Latest Odisha News

ଅପହଞ୍ଚ ଗାଁ ସବୁର ଗପ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ମଙ୍ଗଳ ଗ୍ରହରେ କଣ ଅଛି ଜାଣିବା ପାଇଁ ଆମେ ଉପଗ୍ରହ ପଠାଇ ସାରିଛୁ । ଓଡ଼ିଶାରେ ପ୍ରତି ଘର ପକ୍କା, ଗାଁ ସବୁ ସଂଯୁକ୍ତ ଓ ବିକାଶ ପଥରେ ବୋଲି ଅନେକ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇଛି । ଯାହା ଏକ ରଙ୍ଗୀନ ଚିତ୍ର ଆମ ଆଗରେ ତୋଳି ଧରିଛି । ଏଣିକି ଗାଁକୁ ସଡ଼କ ଥିବ, ପିଇବା ପାଣି ଥିବ ଇତ୍ୟାଦି ଇତ୍ୟାଦି ସର୍ବନିମ୍ନ ମୌଳିକ ସୁବିଧା ସବୁ ଗାଁରେ ଉପଲବ୍ଧ ବୋଲି ଆମେ ଅନୁଭବ କରୁଛୁ । କିନ୍ତୁ ବାସ୍ତବରେ ଚିତ୍ର, ଆମ ଅନୁଭବଠାରୁ ଢେର ଦୂରରେ ।

ସତ କଥା ହେଉଛି- ଆମ ରାଜ୍ୟର ୨୪୬୭ ଗାଁ ଏବେ ବି ଅପହଞ୍ଚ । ସେଠାକୁ ରାସ୍ତା ନାହିଁ, ଲୋକେ କେମିତି ଯିବା ଆସିବା କରନ୍ତି, କେହି ତାର ହିସାବ ରଖେ ନାହିଁ ଆଉ ସେସବୁ ଗାଁକୁ କେମିତି ଶୀଘ୍ର ରାସ୍ତା ତିଆରି ହେବ, ସେ ନେଇ ବୋଧେ ତୁରନ୍ତ କିଛି ଯୋଜନା ହେଉନାହିଁ । ଏକ, କି ୨୦ ନୁହେଁ । ୨୫୦୦ ପାଖାପାଖି ଗାଁକୁ ରାସ୍ତା ନଥିବା କଥା ଚିନ୍ତା କଲା ବେଳକୁ କ୍ଷୋଭ ଆସୁଛି ମନକୁ । ବିକାଶ, ଉନ୍ନତି, ଅମୁକ ଧମୁକଙ୍କ ସ୍ୱପ୍ନ ସାକାର ହେବା, ସୁନାର ଓଡ଼ିଶା ଏଇମିତି ହଜାରେ ସ୍ଲୋଗାନ ଆମେ ବର୍ଷ ବର୍ଷ ଧରି ଶୁଣି ଆସିଛୁ । କିନ୍ତୁ ସେସବୁ ତୁଚ୍ଛା ପ୍ରଚାର ତ ! ନା ଆଉ କଣ? ନହେଲେ ଏତେ ଗାଁ କେମିତି ଅପହଞ୍ଚ ହୋଇ ରହି ଯାଇ ଥାଆନ୍ତା ।

