ରିୟ ରାଜନୀତିରେ ଅଂଶ୍ରଗ୍ରହଣ କରିଥିଲେ ରାଜା ସାହେବ ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ । ୧୯୫୧ ମସିହାରେ ଖଣ୍ଡପଡ଼ା ବିଧାନସଭା ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ୱିତା କରି ରାଜାସାହେବ ବିଜୟ ହାସଲ କରିଥିଲେ । ସେ ୧୯୫୨ରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ।

ସ୍ୱର୍ଗତଃ ରାଜାସାହେବ ୧୯୫୭, ୧୯୬୧ ଏବଂ ୧୯୬୭ ନିର୍ବାଚନରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ବିଜୟ ହାସଲ କରିପାରିଥିଲେ ।

ଲଗାତାର ଚାରିଥର ବିଧାୟକ ହୋଇଥିବା ହରିହର ସିଂହ ୧୯୬୧ ରୁ ୧୯୬୪ ମସିହା ମଧ୍ୟରେ ଦୁଇ ଦୁଇ ଥର ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ବିରେନ ମିତ୍ରଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ଅଳଙ୍କୃତ କରିଥିଲେ । ୱାର୍କ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଓ ରୋଡ଼ସ ଆଣ୍ଡ ବିଲଡିଂ ଭଳି ଦୁଇଟି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ଥିଲେ ସ୍ବର୍ଗତ ସିଂହ । ଜଣେ ଖୁବ ଭଲ ପାଇଲଟ ଥିଲେ ହରିହର ସିଂହ. ଅଲ ଇଣ୍ଡିଆ ଓ ବେଙ୍ଗଲ ଫ୍ଲାଇଙ୍ଗ କ୍ଲବ ର ସଦସ୍ୟ ଏବଂ ଓଡିଶା ଫ୍ଲାଇଙ୍ଗ କ୍ଲବ ର ସମ୍ପାଦକ ଥିଲେ ସ୍ବର୍ଗତ ସିଂହ ।

ପାଇଲଟ ଭାବେ ବିଜୁ ବାବୁଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ. ସଂଗୀତରେ ସେ ଖୁବ ରୁଚି ରଖିଥିଲେ. ଖଣ୍ଡପଡା ରେ ଧୂମ୍ପା ସଂଗୀତ ର ଉନ୍ନତି ତାଙ୍କରି ଦ୍ୱାରା ହିଁ ହୋଇଥିଲା  ଖଣ୍ଡପଡାଗଡ଼ ର ସ୍ବର୍ଗତ ରାଜାସାହେବ ନିଜ ଅଂଚଳର ଉନ୍ନତି ନେଇ ଅନେକ ଗଠନମୂଳକ କାର‌୍ୟ୍ୟ କରିଥିଲେ ।

Leave A Reply

Your email address will not be published.