Latest Odisha News

BREAKING NEWS

ସାଇକେଲ କି କାର ନୁହେଁ, ଘୋଡ଼ା ଚଢି ସ୍କୁଲ ଆସନ୍ତି ଛାତ୍ର

ଗୁଜୁରାଟ: ଛାତ୍ରମାନେ ସାଧାରଣତଃ ସାଇକେଲ, ରିକ୍ସା, ଭ୍ୟାନ୍ କିମ୍ବା କାରରେ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ସୁରଟ ଜିଲ୍ଲାର ବାର୍ଡୋଲି ତାଲୁକାସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତିଦିନ ଘୋଡା ଚଢି ସ୍କୁଲ ଆସିଥାନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ୫ ବର୍ଷ ହେଲାଣି ସେ ଦୈନିକ ଘୋଡ଼ା ଚଢି ସ୍କୁଲ ଆସୁଛନ୍ତି । ଯାହାଙ୍କୁ ଦେଖି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି ।

ସୁରଟ ଜିଲ୍ଲାର ବାର୍ଡୋଲି ତାଲୁକା ଅନ୍ତର୍ଗତ ଏକ ଛୋଟ ଗାଁ ଖରୱାସା । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି କୁଶ ମହେଶଭାଇ ରାଥୋଡ । ତାଙ୍କର ବୟସ ୧୩ ବର୍ଷ । କୁଶଙ୍କ ପରିବାର ଚାଷ କାର୍ଯ୍ୟ କରି ପେଟ ପୋଷିଥାନ୍ତି । କୁଶ ସବୁଦିନ ଘୋଡା ଚଢି ବିଦ୍ୟାଳୟକୁ ଆସିଥାନ୍ତି । କ୍ଲାସକୁ ଯିବା ପୂର୍ବରୁ ସେ ସ୍କୁଲ ବାହାରେ ଘୋଡ଼ାକୁ ବାନ୍ଧି ଦେଇ ଭିତରକୁ ଯାଇଥାନ୍ତି । ଘୋଡ଼ା ପାଇଁ ଖାଇବାକୁ ମଧ୍ୟ ସେ ସାଙ୍ଗରେ ଆଣିଥାନ୍ତି । ବିଶେଷକରି କାର ଏବଂ ଅନ୍ୟାନ୍ୟ ଯାନରେ ଆସୁଥିବା ଶିକ୍ଷକମାନେ ମଧ୍ୟ ଘୋଡା ପ୍ରତି ପିଲାଟିର ଭଲପାଇବା ଦେଖି ଖୁସି ହେବା ସହ ପ୍ରଶଂସା କରିଥାନ୍ତି ।

କୁଶ ଦୀର୍ଘ ବର୍ଷ ହେଲାଣି ସେ ଏପରି ଘୋଡା ଚଢି ସ୍କୁଲକୁ ଆସୁଛନ୍ତି । ଖାଇବା ଛୁଟି ସମୟରେ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଘୋଡାକୁ ଖାଇବାକୁ ଦେବା ସହ ତାସହିତ ଖେଳିଥାନ୍ତି । କୁଶ କୁହନ୍ତି, ଲୋକେ କୁକୁର,ବିଲେଇ ଘରେ ରଖି ସେମାନଙ୍କୁ ଭଲ ପାଇଥାନ୍ତି । ସେହିପରି ମୁଁ ମଧ୍ୟ ମୋ ଘୋଡ଼ାକୁ ବହୁତ ଭଲ ପାଏ । ତାହାର ଯତ୍ନ ବି ନିଏ । ତାକୁ ଗୋଟେ ମୁହୁର୍ତ୍ତ ଛାଡ଼ି ରହିବା ମୋ ପକ୍ଷେ ସମ୍ଭବ ନୁହେଁ । ସେଥିଲାଗି ମୁଁ ଯୁଆଡ଼େ ଯାଏ ତାକୁ ସାଙ୍ଗରେ ନେଇ ଯାଇଥାଏ । କେବଳ ସ୍କୁଲ ନୁହେଁ, ବଜାର, ସାଙ୍ଗସାଥୀଙ୍କ ଘରକୁ ବି ମୁଁ ଘୋଡ଼ା ଚଢି ଯାଇଥାଏ । ମୋ ଘୋଡ଼ାକୁ ଦେଖିବା ପାଇଁ ଲୋକମାନେ ମୋ ପାଖକୁ ବି ଆସନ୍ତି । ମୋତେ ବହୁତ ଖୁସି ଲାଗେ ।

Leave A Reply

Your email address will not be published.