ଏହା ପୁଣି କୌଣସି କାଳ୍ପନିକ ପରିସଂଖ୍ୟାନ ନୁହେଁ । ଖୋଦ୍‍ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଏହି ତଥ୍ୟ ବିଧାନସଭାରେ ଦେଇଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ଆସିଛି । ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୩୦୫ ଗାଁକୁ ରାସ୍ତା ନାହିଁ । ସେହି ଜିଲ୍ଲାରୁ ଏଡ଼େ ବଡ଼ ବଡ଼ ନେତା ଅଛନ୍ତି । ଯାହାଙ୍କ ପ୍ରଭାବ ଅନେକ । କିନ୍ତୁ ୩୦୦ରୁ ଅଧିକ ଗାଁକୁ ରାସ୍ତା ତିଆରି ହୋଇ ପାରିନି ଆଜିଯାକେ । ତା’ ପଛକୁ ଅଛି- ଚିର ଅବହେଳିତ କଳାହାଣ୍ଡି ଜିଲ୍ଲା । କଳାହାଣ୍ଡିରେ ୨୭୦ ଗାଁକୁ ଯୋଗାଯୋଗର ସାଧନ ନାହିଁ । ଅନେକ ବଡ଼ ବଡ଼ ନେତା କଳାହାଣ୍ଡିରୁ ଅଛନ୍ତି । କିଛି ଦିନ ତଳେ କଳାହାଣ୍ଡିକୁ ନେଇ ଆମର ଅନେକ ଖବରକାଗଜ ଗୁଡ଼ିକର ମିଳିତ ଶିରୋନାମା ଥିଲା- ଭୋକର ଭୂଗୋଳ ଏବେ ଭାତହାଣ୍ଡି । କିନ୍ତୁ ସେମାନେ କଣ ଥରୁଟେ ବାସ୍ତବ ସ୍ଥିତି ପରଖିଲେ ନାହିଁ? ସତରେ ସେଠାରେ କଣ ଚାଲିଛି ଦେଖାଲେ ନାହିଁ?

ଜଗତସିଂହପୁର ଜିଲ୍ଲାରେ ଏହି ସଂଖ୍ୟା ୨୨୧ । ଯେଉଁ ସମୃଦ୍ଧ ଉପକୂଳ ଓଡ଼ିଶାକୁ ନେଇ ଭାରି ଚର୍ଚ୍ଚା ହୁଏ ଏବଂ ସେଇ କିଛି ଜିଲ୍ଲାକୁ ଛାଡ଼ି ଦେଲେ ବାକିସବୁ ଜିଲ୍ଲା ଅବହେଳିତ ବୋଲି ବାରମ୍ବାର ଅଭିଯୋଗ ହୁଏ- ସେଇ ଉପକୂଳ ଜିଲ୍ଲା ଭିତରେ ଜଗତସିଂହପୁର ରହିଛି । ପାରାଦୀପ ବନ୍ଦର ଓ ଅନେକ ଶିଳ୍ପକୁ ନେଇ ବି ସେ ଜିଲ୍ଲା ସମୃଦ୍ଧ । ଅନେକ ଟାଣୁଆ ନେତା ଜଗତସିଂହପୁର ଜିଲ୍ଲାକୁ ପ୍ରତିନିଧିତ୍ୱ କରିଛନ୍ତି ଓ କରୁଛନ୍ତି ମଧ୍ୟ । କିନ୍ତୁ ୨୦୦ରୁ ଅଧିକ ଗାଁକୁ ରାସ୍ତା ନାହିଁ, ସେଇ ଜିଲ୍ଲାରେ । କି ଦୁର୍ଭାଗ୍ୟଜନକ କଥା ଏ?

ରାଜ୍ୟର ୨୫ଟି ଜିଲ୍ଲାରେ ଏଇମିତି ପରିସ୍ଥିତି । ସେଇ ସବୁ ଜିଲ୍ଲାରେ ଶତାଧିକ ଗାଁକୁ ସଡ଼କ ନାହିଁ । ମାତ୍ର ୫ଟି ଜିଲ୍ଲାରେ ସବୁ ଗାଁକୁ ଯାଇ ଆସି ପାରିବା ପରି ରାସ୍ତା ଅଛି । ୨୫ଟି ଜିଲ୍ଲା ! ତା’ମାନେ ବିକାଶ କୋଉଠଇ ପହଞ୍ଚିଛି, ତାହା ସ୍ପଷ୍ଟ ଜଣା ପଡ଼ୁଛି!

