Latest Odisha News

ଘର ନଥିବା ଲୋକ ପାଇଁ “ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ”ର ସ୍ଲୋଗାନ!!

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଲକ ଡାଉନ ସମୟରେ ଜଣେ ସାମ୍ବାଦିକ ଭାବରେ ବହୁ ଜାଗା ବୁଲିଛି। ବହୁ ଲୋକଙ୍କୁ ଦେଖିଛି। ବହୁ ଯନ୍ତ୍ରଣା ଓ କଷଣକୁ ଅତି ପାଖରୁ ଦେଖି ଅସହାୟ ଭାବରେ ଠିଆ ହୋଇଛି। ରାଜରାସ୍ତାରେ ଶହ ଶହ କିଲୋମିଟର ଚାଲିବାର ସାହସ ରଖିଥିବା ମଣିଷ ପଟୁଆରକୁ ଦେଖି ଆଖି ପଥର ହୋଇ ଯାଇଛି। ସେମାନଙ୍କର ଫୁଲି ଯାଇଥିବା ପାଦ, ଧଳା ମାର୍ବଲ ପରି ଆଖି ଓ ମୁହଁର ଅସହାୟତାକୁ ଦେଖି, ସେମାନଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କରି ପାରିନାହିଁ।

ଦଳେ ଲୋକଙ୍କୁ ପଚାରିବାକୁ ଚାହିଁଥିଲି, ସେମାନେ କୁଆଡେ ଯିବେ। ରାଗରେ କଟ କଟ ଅନେଇ ତାଙ୍କ ଭିତରୁ ଜଣେ ମୋତେ କହିଥିଲେ- ମରନେ କେ ଲିୟେ; ଆମେ ମରିବାକୁ ଯାଉଛୁ। ତାପରେ ଆଉ କଣ ବା ପଚାରିଥାନ୍ତି। ନିଜ ଉପରେ ରାଗ ଲାଗିଲା। ମୁଁ ମୋ ସ୍କୁଟିରେ ରାଜରାସ୍ତାକୁ ଯାଇଥିଲି। ମୋ ପାଖରେ ଲକ ଡାଉନ ସମୟରେ ବାହାରକୁ ଯାଇ ପାରିବାର ଅନୁମତି ଥିଲା। ହେଲେ ଏ ଲୋକମାନେ ନିଜ ଦେଶରେ, ନିଜ ରାସ୍ତାରେ, ନିଜ ଜୀବନରେ, ଆଜି ଅମାନିଆଁ ଏବଂ ଅଲୋଡା। ସରକାରୀ ଫର୍ମାନକୁ ବେଖାତିର କରି ସେମାନେ ଗାଁକୁ ଫେରୁଛନ୍ତି। ହେଲେ କେତେଦୂରରେ ତାଙ୍କ ଗାଁ? କିଏ ବାହାରିଛି ଚେନ୍ନାଇରୁ, ଯିବ ଉତ୍ତର ପ୍ରଦେଶର ଗୋରଖପୁର। କିଏ ବା ବିଶାଖାପାଟଣାରୁ ବାହାରିଛି, ତାର ଗନ୍ତବ୍ୟ ସ୍ଥଳ ମୋରେନା। ଏମିତି ହଜାର ହଜାର ଅସହାୟ ଲୋକଙ୍କ ଚିତ୍ର ମୋ ଭଳି ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି। ହେଲେ, ଏମାନଙ୍କ ଲାଗି ଏ ଦୁର୍ଦ୍ଦଶା ତିଆରି କରିଥିବା ଲୋକେ, ସେଥିଲାଗି ଚିନ୍ତିତ ଥିବାର କେହି କେବେ ଦେଖିଛି କି?

