Latest Odisha News

BREAKING NEWS

ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧ: ଗାଡ଼ି ଉପରକୁ ପଥର ମାଡ଼; ବିଜେପି ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାଲିସହର (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ହାଲିସହରଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ହାଜତ ମୃତ୍ୟୁର ଶିକାର ହୋଇଥିବା ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ଜନଆକ୍ରୋଶର ସାମ୍ନା କରିଛନ୍ତି । ସେଠାରେ ପହଞ୍ଚିବା କ୍ଷଣି ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ିକୁ ଅଟକାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ “ଚୋର” ନାରାବାଜି କରିଥିଲେ। ଏପରିକି ତାଙ୍କ କନଭୋୟ ଉପରକୁ ଇଟା, ପଥର, କାଦୁଅ ଓ ଜୋତା-ଚପଲ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି।

ପଶ୍ଚିମବଙ୍ଗ ପୁଲିସ ହେପାଜତରେ ଜଣେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ପୀଡ଼ିତ ପରିବାର ଓ ଦଳ ପକ୍ଷରୁ ଗୁରୁତର ଅଭିଯୋଗ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ପରିବାରକୁ ସମବେଦନା ଜଣାଇବା ପାଇଁ ମମତା ବାନାର୍ଜୀ ହାଲିସହର ଗସ୍ତ କରିଥିଲେ। ମାତ୍ର ସେ ଗାଁରେ ପହଞ୍ଚିବା ମାତ୍ରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା।

ଏହି ବିରୋଧ ପ୍ରଦର୍ଶନ ଓ ଆକ୍ରମଣ ପଛରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଂପୃକ୍ତି ରହିଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଏହା ସ୍ଥାନୀୟ ଗ୍ରାମବାସୀଙ୍କ ଆକ୍ରୋଶ ନୁହେଁ, ବରଂ ବିଜେପି ବାହାରୁ ଗୁଣ୍ଡା ଆଣି ଏହି ହିଂସାକାଣ୍ଡ ରଚିଛି । ପୁଲିସର ଉପସ୍ଥିତି ସତ୍ତ୍ୱେ ମୋ ଗାଡ଼ି ଉପରକୁ ବଡ଼ ବଡ଼ ଇଟା ଓ ପଥର ଫିଙ୍ଗାଗଲା । ପୁଲିସ ନିଜର ବିଫଳତା ଲୁଚାଇବା ପାଇଁ ଏହି ଦୁର୍ବୃତ୍ତମାନଙ୍କୁ ପ୍ରଶ୍ରୟ ଦେଉଛି। ରାଜ୍ୟରେ ଏବେ ଅରାଜକତା ଓ ବର୍ବରତା ଚାଲିଛି।”

ଅନ୍ୟପକ୍ଷରେ, ସ୍ଥାନୀୟ କେତେକ ଲୋକଙ୍କ କହିବା କଥା ଯେ, ଅଞ୍ଚଳରେ ଶାନ୍ତି ରହିଥିବା ବେଳେ ମମତା ବାନାର୍ଜୀଙ୍କ ଗସ୍ତ ଯୋଗୁଁ ଅଶାନ୍ତି ସୃଷ୍ଟି ହୋଇଛି। ପ୍ରଦର୍ଶନକାରୀମାନେ ଦୀର୍ଘ ସମୟ ଧରି ଗାଡ଼ିକୁ ଘେରାଉ କରି ରଖିବାରୁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ହାଲିସହର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ଚାପା ଉତ୍ତେଜନା ଦେଖାଦେଇଛି

Leave A Reply

Your email address will not be published.