କୌଣସି ଅଞ୍ଚଳର ଉନ୍ନତି ପାଇଁ ଆଗ ସଡ଼କ ଦରକାର । ସଡ଼କ ହେଲେ ହିଁ ବାହାର ଦୁନିଆ ସହିତ ଯୋଗାଯୋଗ ରହି ପାରିବ । ଲୋକେ ନିଜ ଫସଲ ଉଚିତ ଦରରେ ବାହାରେ ବିକି ପାରିବେ । ଦି’ ପଇସା କମେଇ ପାରିବେ । ଗାଁକୁ ଆମ୍ବୁଲାନ୍ସ ଆସି ପାରିବ । ସ୍ୱାସ୍ଥ୍ୟସେବା ପହଞ୍ଚ ରହିବ । ପିଲା ପାଠ ପଢିବେ । ଆହୁରି ଅନେକ କଥା ସେଇ ଧାରାରେ । ଆଉ ରାସ୍ତା ନଥିଲେ ତ ସେ ଅଞ୍ଚଳ ଏ ସମସ୍ତ ପକ୍ରିୟାଠାରୁ ଶହ ଶହ କୋଶ ଦୂରରେ ରହିଲା ।
ଛୋଟ ବେଳେ ସ୍କୁଲରେ ପଢିବା ବେଳେ ଆମ ଗାଁକୁ ରାସ୍ତା ନଥିଲା । ବର୍ଷାଦିନ ଚାରି ମାସ ଯାହାକୁ ଚତୁର୍ମାସ୍ୟା ବୋଲି କହୁ, ଆମ ଗାଁ ଓ ଆଖପାଖ ଗାଁ ବଢି ପାଣିରେ ଭାସେ । ଯୋଗାଯୋଗର ସାଧନ କେବଳ ଡଙ୍ଗା । ଖଟିଆରେ, ଭାରାରେ ରୋଗୀ ବୁହା ହୁଅନ୍ତି । ବନ୍ୟା ଦିନେ ସାପ କାମୁଡ଼ିଲେ କୌଣସି ଉପାୟ ନଥାଏ । ପାଖାପାଖି ୧୨ କିଲୋମିଟର ଚାଲି ନଦୀ ପାର ହୋଇ ଆମ ଗାଁକୁ ଯିବାକୁ ପଡ଼ୁଥିଲା । ଚାଷୀ କିଛି ଭଲ ଫସଲ କଲେ ବି ସେଇ ଗାଁ କି ପାଖ ଗାଁରେ ଶାଗମାଛ ଦରରେ ବିକୁଥିଲା । ଅସୁବିଧାର ତାଲିକା ଅନେକ । କିନ୍ତୁ ଯେବେଠାରୁ ରାସ୍ତା ହେଲା, ପରିସ୍ଥିତି ସବୁକିଛି ବଦଳି ଯାଇଛି । ଡେରି ରାତିରେ ବି ଆମେ ଗାଁରେ ଆରାମରେ ପହଞ୍ଚି ପାରୁଛୁ ।

ଆଉ ଇଆଡ଼େ ଆମେ ଏତେ କଥା କହୁଛୁ, ଅଥଚ ଗାଁଗୁଡ଼ିକୁ ସଂଯୋଗ କରିପାରୁ ନାହୁଁ । ଅଥଚ- ୨୫୦୦ ପାଖାପାଖି ଗାଁ ଆମ ରାଜ୍ୟରେ ମୁଖ୍ୟସ୍ରୋତରୁ ଦୂରରେ ଅଛନ୍ତି । ତା’ର ମାନେ- ବିକାଶ, ଉନ୍ନତି ଆଦି ଧାରା ଭୁବନେଶ୍ୱର ପାଖାପାଖିରେ ସୀମିତ ରହିଛି । ସେସବୁ ଗାଁକୁ ତ ଯାଇନି ନିହାତି ।

Comments are closed.