ରାସ୍ତାରେ ଚାଲୁଥିବା ଲୋକ ଏବଂ ରାସ୍ତାରେ ରହୁଥିବା ଲୋକଙ୍କର ଏକ ବିଶାଳ ସମୁଦାୟ ଆମ ଦେଶରେ ରହିଛନ୍ତି। ଯେତେବେଳେ ଦେଶରେ “ଲକ ଡାଉନ” ଆରମ୍ଭ ହେଲା, ସେତେବେଳେ ବାରମ୍ବାର ଆମକୁ ଗୋଟେ କଥା କୁହାଗଲା- “ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ”। ଏଇ ସ୍ଲୋଗାନ ତିଆରି କରିଥିବା ଲୋକ, କେବେ କଣ ଚିନ୍ତା କରିଥିବ ଯେ, ଭାରତରେ ଅତି କମରେ ୫ କୋଟି ଲୋକଥିବେ ଯେଉଁମାନଙ୍କର ଘର ନାହିଁ। ଭାରତ ସରକାରଙ୍କ ତଥ୍ୟ ଅନୁସାରେ ମାତ୍ର ୫ ଟି ରାଜ୍ୟରେ ୧୭ ଲକ୍ଷରୁ ଅଧିକ ବାସହୀନ ଲୋକ ଅଛନ୍ତି। ବାକି ରାଜ୍ୟ ଗୁଡିକ ସେ ସମ୍ପର୍କରେ ତଥ୍ୟ ଦେଇ ନାହାନ୍ତି। ଦେଶର ଅଧାରୁ ଅଧିକ ଲୋକ ମାତ୍ର ଗୋଟେ ବଖରା ଘରେ ରହନ୍ତି। ଏଇ ଲୋକମାନଙ୍କ ଲାଗି “ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ” ସ୍ଲୋଗାନର ଅର୍ଥ କଣ?

ମାର୍ଚ୍ଚ ୨୪ ତାରିଖରୁ ମଇ ୩୧ ତାରିଖ ପର‌୍ୟନ୍ତ ଏମିତି ଶହ ଶହ ଘର ନଥିବା ଲୋକଙ୍କ ସହ ମୋର ଦେଖା ହୋଇଛି। ସେମାନଙ୍କ ଭିତରେ କେବଳ ଗୋଟେ ଦୁଃଖ ଯେ ସେମାନେ ଖାଇବାକୁ ପାଉନାହାନ୍ତି। ଖଟିଲେ ଯାଇ ଖାଇବାକୁ ପାଉଥିବା ରାସ୍ତା କଡର ଏ ଲୋକମାନେ ଦୁଇମାସ କାଳ ଯେଉଁ କଷ୍ଟ ସହିଛନ୍ତି, ତାହା ଗୋଟେ ଦେଶ ଲାଗି ଚିରନ୍ତନ ଅଭିଶାପ ହୋଇ ରହିବ। ପିଲାଛୁଆ ଓ ବୁଢାବୁଢିଙ୍କୁ ଧରି ଟାଣଖରାରେ ଏମାନେ ଝାଞ୍ଜି ସହିବାକୁ ପ୍ରସ୍ତୁତ, ହେଲେ ଭୋକର ଝାଞ୍ଜିକୁ ସମ୍ଭାଳିବେ କେମିତି?

ଏଇ ଲକ ଡାଉନ ସମୟର ଗୋଟେ ଛୋଟିଆ ଅନୁଭବ ଆଜି କହିବାକୁ ଚାହୁଁଛି। ଲକ ଡାଉନ ସମୟରେ ମୁଁ ରାତି ଦଶଟା ବେଳକୁ ଅଫିସରୁ ଘରକୁ ଫେରେ। ରାସ୍ତା ପୂରା ଶୂନଶାନ। କାଁଭାଁ ଆମ୍ବୁଲାନ୍ସ ଓ ପୁଲିସ ଗାଡିକୁ ଛାଡିଦେଲେ ରାସ୍ତାରେ ଚଳ ପ୍ରଚଳ କିଛି ନାଇଁ। ସବୁଦିନ ସେହି ଅଫିସ ଫେରନ୍ତା ସମୟରେ ହାଉସିଂ ବୋର୍ଡ ଛକରେ ଗୋଟେ ଲୋକ ଏକୁଟିଆ ବସିଥାଏ। କେବେ ଫୁଟପାଥରେ, ପୁଣି କେବେ ଦୂର୍ଗା ମଣ୍ଡପ ଉପରେ। ଦିନେ ଦେଖିଲି, ସେ ନିଜ ଗାମୁଛାରେ ମଣ୍ଡପର ଧୁଳି ସଫା କରୁଛି। ମୁଁ ଗାଡି ଅଟକାଇଲି। ସେ ବୋଧେ ପୁଲିସ ଭାବିକି ଟିକେ ଡରିଗଲା। ମୁଁ କହିଲି, ରହ, ଟିକେ କଥା ହେବା।

