Latest Odisha News

BREAKING NEWS

କିଟ୍ ଛାତ୍ର ଆତ୍ମହତ୍ୟା ମାମଲା: ପ୍ରେମିକାଙ୍କ ନାଁରେ ପରିବାର ଆଣିଲେ ଅଭିଯୋଗ

ଭୁବନେଶ୍ବର: କିଟ୍ ପିଛା ଛାଡୁନି ବିବାଦ । ଜଣଙ୍କ ପରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ ନପଡ଼ୁଣୁ ପୁଣି ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷ ଛାତ୍ର ରାହୁଲ ଯାଦବଙ୍କ ସନ୍ଦେହଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ହଷ୍ଟେଲ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ।

ଛାତ୍ରଙ୍କ ଘର ଛତିଶଗଡ଼ ବୋଲି ଜଣାପଡ଼ିଛି। ଇନ୍ଫୋସିଟି ଥାନା ପୋଲିସ୍ ମୃତଦେହ ଜବତ କରିଥିବା ବେଳେ ତାଙ୍କ ବାପା-ମାଆ ଘଟଣାସ୍ଥଳରୁ ପହଞ୍ଚିଛନ୍ତି ଗତକାଲି ରାତିରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଘଟଣା ଜଣାପଡ଼ିବା ପରେ ଏ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏବେ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ କିଟ୍ କର୍ତ୍ତୃପକ୍ଷ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି ଓ ସଂପୃକ୍ତ ଛାତ୍ରଙ୍କ ପିତାମାତାଙ୍କୁ ସମବେଦନା ଜଣାଇଥିବା କହିଛନ୍ତି।

କିଟରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟୁଛି। ରାହୁଲ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହାର ତଦନ୍ତ କଲେ ଜଣାପଡିବ। ଅନ୍ୟପଟେ ଛାତ୍ରଙ୍କ ମାଆ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ଏକ ପ୍ରେମ ଜନିତ ଘଟଣା ବୋଲି ଜଣାପଡିଛି। ଛାତ୍ରଙ୍କ ମାଆ କହିଛନ୍ତି, ଦୀର୍ଘଦିନ ଧରି ନିଜ ପରିଚିତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଆସିଥିଲା। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମା’ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ପ୍ରେମିକାଙ୍କ ବାପା ଓ ପରିବାର ଛାତ୍ରଙ୍କୁ ଧମକ ଚମକ ଦେଇଥିଲେ ଏବଂ ଭୟଭୀତ କରିଥିଲେ। ଫଳରେ ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପ୍ରେମିକାଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେବେ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.