ଭୁବନେଶ୍ୱର: ଅବକାରୀ ବିଭାଗକୁ ଏହି ବଡ ସଫଳତା ମିଳିଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସହିଦନଗର ଥାନା ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରାଯାଇଛି । ଏଥିରେ ପ୍ରାୟ ୭ କ୍ୱିଣ୍ଟାଲ ଗଞ୍ଜେଇ ଥିବାବେଳେ, ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ ।
ଗିରଫ ଅଭିଯୁକ୍ତମାନେ ହେଲେ ଟ୍ରକ୍ ଡ୍ରାଇଭର ଶ୍ରୀକାନ୍ତ ପ୍ରଧାନ, ମିଥୁନ ବେହେରା ଓ ସ୍ମୃତିରଞ୍ଜନ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନୟାଗଡ଼ ଦଶପଲ୍ଲା ଞ୍ଚଳର ଓ ଜଣେ ଖୋର୍ଦ୍ଧା ଦିଗିରିଆର ବୋଲି ଜଣାପଡ଼ିଛି । କନ୍ଧମାଳରୁ ଏହି ଟ୍ରକ ଭର୍ତ୍ତି ଗଞ୍ଜେଇ ଆସୁଥିଲା ବୋଲି ସୂଚନା ମିଳିଛି ।
ଖବର ପାଇ ଅବକାରୀ ବିଭାଗର ଟିମ୍ ଗାଡ଼ିଟିକୁ ପିଛା କରିଥିଲେ ଏବଂ ଶେଷରେ ସହିଦନଗର ଥାନା ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଧରିବାରେ ସଫଳ ହୋଇଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ।
ଟ୍ରକ୍ ଭିତରେ ଗଞ୍ଜେଇକୁ ବିଭିନ୍ନ ପ୍ୟାକେଟରେ ଭର୍ତ୍ତି କରାଯାଇଥିଲା, ଯେଉଁଥିରେ ଗୋଟିଏ ବସ୍ତାରେ ୨୫ କେଜି ଓ ଗୋଟିଏ ପ୍ୟାକେଟରେ ୧ କେଜି ଲେଖାଏଁ ଗଞ୍ଜେଇ ରହିଥିଲା । ରାଜ୍ୟ ବାହାରକୁ ଏତେ ବଡ଼ ପରିମାଣର ଗଞ୍ଜେଇ ଚାଲାଣ ପଛରେ କାହାର ହାତ ଅଛି ଓ ଏହି ନେଟୱାର୍କ କେତେ ବଡ଼, ସେ ନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।