ଗରିବ ଲୋକ ସାଙ୍ଗେ କଣ କଥା ହେବ କି, ସେ କହିଲା। ତା କଥାରେ ରାଗ ଓ ଅସହାୟତା ସ୍ପଷ୍ଟ।
ମୁଁ କହିଲି, ମୁଁ ଗରିବ ନହେଲେ ବି ଧନୀ ନୁହେଁ।
ଆଚ୍ଛା, ତମେ କଣ ଏଇଠି ରହୁଛ?
ମୁଁ ସବୁଦିନ ଏଇଠି ରହେ, ଏଇ ପାଖ ହୋଟେଲରେ ବାସନ ମାଜୁଥିଲି। ହୋଟେଲ ମାସେ ହେଲା ବନ୍ଦ।
ମୁଁ କହିଲି, ଖାଉଛ କେମିତି?
ସେ କହିଲା, ହୋଟେଲ ମାଲିକ ତା ଘରୁ ସକାଳୁ ଭାତ ଡାଲି ଟିକେ ଦିଏ। ରାତିରେ ପାଣି ପିଇ ଚଳିଯାଏ।
ମନେ ମନେ ହୋଟେଲ ମାଲିକକୁ ଧନ୍ୟବାଦ ଦେଲି। ଅନ୍ତତଃ ଲୋକଟାର ମାନବିକତା ଅଛି। ମୁଁ ତାକୁ ପଚାରିଲି, ସରକାର ପରା ଖାଇବା ଦେଉଛି, ତମେ କଣ ପାଉନ?

 

ସେଇଠୁ ଆରମ୍ଭ ହେଲା ଯାବତୀୟ ଦୋ ଅକ୍ଷରି। ଶଃ…..କେଉଁ ସରକାର, କି ଖାଇବା। ଭାତ ତ ମିଲୁନି, ପୁଲିସର ମାଡ ମିଳୁଛି। ମୋତେ ଦଶ ଥର ପୁଲିସ ବାଡେଇଲାଣି। କହୁଛି ଘରକୁ ଯା’। ହଇରେ ଶଳା, ତୋର ସିନା ଘର ଅଛି, ତୁ ଘରକୁ ଯିବୁ, ମୋର ଘର ନା ଦୁଆର। ଏତକ କହିଲେ, ପୁଲିସ ମୋତେ ପିଟୁଛି।
ମୁଁ ଜାଣି ନଥିଲି, ସେ ଲୋକକୁ ୟା ପରେ କଣ କହିବି। ସେ ପୁଲିସକୁ ଓ ସରକାରକୁ ଦୋ ଅକ୍ଷରୀରେ ଶୋଧିଲା ବେଳେ ମୋତେ ଲାଗୁଥିଲା, ଏଥିରୁ କିଛି ମୋ ପରି ଲୋକଙ୍କର ମଧ୍ୟ ପ୍ରାପ୍ୟ। ମୋ ଭଳି ଘର ଆଉ ଖାଦ୍ୟର ନିରାପତ୍ତା ଥିବା ଲୋକେ ପ୍ରାଣ ଭୟରେ ଲକ୍ଷ ଲକ୍ଷ ଲୋକଙ୍କୁ ରାସ୍ତାରେ ଅସହାୟ ଅବସ୍ଥାରେ ଛାଡି ଦେଇଛୁ।
ଏ ଦେଶ ହୁଏତ ଆଗାମୀ ଦିନରେ କରୋନା ମହାମାରୀର ପ୍ରକୋପରୁ ବଞ୍ଚିଯିବ। ହେଲେ ଆମେ ବଞ୍ଚିବୁ ବୋଲି ଏ ଦେଶର କୋଟି କୋଟି ଗରିବ ଜନତାଙ୍କର ଜୀବନ ସହିତ ଆମେ ଯେଉଁ ଖେଳ ଖେଳିଛୁ, ତାର ପ୍ରତିବଦଳରେ ଶହ ଶହ ବର୍ଷ ଧରି ଆମକୁ ସେ ଗରିବଙ୍କର ଅଭିଶାପ ଓ ଦୀର୍ଘ ନିଃଶ୍ଵାସ ଭୋଗିବାକୁ ପଡିବ!!

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.