Latest Odisha News

BREAKING NEWS

ଦାବି ପୂରଣ ନହେବାରୁ ନିଆରା ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କଲେ ଅନଶନରେ ବସିଥିବା ଲୋକ

କେନ୍ଦ୍ରପଡ଼ା: କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତବାସୀଙ୍କ ନିଆରା ପ୍ରତିବାଦ । ଦାବି ପୂରଣ ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କରିଛନ୍ତି ଅନଶନରେ ବସିଥିବା ଲୋକେ । ହାତରେ ମୃଦଙ୍ଗ, ଝୁମୁକା ଓ ଝାଞ୍ଜ ଆଦି ଧରି ନାମ ସଂକୀର୍ତ୍ତନ  କରି ଅଭିବନ ଉପାୟରେ ପ୍ରତିବାଦ କରିଛନ୍ତି ପଞ୍ଚାୟତବାସୀ ।

ଏହି ପଂଚାୟତରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା କରି ଅର୍ଥ ହରିଲୁଟ କରାଯାଇଥିବାର ଅଭିଯୋଗ କରିଥିଲେ ପଞ୍ଚାୟତବାସୀ । ଏନେଇ ସେମାନେ କେନ୍ଦ୍ରାପଡା ବିଡ଼ିଓ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ମାତ୍ର କିଛି ସୁଫଳ ମିଳିଲାନାହିଁ । ଅଭିଯୋଗ ଉପରେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ବାରମ୍ବାର ଆସି ନିରାଶ ହୋଇ ଫେରିଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ପରେ ଦୁର୍ନୀତିରେ ସମ୍ପୃକ୍ତ ଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନଶନ ଆରମ୍ଭ କରିଛନ୍ତି ପଞ୍ଚାୟତବାସୀ ।

ଅନଶନ ପଞ୍ଚମ ଦିନରେ ପହଁଞ୍ଚିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଥିପାଇଁ ବାଧ୍ୟ ହୋଇ ଆଜି ସଂକୀର୍ତ୍ତନ କରି ପ୍ରତିବାଦ ଜଣାଇଛନ୍ତି ପଞ୍ଚାୟତବାସୀ । ତେବେ ଦାବି ପୂରଣ ନହେବା ଯାଏ ଅନଶନ ଜାରି ରହିବ ବୋଲି କହିଛନ୍ତି ଅନଶନକାରୀ । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.